ମାଇକ୍ରୋଫାଇନାନ୍ସ ଗ୍ରାହକଙ୍କ ଇଏମ୍‌ଆଇ ଚିନ୍ତା ଦୂର କରିବ ବୀମା: ପ୍ରାକୃତିକ ବିପର୍ଯ୍ୟୟ ବେଳେ ୨ଟି ଇଏମ୍‌ଆଇର ଟଙ୍କା ମିଳିବ

ଭୁବନେଶ୍ବର: ଓଡ଼ିଶାରେ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଲାଗି ରହୁଥିବା ବେଳେ ଏହାର ପ୍ରଭାବରୁ ମାଇକ୍ରୋଫାଇନାନ୍ସ ଗ୍ରାହକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଲାଗି ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବୀମା ଆରମ୍ଭ କରାଯାଇଛି। ତାହା ହେଉଛି ନ୍ୟାଟ୍ କ୍ୟାଟ୍ ବୀମା। ବର୍ତ୍ତମାନ ରାଜ୍ୟର ତିନିଟି ଜିଲ୍ଲା କଟକ, ଯାଜପୁର ଓ ମୟୂରଭଞ୍ଜର ୫୦୦୦ ଗ୍ରାହକଙ୍କୁ ନେଇ ଏହାର ପରୀକ୍ଷଣ ଚାଲିଛି। ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସମୟ‌ରେ ଗ୍ରାହକମାନଙ୍କ ଦୁଇଟି ଇଏମ୍ଆଇ ପାଇଁ ବୀମା ରାଶି ମିଳିବ। ମାଇକ୍ରୋଫାଇନାନ୍ସ ଇନଷ୍ଟିଚ୍ୟୁସନ୍ସ ନେଟ୍‌ୱର୍କ (ଏମ୍ଏଫ୍‌ଆଇଏନ୍‌) ପକ୍ଷରୁ ଏସିଆନ୍ ଡେଭେଲପ୍‌ମେଣ୍ଟ୍‌ ବ୍ୟାଙ୍କ (ଏଡିବି) ଓ ରୟାଲ ସୁନ୍ଦରମ୍‌ର ମିଳିତ ସହଯୋଗରେ ଏହି ବୀମା ସୁରକ୍ଷାର ପରୀକ୍ଷଣ କରାଯାଉଛି। ପରୀକ୍ଷଣ ସଫଳ ହେଲେ ସବୁ ମାଇକ୍ରୋଫାଇନାନ୍ସ ଗ୍ରାହକଙ୍କୁ ଏହି ସୁବିଧା ପ୍ରଦାନ କରାଯିବ ବୋଲି ଏମ୍‌ଏଫ୍‌ଆଇଏନ୍‌ ବୋର୍ଡର ସଦସ୍ୟ ଦିବ୍ୟଜ୍ୟୋତି ପଟ୍ଟନାୟକ କହିଛନ୍ତି। ଆଗାମୀ ଦିନରେ ବିହାର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ମାଇକ୍ରୋଫାଇନାନ୍ସ ଗ୍ରାହକଙ୍କୁ ବୀମା ସୁବିଧା ପ୍ରଦାନ କରିବାର ଯୋଜନା ରହିଛି।

ଏମ୍‌ଏଫ୍‌‌ଆଇଏନ୍‌ର ଜାତୀୟ ମୁଖ୍ୟ (ଷ୍ଟେଟ୍ ଇନିସିଏଟିଭ୍‌ସ) ଅଚ୍‌ଲା ସବ୍ୟସାଚ୍ଚୀ ଓଡ଼ିଶାର ମାଇକ୍ରୋଫାଇନାନ୍ସ ବଜାର ଉପରେ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ ୨୦୧୭ ମାର୍ଚ୍ଚ ସୁଦ୍ଧା ବଜାର ପରିମାଣ ୪୫୦୦ କୋଟି ଟଙ୍କା ସ୍ତରରେ ରହିଥିଲା। ୨୦୨୧ ସେପ୍ଟେମ୍ବର ସୁଦ୍ଧା ତାହା ୧୪,୮୭୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏବେ ରାଜ୍ୟର ମାଇକ୍ରୋଫାଇନାନ୍ସ ଶିଳ୍ପରେ ୨୩,୫୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ୬୮ଟି ମାଇକ୍ରୋଫାଇନାନ୍ସ ସଂସ୍ଥା ଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫ଟି ହେଉଛି ଏନ୍‌ବିଏଫ୍‌ସି-ଏମ୍ଏଫ୍‌ଆଇ। ସେମାନେ ୩୮ ଲକ୍ଷରୁ ଅଧିକ ଗ୍ରାହକଙ୍କ ଆବଶ୍ୟକତାକୁ ୨୭୦୦ରୁ ଅଧିକ ଶାଖା ଜରିଆରେ ପୂରଣ କରୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର