ମୁମ୍ବାଇ: ବିଶ୍ବବ୍ୟାପୀ ଆଜି ମାଇକ୍ରୋସଫ୍ଟ ସେବାରେ ଦେଖାଦେଇଥିବା ବିଭ୍ରାଟର ପ୍ରଭାବ ଭାରତ ଉପରେ ମଧ୍ୟ ପଡ଼ିଛି। ଏଥିଯୋଗୁ ଦେଶରେ ୨୦୦ରୁ ଅଧିକ ବିମାନ ବାତିଲ ହୋଇଛି। ଏଥିରେ ୧୯୨ଟି ବିମାନ ଇଣ୍ଡିଗୋର ରହିଛି। ସାଇବରସିକ୍ୟୁରିଟି ସେବା ପ୍ରଦାନ କରୁଥିବା କମ୍ପାନି କ୍ରାଉଡଷ୍ଟ୍ରାଇକ୍ ସଫ୍ଟୱେର ଅପ୍ଡେଟ୍ କାରଣରୁ ମାଇକ୍ରୋସଫ୍ଟ ୱିଣ୍ଡୋଜ୍ କାମ କରି ନଥିଲା। ଏଥିଯୋଗୁ ବିମାନ ସେବା ଠାରୁ ଆରମ୍ଭ କରି ବ୍ୟାଙ୍କ ଏବଂ ଖବର ପ୍ରସାରଣ, ଷ୍ଟକ୍ ମାର୍କେଟ ସେବା ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି।
ବିମାନସେବା କ୍ଷେତ୍ରରେ ବିମାନ ଚଳାଚଳ ଠାରୁ ଆରମ୍ଭ କରି ଯାତ୍ରୀଙ୍କ ଚେକ୍-ଇନ୍ ଏବଂ ବ୍ୟାଗ୍ ହ୍ୟାଣ୍ଡଲିଂ ସର୍ବାଧିକ ବାଧାପ୍ରାପ୍ତ ହୋଇଛି। ଏୟାରଲାଇନ୍ସ ଭଳି ବିମାନ ବନ୍ଦର ଏବଂ ଅନ୍ୟ ପରିବହନ ବ୍ୟବସ୍ଥା ମଧ୍ୟ ସମାନ ସମସ୍ୟା ଦେଇ ଗତି କରିଛନ୍ତି ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି। ବାତିଲ ହୋଇଥିବା ବିମାନର ଯାତ୍ରୀଙ୍କୁ ବିମାନ ବନ୍ଦର ନଆସିବା ପାଇଁ ପରାମର୍ଶ ଦିଆଯାଇଛି। ଧୈର୍ଯ୍ୟ ରଖିବା ଓ ସହଯୋଗ କରିବା ଲାଗି କମ୍ପାନି ପକ୍ଷରୁ ଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି। ପୁନଃ ବୁକିଂ କରିବା ଏବଂ ରିଫଣ୍ଡ୍ ଲାଗି ଦାବି ଉପସ୍ଥାପନ ସୁବିଧାକୁ କମ୍ପାନି କିଛି ସମୟ ଲାଗି ବନ୍ଦ ରଖିଛି।
ଏହି ଘଟଣା ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡ଼ୁ କହିଛନ୍ତି ଯେ ମନ୍ତ୍ରଣାଳୟ ଓ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ମିଳିତ ଭାବେ ସ୍ଥିତିର ମୁକାବିଲା କରୁଛନ୍ତି। ମାନୁଆଲ୍ ବ୍ୟାକ୍ ଅପ୍ ବ୍ୟବସ୍ଥା ଜରିଆରେ ପରିଚାଳନା ସ୍ବାଭାବିକ କରିବାକୁ ଉଦ୍ୟମ ହେଉଛି। ସ୍ଥିତି ବିଷୟରେ ଯାତ୍ରୀମାନଙ୍କୁ ସୂଚିତ କରିବାକୁ ଏୟାରଲାଇନ୍ସଗୁଡ଼ିକୁ ସରକାର କହିଛନ୍ତି। ଇଣ୍ଡିଗୋ ସହିତ ଆକାଶ, ଏୟାର ଇଣ୍ଡିଆ, ଭିସ୍ତାରା ଏବଂ ସ୍ପାଇସଜେଟ୍ର ବିମାନସେବା ବ୍ୟାହତ ହୋଇଛି। ମାଇକ୍ରୋସଫ୍ଟ ସେବାରେ ଦେଖାଦେଇଥିବା ବିଭ୍ରାଟ ଦେଶର ୧୦ଟି ବ୍ୟାଙ୍କ ଓ ଅଣ ବ୍ୟାଙ୍କିଂ ଆର୍ଥିକ ପ୍ରତିଷ୍ଠାନ (ଏନ୍ବିଏଫ୍ସି)କୁ ସାମାନ୍ୟ ପ୍ରଭାବିତ କରିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ବ୍ୟାଙ୍କ ଶିଳ୍ପ ଉପରେ ଏହି ଘଟଣାର ପ୍ରଭାବ କ’ଣ ରହିଛି ତାହା ଜାଣିବା ଲାଗି ରିଜର୍ଭ ବ୍ୟାଙ୍କ ଏକ ଅନୁଶୀଳନ କରିଥିଲା। ସେଥିରୁ ଜଣାପଡ଼ିଥିଲା ଯେ ୧୦ଟି ସଂସ୍ଥା ପ୍ରଭାବିତ ହୋଇଛନ୍ତି। ସେମାନେ ସାମ୍ନା କରିଥିବା ସମସ୍ୟାର ସମାଧାନ ହୋଇଛି। ଅଧିକାଂଶ ବ୍ୟାଙ୍କର ପ୍ରମୁଖ କାର୍ଯ୍ୟଗୁଡ଼ିକର ସମ୍ପର୍କ କ୍ଲାଉଡ୍ ସହ ନାହିଁ। ତେଣୁ ସେହି ସେବାଗୁଡ଼ିକର ପ୍ରଭାବିତ ହୋଇନାହିଁ। କିଛି ହାତଗଣତି ସେବା କ୍ଲାଉଡ୍ରେ ହେଉଛି ଯେଉଁମାନେ କ୍ରାଉଡ୍ଷ୍ଟ୍ରାଇକ୍ ଟୁଲ୍ ଗ୍ରହଣ କରିଛନ୍ତି।
ଏଥିସହିତ ଅନେକ ବ୍ୟକ୍ତିଗତ ୱିଣ୍ଡୋଜ୍ ବ୍ୟବହାରକାରୀମାନେ ମଧ୍ୟ ସମସ୍ୟାର ସାମ୍ନା କରିଛନ୍ତି। ସେମାନଙ୍କ ସ୍କ୍ରିନ ନୀଳ ହୋଇଯାଇଛି। ଅପ୍ରତ୍ୟାଶିତ ଭାବେ ତାହା ସଟ୍ଡାଉନ୍ କିମ୍ବା ରିଷ୍ଟାର୍ଟ ହୋଇଥିଲା। ବାରମ୍ବାର କମ୍ପ୍ୟୁଟର ରିଷ୍ଟାର୍ଟ ହେବା କାରଣରୁ ବ୍ୟବହାରକାରମାନେ ସେଭ୍ କରି ନଥିବା ଡାଟା ଉଡ଼ି ଯାଇଥିଲା। ଏହାକୁ ବ୍ଲୁ ସ୍କ୍ରିନ ଏରର କୁହାଯାଇଥାଏ। କମ୍ପ୍ୟୁଟରରେ ଯେତେବେଳେ ବଡ଼ ଧରଣର ସମସ୍ୟା ଦେଖାଦିଏ ଏଭଳି ସ୍ଥିତି ଉପୁଜେ।