ନୂଆଦିଲ୍ଲୀ: ଆମେରିକାର ପ୍ରମୁଖ ସଫ୍ଟୱେର କମ୍ପାନି ମାଇକ୍ରୋସଫ୍ଟ ୱିଣ୍ଡୋଜ୍‌ରେ ଦେଖାଦେଇଥିବା ବିଭ୍ରାଟକୁ ଠିକ୍‌ କରିବା ଲାଗି ଶତାଧିକ ଇଞ୍ଜିନିୟର ଏବଂ ବିଶେଷଜ୍ଞ କାର୍ଯ୍ୟରେ ଲାଗିଛନ୍ତି। ସିଧାସଳଖ ଗ୍ରାହକଙ୍କ ସହ ଆଲୋଚନା କରି ଏହି ସମସ୍ୟାର ସମାଧାନ ପାଇଁ ଶତାଧିକ ଇଞ୍ଜିନିୟର ଏବଂ ବିଶେଷଜ୍ଞଙ୍କୁ ନିୟୋଜିତ କରାଯାଇଛି ବୋଲି ମାଇକ୍ରୋସଫ୍ଟ ପକ୍ଷରୁ ଏକ ବ୍ଲଗପୋଷ୍ଟ୍‌ରେ କୁହାଯାଇଛି। ମାଇକ୍ରୋସଫ୍ଟର ୱିଣ୍ଡୋଜ୍‌କୁ ସାଇବର ସୁରକ୍ଷା ସେବା ଯୋଗାଇ ଦେଉଥିବା କମ୍ପାନି କ୍ରାଉଡ୍‌ଷ୍ଟ୍ରାଇକ୍‌ ପକ୍ଷରୁ ‘ଫାଲ୍‌କନ୍‌ ସେନ୍‌ସର୍‌’ ନାମକ ସଫ୍ଟୱେର ଅପଡେଟ୍‌ କରାଯିବା ଫଳରେ ଗତ ଶୁକ୍ରବାର ବିଶ୍ବରେ ବଡ଼ ଧରଣର ବିଭ୍ରାଟ ଦେଖାଦେଇଥିଲା। ବିମାନ ସେବାଠାରୁ ଆରମ୍ଭ କରି ବ୍ୟାଙ୍କିଂ, ଷ୍ଟକ କାରବାର ଆଦି ପ୍ରଭାବିତ ହୋଇଥିଲା। ବିଶ୍ବରେ ୮୫ ଲକ୍ଷ କମ୍ପ୍ୟୁଟର ପ୍ରଭାବିତ ହୋଇଥିଲା ବୋଲି ମା‌ଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଛି। ଏହି ବିଭ୍ରାଟ କାରଣରୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିମାନସେବା ଶିଳ୍ପ। ବିଶ୍ବରେ ପାଖାପାଖି ୫୦୦୦ ବିମାନ ଏବଂ ଭାରତରେ ୪୦୦ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଭାରତରେ ୨୦୦ ବିମାନର ଚଳାଚଳ ବାତିଲ ହୋଇଥିଲା। ଇଣ୍ଡିଗୋ, ସ୍ପାଇସଜେଟ ଏବଂ ଆକାଶ ଏୟାରୱେଜ୍‌ର ଅନ୍‌ଲାଇନ ଚେକ୍‌-ଇନ ଏବଂ ବୋର୍ଡିଂ ପ୍ରକ୍ରିୟା ବ୍ୟାଘାତ ହୋଇଥିଲା। ସେମାନେ ହାତରେ ଏହି କାର୍ଯ୍ୟ ସଂପାଦନ କରିଥିଲେ।

Advertisment

୨୦ ଦେଶକୁ ବ୍ୟାପିଛି

ମାଇକ୍ରୋସପ୍ଟରେ ଘଟିଥିବା ବିଭ୍ରାଟ ଦ୍ବାରା ସାରା ବିଶ୍ବରେ ପ୍ରଭାବିତ ହୋଇଥିବା ୨୦ଟି ଦେଶ ହେଉଛି ଆମେରିକା, ବ୍ରିଟେନ୍, କାନାଡା, ଅଷ୍ଟ୍ରେଲିଆ, ଜର୍ମାନୀ, ଫ୍ରାନ୍ସ, ଭାରତ, ସ୍ପେନ୍, ଇଟାଲି, ନେଦରଲ୍ୟାଣ୍ଡ୍‌ସ, ସ୍ବିଡେନ, ଡେନ୍‌ମାର୍କ, ନରୱେ, ଫିନ୍‌ଲ୍ୟାଣ୍ଡ, ବେଲଜିୟମ୍, ସ୍ବିଜର୍‌ଲ୍ୟାଣ୍ଡ୍‌, ଅ‌ଷ୍ଟ୍ରିଆ, ଆୟରଲ୍ୟାଣ୍ଡ, ପର୍ତୁଗାଲ ଓ ନ୍ୟୁଜିଲ୍ୟାଣ୍ଡ

ଚୀନ୍‌କୁ ଛୁଇଁନି ସମସ୍ୟା
ମାଇକ୍ରୋସଫ୍ଟ ବିଭ୍ରାଟ ଦ୍ବାରା ପ୍ରଭାବିତ ହୋଇନଥିବା ଦେଶ ହେଉଛି ଚୀନ୍। ଏୟାରଲାଇନ୍ସ କିମ୍ବା ବ୍ୟାଙ୍କ ଶିଳ୍ପରେ କୌଣସି ସମସ୍ୟା ସୃଷ୍ଟି ହୋଇନଥିବା ଚୀନ୍ ପକ୍ଷରୁ ଦାବି କରାଯାଇଛି। ଦେଶର ଅତ୍ୟାବଶ୍ୟକ ସେବାଗୁଡ଼ିକୁ ଜାରି ରଖିବା ଲାଗି ଚୀନ୍ ବିଦେଶୀ ଭିତ୍ତିଭୂମି ଉପ‌ରେ ନିର୍ଭରଶୀଳ ନୁହେଁ। ଏହା ସମ୍ପୂର୍ଣ୍ଣ ନିଜସ୍ବ ବ୍ୟବସ୍ଥା ବିକାଶ କରିଛି। ବେଜିଂ ବିମାନବନ୍ଦରରେ ମାଇକ୍ରୋସଫ୍ଟ ବିଭ୍ରାଟର କୌଣସି ପ୍ରଭାବ ଦେଖିବାକୁ ମିଳୁନି। କିନ୍ତୁ ସୋସିଆଲ ମିଡିଆରେ ଚୀନ୍‌ର କିଛି ନାଗରିକ କମ୍ପ୍ୟୁଟରରେ ନୀଳ ସ୍କ୍ରିନ୍ ସମସ୍ୟା ସାମ୍ନା କରିଥିବା ଜଣାଇଥିଲେ। ଚୀନ୍‌ର ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ଜିଆଙ୍ଗସୁରେ ମଧ୍ୟ ସମସ୍ୟା ସମ୍ପର୍କରେ ବହୁ ଲୋକ ଅଭିଯୋଗ କରିଥିଲେ।