ନୂଆଦିଲ୍ଲୀ: ବିଶ୍ବ କମ୍ପ୍ୟୁଟର ଜଗତରେ ଶୁକ୍ରବାର ଦେଖାଦେଇଥିବା ବଡ଼ଧରଣର ବିଭ୍ରାଟର ସମାଧାନ କରାଯାଇଛି। କମ୍ପ୍ୟୁଟର ଇତିହାସରେ ସବୁଠୁ ବଡ଼ ବିଭ୍ରାଟ ବୋଲି କୁହାଯାଉଥିବା ଏହି ସମସ୍ୟାର ସମାଧାନ ହୋଇଥିଲେ ମଧ୍ୟ ସ୍ଥିତି ସ୍ବାଭାବିକ ହେବାକୁ କିଛିଦିନ ଲାଗିବ। ମାଇକ୍ରୋସଫ୍ଟର ୱିଣ୍ଡୋଜ୍ ସିଷ୍ଟମରେ କ୍ରାଉଡଷ୍ଟ୍ରାଇକର ‘ଫାଲକନ ସେନସର’ ସଫ୍ଟୱେର ଅପଡେଟ କରାଯିବା ଫଳରେ ସମସ୍ୟା ଉପୁଜିଥିଲା। ଫ୍ଲାଇଟଏୱାର ନାମକ ଏକ କମ୍ପାନିର ରିପୋର୍ଟ ଅନୁଯାୟୀ, ବିଶ୍ବରେ ୫୦୦୦ ବିମାନ ଉଡ଼ାଣ ବାତିଲ ହୋଇଛି। ଏଥିରୁ ୩୦୦୦ରୁ ଅଧିକ ବିମାନ ଆମେରିକାରୁ ଉଡ଼ାଣ ଆରମ୍ଭ କରିବାକୁ ଥିଲା କିମ୍ବା ଆମେରିକାରେ ପହଞ୍ଚିବାର ଥିଲା। କେବଳ ସେତିକି ନୁହେଁ, ହସ୍ପିଟାଲ ଠାରୁ ଆରମ୍ଭ କରି ଖବର ପ୍ରସାରଣ, ସୁପରମାର୍କେଟ, ବ୍ୟାଙ୍କିଂ, ଷ୍ଟକ କାରବାର ଓ ମୋବାଇଲ ଫୋନ ସେବା ଆଦି ପ୍ରଭାବିତ ହୋଇଥିଲା।
ମାଇକ୍ରୋସଫ୍ଟର ସୂଚନା ଅନୁଯାୟୀ, ଗୁରୁବାର ଜିଏମ୍ଟି ରାତି ୭ଟାରେ ଏହି ସମସ୍ୟା ଲୋକମାନେ ଅନୁଭବ କରିଥିଲେ। ସ୍କ୍ରିନରେ ବିଏସ୍ଓଡି (ବ୍ଲୁ ସ୍କ୍ରିନ ଅଫ ଡେଥ୍) ତ୍ରୁଟି ଦେଖାଦେବା ସହିତ କମ୍ପ୍ୟୁଟର କ୍ରାସ୍ କରିଯାଇଥିଲା। କିଛି ଘଣ୍ଟା ଧରି ଏହି ସମସ୍ୟା ଲାଗି ରହିବା ଫଳରେ କ୍ରାଉଡଷ୍ଟ୍ରାଇକ ଏକ ସଫ୍ଟୱେର ଜରିଆରେ ଏହାର ସମାଧାନ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମାଇକ୍ରୋସଫ୍ଟ ପକ୍ଷରୁ କୁହାଯାଇଥିଲା ଯେ ଦୀର୍ଘ ସମୟ ଧରି ଅନୁଧ୍ୟାନ କରିବା ପରେ ସମସ୍ୟାର ସମାଧାନ କରାଯାଇଛି। ପୂର୍ବରୁ ପ୍ରଭାବିତ ହୋଇଥିବା ସମସ୍ତ ମାଇକ୍ରୋସଫ୍ଟ ୩୬୫ ଆପ୍ ଏବଂ ସେବାକୁ ପୁନଃସ୍ଥାପିତ କରାଯାଇଛି।
କ୍ରାଉଡଷ୍ଟ୍ରାଇକର ସିଇଓ ଜର୍ଜ କୁର୍ଜ ଏହି ତ୍ରୁଟିକୁ ସ୍ବୀକାର କରିବା ସହ ବ୍ୟବସାୟ ଓ ଲୋକଙ୍କ ଉପରେ ପଡ଼ିଥିବା ଏହାର ପ୍ରତିକୂଳ ପ୍ରଭାବ ପାଇଁ କ୍ଷମା ମାଗିଥିଲେ। ଏହି ଘଟଣାର ସଂପୂର୍ଣ୍ଣ ତଦନ୍ତ କରାଯିବ ଏବଂ ଭବିଷ୍ୟତରେ ଯେପରି ଏଭଳି ସମସ୍ୟା ନଉପୁଜିବ ତାହା ପ୍ରତି ଧ୍ୟାନ ଦିଆଯିବ ବୋଲି କମ୍ପାନି କହିଥିଲା। ସାଧାରଣତଃ କମ୍ପ୍ୟୁଟରରେ ସମସ୍ୟା ଦେଖାଦେବା କିଛି ନୂଆ ନୁହେଁ। ହାର୍ଡୱେର କିମ୍ବା ସଫ୍ଟୱେରରେ ତ୍ରୁଟି କିମ୍ବା ସାଇବର ଆକ୍ରମଣ କାରଣରୁ ଏହା ହୋଇଥାଏ। କିନ୍ତୁ ଗତକାଲି ଯେଉଁ ମାତ୍ରାରେ ସମସ୍ୟା ଉପୁଜିଲା ତାହା ବିରଳ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ତେବେ ଭୋର ୩ଟାରୁ ସବୁ ବିମାନବନ୍ଦରରେ ବିମାନ ଚଳାଚଳ ସ୍ବାଭାବିକ ହୋଇଛି। ଗତକାଲିର ସମସ୍ୟା ପାଇଁ କିଛି ଜିନିଷ ପଛୁଆ ରହିଯାଇଛି। ଧୀରେ ଧୀରେ ଏହି କାର୍ଯ୍ୟ ସଂପାଦନ ହେଉଛି। ଆଜି ମଧ୍ୟାହ୍ନ ସୁଦ୍ଧା ସବୁ ସମସ୍ୟାର ସମାଧାନ ହୋଇଯିବା ନେଇ ଆମେ ଆଶା କରୁଛୁ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଦିଲ୍ଲୀରେ ଗତକାଲି ୨୦୦ ବିମାନ ବାତିଲ ହୋଇଥିବାବେଳେ ୪୦୦ ବିମାନ ବିଳମ୍ବ ହୋଇଥିଲା।