ଭାରତରେ ୬୦ କୋଟି ମଧ୍ୟବିିତ୍ତ ପରିବାର; ବର୍ଷକୁ ଖର୍ଚ କରୁଛନ୍ତି ୧.୨୫ ଟ୍ରିଲିଅନ୍‌ ଡଲାରରୁ ଅଧିକ

ଟାର୍ଗେଟ୍‌ରେ ଭାରତୀୟ ମଧ୍ୟବିତ୍ତ:

ନୂଆଦିଲ୍ଲୀ: ଭାରତ ପାଖରେ ଏବେ ଯାହା ଅଛି ତାହା ଅନ୍ୟ କୌଣସି ଦେଶ ପାଖରେ ନାହିଁ। ତାହା ହେଉଛି ଏକ ବଡ଼ ମଧ୍ୟବିତ୍ତ ଶ୍ରେଣୀ। ଏହା ଭାରତକୁ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକଠାରୁ ଅଲଗା କରିପାରିଛି। ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ମାନ୍ଦାବସ୍ଥା ଓ ଅସ୍ଥିରତା ଲାଗି ରହିଥିବା ବେଳେ ଭାରତ ଉପରେ ତାହାର ବିଶେଷ ପ୍ରଭାବ ପଡୁନାହିଁ। ଏହାର ଏକ ବଡ଼ କାରଣ ହେଉଛି ଭାରତୀୟ ଅର୍ଥନୀତି ନିଜସ୍ୱ ଚାହିଦା ଦ୍ୱାରା ଆଗକୁ ବଢ଼ୁଛି। ଏହାର ବୃହତ ମଧ୍ୟବିତ୍ତ ଶ୍ରେଣୀ ଅର୍ଥନୀତିର ରଥକୁ ଆଗକୁ ଟାଣି ନେଉଛନ୍ତି। ସେଥିପାଇଁ ସାରା ବିଶ୍ୱର ନିବେଶକଙ୍କ ନିମନ୍ତେ ଭାରତ ପସନ୍ଦର ଦେଶ ଭାବେ ଉଭା ହୋଇଛି ବୋଲି ପାଣ୍ଠି ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକର ଫଣ୍ଡ୍‌ ମ୍ୟାନେଜର୍‌ମାନେ କହିଛନ୍ତି।
ଫ୍ରାଙ୍କଲିନ୍‌ ଟେମ୍ପଲ୍‌ଟନ୍‌, ନିଉଟନ୍‌ ଆସେଟ୍‌ ମ୍ୟାନେଜମେଣ୍ଟ୍‌ ଓ ଓ୍ଵିଜ୍‌ଡମ୍‌ ଟ୍ରି ଇନଭେଷ୍ଟ୍‍ମେଣ୍ଟସ୍‌ ପକ୍ଷରୁ କୁହାଯାଇଛି ଯେ ଭାରତରେ ନିବେଶକମାନେ ଅନ୍ୟ ଦେଶ ତୁଳନାରେ ଭଲ ରିଟର୍ଣ୍ଣ ପାଉଛନ୍ତି। ଚୀନ୍‌ ତୁଳନାରେ ଏହା ଅଧିକ ରିଟର୍ଣ୍ଣ ପ୍ରଦାନ କରୁଛି। ଟଙ୍କା ମୂଲ୍ୟ ହିସାବରେ ନିବେଶକମାନେ ଲାଭବାନ ହେଉଛନ୍ତି। ମାତ୍ର ଡଲାର ତୁଳନାରେ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବାରୁ ସେହି ରିଟର୍ଣ୍ଣକୁ ବିଶ୍ୱ ସ୍ତରରେ ତୁଳନା କରିବା ବେଳେ ଉନ୍ନତ ମାନର ବୋଲି କୁହାଯାଇପାରୁନାହିଁ।
ମୁମ୍ବାଇ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ମଧ୍ୟବିତ୍ତ ଶ୍ରେଣୀରେ ୬୦ କୋଟି ଲୋକ ଅଛନ୍ତି। ସେହିପରି ବୋଷ୍ଟନ୍‌ କନ୍‌ସଲ୍‌ଟିଂ ଗ୍ରୁପ୍‌ ଆକଳନ କରିଛି ଯେ, ୨୦୨୫ ସୁଦ୍ଧା ଭାରତ ତୃତୀୟ ବଡ଼ ଉପଭୋକ୍ତା ଅର୍ଥନୀତି ଭାବେ ଉଭା ହେବ। ସେହି ସମୟରେ ଉପଭୋକ୍ତା ଖର୍ଚ ପରିମାଣ ତିନି ଗୁଣା ବୃଦ୍ଧି ପାଇ ୪ ଟ୍ରିଲିଅନ୍‌ ଡଲାରରୁ ଅଧିକ ହୋଇଯିବ। ବର୍ତ୍ତମାନ ଉପଭୋକ୍ତାମାନେ ବର୍ଷକୁ ୧.୨୫ ଟ୍ରିଲିଅନ୍‌ରୁ ଅଧିକ ଡଲାର ଖର୍ଚ କରୁଛନ୍ତି। ଏହି ଖର୍ଚ ପରିମାଣ ବଢ଼ି ଚାଲିଛି ଯାହା ବିଶ୍ୱର ଯେକୌଣସି କଂପାନି ପାଇଁ ଭାରତକୁ ଏକ ଆକର୍ଷଣୀୟ ବଜାରରେ ପରିଣତ କରିପାରିଛି। ବୋଧହୁଏ, ଭାରତ ପାଖରେ ଏହି ଶକ୍ତି ରହିଥିବାରୁ ବିଗତ ୧୦ ବର୍ଷ ଭିତରେ ବିଦେଶୀ ନିବେଶକମାନେ ୩୩୫ ବିଲିଅନ୍‌ ଡଲାର ନିବେଶ କରିଛନ୍ତି।
ରପ୍ତାନି ଉପରେ ଭାରତ ଅର୍ଥନୀତି ବିଶେଷ ନିର୍ଭରଶୀଳ ନୁହେଁ। ଦେଶର ଜିଡିପିକୁ ରପ୍ତାନିର ଅବଦାନ ହେଉଛି ମାତ୍ର ୧୧%। ତେଣୁ, ଏହା କୁହାଯାଇପାରିବ ଯେ, ଭାରତୀୟ ଅର୍ଥନୀତି ଦେଶ ଭିତରେ ସୃଷ୍ଟି ହେଉଥିବା ଚାହିଦା ଯୋଗୁଁ ଆଗକୁ ବଢ଼ୁଛି। ତେଣୁ ବିଶ୍ୱ ସ୍ତରର ମାନ୍ଦାବସ୍ଥା ଏହାକୁ ବିଶେଷ ପ୍ରଭାବିତ କରିପାରୁନାହିଁ।

ସମ୍ବନ୍ଧିତ ଖବର