ନୂଆଦିଲ୍ଲୀ: ଅର୍ଥନୀତି କଥା ଉଠିଲେ ଭାରତରେ ମଧ୍ୟବିତ୍ତ ବର୍ଗ ବିଷୟ ଚର୍ଚା ହୋଇଥାଏ। ତେବେ, କେଉଁମାନେ ଏହି ମଧ୍ୟବିତ୍ତ? ଭାରତରେ ଯେଉଁମାନେ ନିଜକୁ ମଧ୍ୟବିତ୍ତ ବୋଲି ଭାବୁଛନ୍ତି, ଯଦି ସେମାନଙ୍କ ସ୍ଥିତିକୁ ଅନ୍ୟ ଦେଶଗୁଡ଼ିକର ମଧ୍ୟବିତ୍ତ ବର୍ଗର ଲୋକମାନଙ୍କ ସହିତ ତୁଳନା କରାଯିବ ତେବେ ସ୍ପଷ୍ଟ ହୋଇଯିବ ଯେ ସେମାନେ ଗରିବ।
ଏକ ସମୟ ଥିଲା ଯେତେବେଳେ ଚୀନ୍ରେ ମଧ୍ୟବିତ୍ତ ବର୍ଗର ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଥିଲା। ସେମାନଙ୍କୁ ହାତେଇବା ପାଇଁ ବିଶ୍ୱର ବଡ଼ ବଡ଼ କଂପାନିଗୁଡ଼ିକ ଚୀନ୍ ମୁହାଁ ହୋଇଥିଲେ ଏବଂ ସେଠାରେ ସଫଳତାର ସହ କାରବାର କରିଥିଲେ। ଚୀନ୍ରେ ଅଭିବୃଦ୍ଧି ମନ୍ଥର ହେବା ପରେ ସେମାନେ ଭାରତ ଉପରେ ଆଖି ପକାଇଛନ୍ତି। ଚୀନ୍ ଭଳି ସଫଳତା ପାଇବା ପାଇଁ ଯେଉଁ କଂପାନିଗୁଡ଼ିକ ଭାରତ ଆସିଛନ୍ତି ସେମାନେ ଏବେ ଚିନ୍ତାରେ ପଡ଼ିଗଲେଣି।
କାରଣ ଚୀନ୍ ଭଳି ମଧ୍ୟବିତ୍ତ ପରିବାର ଭାରତରେ ନାହାନ୍ତି। ଚୀନ୍ର ମଧ୍ୟବିତ୍ତ ଲୋକଙ୍କ କ୍ରୟଶକ୍ତି ଭାରତର ମଧ୍ୟବିତ୍ତଙ୍କଠାରୁ ବହୁତ ଅଧିକ। ଭାରତର ମୁଣ୍ଡପିଛା ଆୟ ପରିମାଣ ହେଉଛି ୧୭୦୦ ଡଲାର। ଦେଶର ୮୦% ଲୋକଙ୍କ ଆୟ ଏହାଠାରୁ କମ୍ । ଭାରତରେ ମଧ୍ୟବିତ୍ତ ପରିବାରଙ୍କୁ ଚିହ୍ନଟ କରିବା ଏକ ଜଟିଳ ବ୍ୟାପାର। ନ୍ୟାସନାଲ୍ କାଉନ୍ସିଲ୍ ଅଫ୍ ଆପ୍ଲାଏଡ୍ ଇକୋନମିକ୍ ରିସର୍ଚ ଅନୁଯାୟୀ ଭାରତରେ ଯେଉଁମାନଙ୍କର ବାର୍ଷିକ ଆୟ ଅଢ଼େଇ ଲକ୍ଷ ଟଙ୍କାରୁ ଅଧିକ ଏବଂ ଯେଉଁମାନେ ଦିନକୁ ୧୦ ଡଲାର ରୋଜଗାର କରୁଛନ୍ତି ସେମାନେ ହେଉଛନ୍ତି ମଧ୍ୟବିତ୍ତ। ଏହି ହିସାବ ଅନୁସାରେ ଭାରତର ମାତ୍ର ୭ କୋଟି ୮୦ ଲକ୍ଷ ଲୋକ ମଧ୍ୟବିତ୍ତ। ତେବେ ଏହି ଲୋକମାନେ ଆପଲ୍ କଂପାନିର ସଦ୍ୟତମ ଆଇଫୋନ୍ ମଡେଲ୍କୁ ସହଜରେ କିଣିପାରିବେ ନାହିଁ। ପାଞ୍ଚ ମାସର ଦରମାକୁ ସଞ୍ଚୟ କଲେ ସେମାନେ ଆଇଫୋନ୍ର ଏକ ନୂଆ ମଡେଲ୍ କିଣିପାରିବେ। ମଧ୍ୟବିତ୍ତଙ୍କୁ ଚିହ୍ନଟ କରିବାର ଅନ୍ୟ ଏକ ହିସାବ ହେଉଛି ସେହି ସବୁ ଘରକୁ ଚିହ୍ନଟ କରିବା ଯେଉଁଠାରେ ଏକ କାର୍ କିମ୍ବା ଦୁଇ ଚକିଆ ଯାନ, ଟିଭି, କମ୍ପ୍ୟୁଟର, ଏସି ଏବଂ ଫି୍ରଜ୍ ରହିଥିବ। ୨୦୧୨ରେ ସରକାର କରିଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଆମ ଦେଶର ମାତ୍ର ୩% କିମ୍ବା ତା’ଠାରୁ କମ୍ ଘରେ ଏହି ସବୁ ସାମଗ୍ରୀ ରହିଛି।
ଭାରତରେ ଧନୀମାନେ ଅଧିକ ଧନୀ ହେଉଛନ୍ତି। ଅନ୍ୟମାନଙ୍କ ସ୍ଥିତିରେ ସେଭଳି କିଛି ଆଖିଦୃଶିଆ ପରିବର୍ତ୍ତନ ହେଉନାହିଁ। ଭାରତରେ ଯେଉଁ କିଛି ବ୍ୟକ୍ତି ମୋଟା ଅଙ୍କର ବେତନ ପାଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ କାମ କରୁଛନ୍ତି। ଅଣସଂଗଠିତ କ୍ଷେତ୍ରରେ ୯୦%ରୁ ଅଧିକ ଶ୍ରମ ଶକ୍ତି କାମ କରୁଛନ୍ତି। ଅନ୍ୟ ଦେଶରେ ମଧ୍ୟବିତ୍ତ ଲୋକମାନଙ୍କ ପାଖରେ ଏଭଳି ଚାକିରି ରହିଛି ଯେଉଁଠାରେ ସେମାନଙ୍କୁ ପେ’ ସ୍ଲିପ୍ ପ୍ରଦାନ କରାଯାଉଛି। ମାତ୍ର ଭାରତରେ ଅଧିକାଂଶ କର୍ମଚାରୀଙ୍କୁ ପେ’ ସ୍ଲିପ୍ ଦିଆଯାଏ ନାହିଁ। ଶ୍ରମ ଶକ୍ତିରେ ମହିଳାଙ୍କ ଅବଦାନ ମଧ୍ୟ ଭାରତରେ ବହୁତ କମ୍ ରହିଛି।
ଆୟକୁ ନେଇ ଭାରତରେ ଯେଉଁ ବୈଷମ୍ୟ ରହିଛି ତାହା ଉତ୍କଟ ସ୍ତରରେ ପହଞ୍ଚିଗଲାଣି। ଭାରତର ମଧ୍ୟବିତ୍ତଙ୍କ ରୋଜଗାର ହାତେଇବା ପାଇଁ ଲୋଭରେ ବିପୁଳ ପରିମାଣର ନିବେଶ କରିଥିବା ଆମାଜନ୍, ଆପଲ୍ ଓ ମ୍ୟାକ୍ଡୋନାଲଡ୍ ଭଳି କଂପାନି ଏବେ ଚିନ୍ତାରେ ପଡ଼ିଯାଇଛନ୍ତି।
ଚୀନ୍, ପାକିସ୍ତାନଠାରୁ ଭାରତ ପଛୁଆ
ନୂଆଦିଲ୍ଲୀ: ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି କ୍ଷେତ୍ରରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ବିଶ୍ୱ ଅର୍ଥନୈତିକ ଫୋରମ୍ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ତାଲିକାରେ ଚୀନ୍ ଏବଂ ପାକିସ୍ତାନଠାରୁ ଭାରତ ପଛରେ ରହିଛି। ଭାରତକୁ ୬୨ତମ ସ୍ଥାନ ମିଳିଥିବା ବେଳେ ଚୀନ୍କୁ ୨୬ତମ ଏବଂ ପାକିସ୍ତାନକୁ ୪୭ତମ ସ୍ଥାନ ମିଳିଛି। ନରେଓ୍ଵ ଏହି ତାଲିକାର ଶୀର୍ଷରେ ରହିଛି। ଗତବର୍ଷ ଭାରତ ୬୦ତମ ସ୍ଥାନରେ ଥିଲା।
୧% ଧନୀଙ୍କ ଭାଗରେ ୭୩% ନୂଆ ସମ୍ପତ୍ତି
ନୂଆଦିଲ୍ଲୀ : ଦେଶରେ ଜନସଂଖ୍ୟାର ୧% ଲୋକ ହେଉଛନ୍ତି ବିପୁଳ ଧନର ମାଲିକ। ଗତବର୍ଷ ଦେଶରେ ଯେଉଁ ନୂତନ ସମ୍ପତ୍ତି ସୃଷ୍ଟି ହୋଇଥିଲା ତାହାର ୭୩% ଧନୀଙ୍କ କବ୍ଜାକୁ ଚାଲିଯାଇଛି। ଭାରତର ଧନୀ ଗରିବ ଆୟ ବୈଷମ୍ୟକୁ କେତେ ଉତ୍କଟ ତାହା ଜଣାଇବା ପାଇଁ ଅକ୍ସଫାମ୍ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଏହା କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ଦେଶର ୬୭ କୋଟି ଲୋକଙ୍କ ସମ୍ପତ୍ତିରେ ମାତ୍ର ୧%ର ବୃଦ୍ଧି ହୋଇଛି। ଗତବର୍ଷ ସର୍ଭେରୁ ଜଣାପଡ଼ିଥିଲା ଯେ ଦେଶର ୫୮% ସମ୍ପତ୍ତି ୧% ଧନୀ ଲୋକଙ୍କ କବ୍ଜାରେ ରହିିଛି। ବିଶ୍ୱ ସ୍ତରରେ ଏହି ହାର ଭାରତଠାରୁ କମ୍ ୫୦% ରହିଛି। ଗତବର୍ଷ ୧% ଧନୀ ଭାରତୀୟଙ୍କ ସମ୍ପତ୍ତି ପରିମାଣ ୨୦ ଲକ୍ଷ ୯୦ ହଜାର କୋଟି ଟଙ୍କା ବଢ଼ିଛି। ଏହା ଗତବର୍ଷର ସାଧାରଣ ବଜେଟ୍ ପରିମାଣ ସହ ସମାନ। ୨୦୧୭ରେ ପ୍ରତି ଦିନେ କିମ୍ବା ଦୁଇ ଦିନରେ ନୂଆ କୋଟିପତି ସୃଷ୍ଟି ହୋଇଛନ୍ତି। ୨୦୧୦ ପରଠାରୁ ଧନୀ ଲୋକମାନଙ୍କ ସମ୍ପତ୍ତି ପରିମାଣ ବାର୍ଷିକ ୧୩% ହାରରେ ବଢ଼ିଛି। ସେହି ସମୟରେ ସାଧାରଣ କର୍ମଚାରୀଙ୍କ ସମ୍ପତ୍ତି ପରିମାଣ ମାତ୍ର ୨% ହାରରେ ବଢ଼ିଛି। ଭାରତରେ ଏକ ଅଗ୍ରଣୀ ଗାର୍ମେଣ୍ଟ୍ କଂପାନିର ଜଣେ ବରିଷ୍ଠ ଅଧିକାରୀ ଯେତିକି ଦରମା ପାଉଛନ୍ତି, ଜଣେ ସାଧାରଣ କର୍ମଚାରୀଙ୍କୁ ସେତିକି ଦରମା ପାଇବାକୁ ହେଲେ ୯୪୧ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।