ମୁମ୍ବାଇ: ମଧ୍ୟବିତ୍ତ ଆୟବର୍ଗର ବ୍ୟକ୍ତିଙ୍କ ପାଇଁ ପୁଣି ଖୁସି ଆଣିଛି ଫେବ୍ରୁଆରି ମାସ। ଗତ ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ଉପସ୍ଥାପନ କରିଥିବା ବଜେଟ୍‌ରେ ଆୟକରଦାତାଙ୍କୁ ବଡ଼ ରିହାତି ପ୍ରଦାନ କରିଥିଲେ। ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଦେବାକୁ ପଡ଼ିବ ନାହିଁ ବୋଲି ଘୋଷଣା କରାଯାଇଛି। ଏଥିସହିତ ବେତନଭୋଗୀଙ୍କ ପାଇଁ ଏହାର କିଛିଦିନ ପରେ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଗଠିତ ମୁଦ୍ରା ନୀତି କମିଟି ରେପୋ ହାରରେ ୦.୨୫ ପ୍ରତିଶତ ହ୍ରାସ ଘୋଷଣା କରିଛି। ଏହାକୁ ତତ୍କାଳ ଲାଗୁ କରାଯାଇଛି। ମୁଦ୍ରା ନୀତି କମିଟି ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନେଇଛି। ଏହାଦ୍ବାରା ରେପୋ ହାର ୬.୨୫ ପ୍ରତିଶତକୁ ଖସିଆସିଛି। ରେପୋ ହାର ହେଉଛି ସେହି ସୁଧ ହାର ଯେଉଁଥିରେ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଋଣ ପ୍ରଦାନ କରିଥାଏ। ରେପୋ ହାର ହ୍ରାସ ଫଳରେ ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନ ସୁଧ ହାର ହ୍ରାସ ପାଇବ। ଫଳରେ ଲୋକମାନେ କମ୍‌ ସୁଧରେ ଗୃହ ଋଣ, ‌ଗାଡ଼ି ଋଣ ଏବଂ ଅନ୍ୟାନ୍ୟ ଋଣ ପାଇପାରିବେ। 

Advertisment

ଏହାଦ୍ବାରା ସେମାନଙ୍କ ମାସିକ କିସ୍ତି ପରିଶୋଧ ବାବଦ ଆର୍ଥିକ ବୋଝ ହ୍ରାସ ପାଇବ। ଗୋଟିଏ ପଟେ ସରକାର ବ‌ଜେଟ୍‌ ଜରିଆରେ ଲୋକଙ୍କ ହାତରେ ଖର୍ଚ୍ଚ ପାଇଁ ଅଧିକ ଅର୍ଥ ରଖିବାର ବ୍ୟବସ୍ଥା କରିଥିବାବେଳେ ଅନ୍ୟପଟେ ରିଜର୍ଭ ବ୍ୟାଙ୍କ ଆଜି ସୁଧ ହାର ହ୍ରାସ କରି କମ୍‌ ସୁଧରେ ଋଣ ପାଇବା ବାଟକୁ ଫିଟାଇଛନ୍ତି। ଆଗାମୀ ଦିନରେ ଏହାର ସକାରାତ୍ମକ ପ୍ରଭାବ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉପରେ ପଡ଼ିବ। ଶେଷ ଥର ପାଇଁ ୨୦୦୦ ମସିହା ମେ ମାସରେ ରେପୋ ହାରକୁ ୪.୪୦ ପ୍ରତିଶତରୁ ୪ ପ୍ରତିଶତକୁ ହ୍ରାସ କରାଯାଇଥିଲା। ଏହା ପରେ ‌ରେପୋ ହାରକୁ ୨୦୨୨ ମେ ମାସ ପର୍ଯ୍ୟନ୍ତ ସ୍ଥିର ରଖାଯାଇଥିଲା। କିନ୍ତୁ ୨୦୨୨ ମେ ମାସଠାରୁ ୨୦୨୩ ଏପ୍ରିଲ ମାସ ମଧ୍ୟରେ ରେପୋ ହାର କ୍ରମାଗତଭାବେ ୬ ଥରରେ ୨.୫୦ ପ୍ରତିଶତ ବୃଦ୍ଧି କରାଯାଇ ୬.୫ ପ୍ରତିଶତରେ ରଖାଯାଇଥିଲା। ୨୦୨୩ ଫେବ୍ରୁଆରିରେ ଶେଷଥର ପାଇଁ ରେପୋ ହାର ବଢ଼ାଯାଇଥିଲା। 

ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଏବଂ ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡା, ମେକ୍ସିକୋ ଓ ଚୀନ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିବା ପରେ ବିଶ୍ବରେ ଶୁଳ୍କ ଲଢ଼େଇ ବଢ଼ିବା ଓ ବାଣିଜ୍ୟ ସଂକୁଚିତ ଆରମ୍ଭ ହେବା ନେଇ ଆଶଙ୍କା ରହିଛି। ଏସବୁ ସତ୍ତ୍ବେ ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ କରି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେଇଥିବାରୁ ଆଗାମୀ ଦିନରେ ମଧ୍ୟ ଏହି ହ୍ରାସ ଜାରି ରହିବ ବୋଲି ଅର୍ଥନୀତି ବିଶାରଦମାନେ ମତ ରଖିଛନ୍ତି। ତେବେ ଅର୍ଥନୀତି ପ୍ରତି କେନ୍ଦ୍ରୀୟ ବ୍ୟାଙ୍କର ଦୃଷ୍ଟିକୋଣକୁ ପୂର୍ବବତ୍‌ ନିରପେକ୍ଷରେ ଅପରିବର୍ତ୍ତିତ ରଖାଯାଇଛି। ଏଥିସହିତ ମୁଦ୍ରାନୀତି କମିଟି ଆଜି ଆସନ୍ତା ଆର୍ଥିକବର୍ଷ ଅର୍ଥାତ୍‌ ୨୦୨୫-୨୬ ପାଇଁ ଦେଶର ଅଭିବୃଦ୍ଧି ୬.୭ ପ୍ରତିଶତ ରହିବା ନେଇ ଆକଳନ କରିଛି। ସେହିଭଳି ଆସନ୍ତା ଆର୍ଥିକବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ୪.୪ ପ୍ରତିଶତକୁ କମିବା ନେଇ ପୂର୍ବାନୁମାନ କରାଯାଇଛି। ମୁଦ୍ରାନୀତି କମିଟିର ଆସନ୍ତା ବୈଠକ ଏପ୍ରିଲ ୭ରୁ ୯ ତାରିଖ ପର୍ଯ୍ୟନ୍ତ ହେବ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟିର ୫୩ତମ ବୈଠକ ଫେବ୍ରୁଆରି ୫ରୁ ୭ ତାରିଖ ପର୍ଯ୍ୟନ୍ତ ହୋଇଥିଲା।