ଆସନ୍ତା ବର୍ଷ ମଧ୍ୟବିତ୍ତଙ୍କୁ ମିଳିପାରେ ଟିକସ ରିହାତି

ନୂଆଦିଲ୍ଲୀ : ଚଳିତବର୍ଷ ବଜେଟ୍‌ରେ ମଧ୍ୟବିତ୍ତ ବର୍ଗ ଖୁସି ହେବା ଭଳି କିଛି ଘୋଷଣା କରାଯାଇନଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରୁଥିବା ବେଳେ ଆସନ୍ତା ବର୍ଷ ଦେଶର ଏହି ବର୍ଗର ଲୋକମାନଙ୍କୁ ଟିକସ ରିହାତି ମିଳିବାର ସମ୍ଭାବନା ରହିଛି। ବିଜନେସ୍‌ ଟୁଡେ ୱେବସାଇଟ୍‌ ସହିତ ଆଲୋଚନା କରିବା ଅବସରରେ ରାଜସ୍ବ ସଚିବ ତରୁଣ ବଜାଜ ଏଭଳି କିଛି ଇଙ୍ଗିତ କରିଛନ୍ତି। ସେ କହିଛନ୍ତି ଯେ ଯଦି ଅର୍ଥନୀତିର ଗତି ଆଗକୁ ବଢ଼ିବା ଜାରି ରହିବା, ଜିଡିପି ଅଭିବୃଦ୍ଧି ଉନ୍ନତ ରହିବ, ଆୟ ବଢ଼ିବ ଏବଂ ଭଲ ବ୍ୟୟ ହେବ ତେବେ ଆସନ୍ତା ବର୍ଷ କିମ୍ବା ତା’ ପର ବର୍ଷ ମଧ୍ୟବିତ୍ତ ବର୍ଗଙ୍କୁ ଟିକସ ରିହାତି ଦେବା ବିୟେରେ ବିଚାର କରାଯାଇପାରିବ।

‌ଶ୍ରୀ ବଜାଜ କହିଛନ୍ତି ଯେ ସରକାରଙ୍କ ପାଇଁ ଏବେ କଠିନ ସମୟ ରହିଛି। ଟିକସଦାତାଙ୍କୁ ରିହାତି ଦେବେ ନା ଟିକସ ଜରିଆରେ ହେଉଥିବା ଆୟକୁ ସମ୍ବେଦନଶୀଳ ବର୍ଗଙ୍କ ଉନ୍ନତି ଦିଗରେ ଖର୍ଚ୍ଚ କରିବେ ସେହି ଦୁଇ ବିକଳ୍ପ ମଧ୍ୟରୁ ଗୋଟିଏ ଚୟନ କରିବା ସରକାରଙ୍କ ପାଇଁ କଷ୍ଟକର ହେଉଛି। ଅର୍ଥନୀତିର ଗତି ଆଗକୁ ବଢ଼ାଇବା ଲାଗି ପୁଞ୍ଜି ବ୍ୟୟ ଜାରି ରଖିବା ଉଚିତ ହେବ ବୋଲି ସରକାର ଭାବୁଛନ୍ତି।

ଅନ୍ୟ ଏକ ସୂତ୍ରରୁ ସୂଚନା ମିଳିଛି ଯେ ଆୟକର ରିଟର୍ଣ୍ଣ ଦାଖଲ ପ୍ରକ୍ରିୟାକୁ ଆସନ୍ତା ବର୍ଷ ଠାରୁ ଆହୁରି ସରଳ କରାଯିବ। ଟିକସଦାତାଙ୍କ ବହୁ ତଥ୍ୟ ସରକାରଙ୍କ ପାଖରେ ରହିଛି। ତାହାକୁ ଆଗୁଆ ପୂରଣ କରିବା ବ୍ୟବସ୍ଥା କରାଯିବ। ଫଳରେ ଆୟକର ରିଟର୍ଣ୍ଣ ଦାଖଲ କରିବାରେ ଦରକାର ହେଉଥିବା ସମୟ ସଞ୍ଚୟ ହୋଇପାରିବ। ଲୋକମାନଙ୍କ ବ୍ୟାଙ୍କ ଖାତା, ସମ୍ପତ୍ତି ବିକ୍ରି, ଇକ୍ବିଟି ଆଦି ତଥ୍ୟ ସରକାରଙ୍କ ପାଖରେ ରହିଛି। ତାହାକୁ ବ୍ୟବହାର କରି ସରକାର ଲୋକଙ୍କୁ ଟିକସର ଆଗୁଆ ହିସାବ ଦେବେ। ଟିକସଦାତାମାନେ ଚାହିଲେ ସେହି ତଥ୍ୟକୁ ବଦଳାଇ ନିଜର ଟିକସକୁ ପୁନର୍ବାର ହିସାବ କରିପାରିବେ।

ଗତ ଦୁଇବର୍ଷ ଧରି ମହାମାରୀ ପ୍ରଭାବରେ ଜୀବିକା ହରାଇଥିବା ଏବଂ ଆୟ କମ୍ ହୋଇଯାଇଥିବା ମଧ୍ୟବିତ୍ତ ପରିବାରଗୁଡ଼ିକ ଚଳିତ ବର୍ଷ ବଜେଟ୍‌ରୁ ଟିକସ ରିହାତି ଆଶା କରୁଥିଲେ। କିନ୍ତୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେମାନଙ୍କୁ ନିରାଶ କରିଛନ୍ତି। ଏକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ ବଜେଟ୍‌ରେ ଟିକସ ରିହାତି ମିଳିନଥିବାରୁ ୬୨% ଲୋକ ନିରାଶ ହୋଇଥିବା ବେଳେ ଅନ୍ୟ ୨୭% ଲୋକ ସରକାରଙ୍କୁ ସମର୍ଥନ କରିଛନ୍ତି। କୌଣସି ରିହାତିଦେବା ଭଳି ସ୍ଥିତିରେ ସରକାର ନାହାନ୍ତି ବୋଲି ସେମାନେ କହିଛନ୍ତି।

ଟିକସ ଠକେଇକୁ ରୋକିବା ଲାଗି ମଧ୍ୟ ସରକାର ଏକ ବଳିଷ୍ଠ ଯୋଜନା ଉପରେ କାର୍ଯ୍ୟ କରୁଥିବା ଶ୍ରୀ ବଜାଜ କହିଛନ୍ତି। ଟିକସ ଠକଙ୍କୁ ଧରିବା ଲାଗି ଆୟ ଉତ୍ସରୁ ଟିକସ କାଟ (ଟିଡିଏସ୍‌)କୁ ଏକ ବଡ଼ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ସରକାର ଚାହୁଛନ୍ତି। ୨-୧୦ ପ୍ରତିଶତ ଭଳି ଏହି ଟିକସ ଆୟକର ବିଭାଗକୁ ଲୋକମାନଙ୍କ ଟିକସ ପରିସରଭୁକ୍ତ ଆୟ ବିଷୟରେ ଯଥେଷ୍ଟ ପରିମାଣର ସୂଚନା ଦେଉଛି। ସେହି ସବୁ ଲୋକମାନେ ଯେଭଳି ଆୟକର ରିଟର୍ଣ୍ଣ ଦାଖଲ କରିବେ ତାହାକୁ ନିଶ୍ଚିତ କରିବା ଲାଗି ସରକାର ଏକ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ଯଦି ଯେଭଳି ଲୋକ ଆୟକର ରିଟର୍ଣ୍ଣ ଦାଖଲ କରୁନଥିବା ଜଣାପଡ଼ିବ ସେମାନଙ୍କ ପାଇଁ ଟିଡିଏସ୍‌ ହାରକୁ ଦୁଇ ଗୁଣା ବଢ଼ାଇ ଦିଆଯିବ। ସେହି ବ୍ୟବସ୍ଥା ଆସନ୍ତା ବର୍ଷ ଠାରୁ ଲାଗୁ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଟିକସ ହିସାବ ବେଳେ ଯେଉଁ ସବୁ ଛାଡ଼ ସୁବିଧା ଦିଆଯାଉଛି ସେହି ବ୍ୟବସ୍ଥାକୁ ସରକାର ଧୀରେ ଧୀରେ ବନ୍ଦ କରିବେ। ଗତବର୍ଷ ବଜେଟ୍‌ରୁ ନୂତନ ଆୟକର ବ୍ୟବସ୍ଥା ଲାଗୁ କରାଯାଇଛି ଯେଉଁଥିରେ ଛାଡ଼ ସୁବିଧା ‌ନେବାକୁ ଚାହୁନଥିବା ଟିକସଦାତାଙ୍କ ପାଇଁ ଅଲଗା ସ୍ଲାବ୍ ସୃଷ୍ଟି କରାଯାଇଛି। ଯେଉଁ ଲୋକମାନଙ୍କ ବାର୍ଷିକ ଆୟ ୮-୯ ଲକ୍ଷ ଟଙ୍କାରୁ କମ୍ ରହୁଛି ସେମାନେ ପୁରୁଣା ବ୍ୟବସ୍ଥା ଅନୁସାରେ ଆୟକର ରିଟର୍ଣ୍ଣ ଫାଇଲ୍‌ କରୁଛନ୍ତି। ବିନା ଛାଡ଼ର ଟିକସ ବ୍ୟବସ୍ଥାକୁ ସେମାନେ ଗ୍ରହଣ କରୁନାହାନ୍ତି। ବିଭିନ୍ନ ପ୍ରକାର ଛାଡ଼ ଜରିଆରେ ସେମାନେ ନିଜ ଆୟକୁ ଏଭଳି ଏକ ସ୍ତରରେ ରଖିବାକୁ ଉଦ୍ୟମ କରୁଛନ୍ତି ଯଦ୍ବାରା ସେମାନଙ୍କୁ ଟିକସ ଗଣିବାକୁ ପଡ଼ୁନାହିଁ। ଯେଉଁ ‌େଲାକମାନଙ୍କ ଆୟ ଏହା ଠାରୁ ଅଧିକ ଏବଂ ସେମାନେ ଗୃହ ଋଣ କିମ୍ବା ଅନ୍ୟାନ୍ୟ ସୁବିଧା ନେଇନାହାନ୍ତି ସେମାନେ ନୂଆ ବ୍ୟବସ୍ଥା ଅନୁସାରେ ଅତି ସରଳ ଭାବେ ଆୟକର ରିଟର୍ଣ୍ଣ ଦାଖଲ କରୁଛନ୍ତି ବୋଲି ଶ୍ରୀ ବଜାଜ କହିଛନ୍ତି। ସେ ଏହା ମଧ୍ୟ ଆଶା ପ୍ରକଟ କରିଚନ୍ତି ଯେ ଦୀର୍ଘଦିନ ଧରି ଲଟକି ରହିଥିବା ପ୍ରତ୍ୟକ୍ଷ ଟିକସ କୋଡ୍ ୨୦୨୪ ସୁଦ୍ଧା ଉପସ୍ଥାପିତ ହୋଇଯିବ।

ସମ୍ବନ୍ଧିତ ଖବର