ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଭଳି ସ୍ଥିତି ଯୋଗୁ ଅନ୍ତର୍ଜାତୀୟ ବଜାରର ତେଲ ବଜାରରେ ନିଆଁ ଲାଗିଛି। ବ୍ରେଣ୍ଟ୍ କ୍ରୁଡ୍ ଦାମ୍ ଆଜି ବ୍ୟାରେଲ ପିଛା ୧.୫୨ ଡଲାର ବା ୨.୦୬ ପ୍ରତିଶତ ବୃଦ୍ଧି ଘଟି ୭୫.୪୨ ଡଲାରରେ ପହଞ୍ଚିଛି। ସେହିଭଳି ୱେଷ୍ଟ ଟେକ୍ସାସ୍ ଇଣ୍ଟରମିଡିଏଟ୍ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧.୫୮ ଡଲାର ବା ୨.୨୫ ପ୍ରତିଶତ ବୃଦ୍ଧି ଘଟି ୭୧.୬୮ ଡଲାରରେ ପହଞ୍ଚିଛି। ଇସ୍ରାଏଲ ଉପରେ ଗତ ମଙ୍ଗଳବାର ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହାର ଜବାବ ଇସ୍ରାଏଲ ଦେବାକୁ ପ୍ରସ୍ତୁତ ହେଉଛି। ଇସ୍ରାଏଲ ମୁଖ୍ୟତଃ ଇରାନର ତୈଳ ବିଶୋଧନାଗାର ଓ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ଆକ୍ରମଣ କରିପାରେ। ଏହା ହେଲେ ଇରାନ-ଇସ୍ରାଏଲ ଯୁଦ୍ଧ ଭୟଙ୍କର ରୂପ ନେବ। ଏଥିସହିତ ଇରାନ ହର୍ମୁଜ୍ ପ୍ରଣାଳୀ ଉପରେ ଆକ୍ରମଣ କରି ତେଲ ପରିବହନକୁ ପ୍ରଭାବିତ କରିପାରେ। ଏହି ପ୍ରଣାଳୀ ଦେଇ ଦୈନିକ ବିଶ୍ବର ଏକ ପଞ୍ଚମାଂଶ ତୈଳ ଯୋଗାଣ ହୋଇଥାଏ।
ଆଶଙ୍କା କାରଣରୁ ଅଶୋଧିତ ତେଲ ଦର ବଢ଼ିବାରେ ଲାଗିଛି। ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଇରାନକୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଏହାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି। ଏହାର ଜବାବରେ ତେହରାନ କହିଛି ଯେ କୌଣସି ପ୍ରକାର ଆକ୍ରମଣ ହେଲେ ବିରାଟ ଧ୍ବଂସ ରଚନା କରାଯିବ। ଏଥିଯୋଗୁ ଇରାନ-ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଏକ ବ୍ୟାପକ ଯୁଦ୍ଧର ରୂପ ନେବ। ରୁଷ୍ରୁ ଭାରତର ତୈଳ ଆମଦାନି ବୃଦ୍ଧି ପାଉଥିଲେ ମଧ୍ୟ ମଧ୍ୟ ପ୍ରାଚ୍ୟ ଉପରେ ଏହାର ନିର୍ଭରଶୀଳତା ରହିଛି। ଅଗଷ୍ଟ ମାସରେ ରୁଷ୍ରୁ ଭାରତ ଆମଦାନି କରୁଥିବା ଅଶୋଧିତ ତେଲର ପରିମାଣ ପ୍ରାୟ ୩୬ ପ୍ରତିଶତକୁ ହ୍ରାସ ପାଇଛି। ଜୁଲାଇରେ ଏହା ୪୪ ପ୍ରତିଶତ ରହିଥିଲା। ଅନ୍ୟପକ୍ଷରେ ଅଗଷ୍ଟ ମାସରେ ମଧ୍ୟପ୍ରାଚ୍ୟରୁ ଭାରତ ଏହାର ମୋଟ ତେଲ ଆମଦାନିର ୪୪.୬ ପ୍ରତିଶତ ଆମଦାନି କରିଥିଲା। ଜୁଲାଇରେ ତାହା ୪୦.୩ ପ୍ରତିଶତ ରହିଥିଲା। ମଧ୍ୟପ୍ରାଚ୍ୟରେ ଇରାକ, ସାଉଦି ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କୁଏତ ହେଉଛନ୍ତି ଭାରତର ମୁଖ୍ୟ ତୈଳ ଯୋଗାଣକାରୀ ରାଷ୍ଟ୍ର। ଭାରତ ଏହାର ମୋଟ ତେଲ ଆବଶ୍ୟକତାର ୮୦ ପ୍ରତିଶତରୁ ଅଧିକ ଆମଦାନି ମାଧ୍ୟମରେ ପୂରଣ କରିଥାଏ। ଅନ୍ତର୍ଜାତୀୟ ବଜାରରେ ଏହାର ଦର ବଢ଼ିଲେ ଭାରତରେ ମୁଦ୍ରାସ୍ଫୀତି ବଢ଼ିବ ଏବଂ ଅର୍ଥନୈତିକ ଅଭିବୃଦ୍ଧି କମିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/oil-1.jpg)