ଭାରତରେ ରହୁଥିବା ପରିବାରର ବିଲ୍‌ ପେମେଣ୍ଟ କରିପାରିବେ ପ୍ରବାସୀ ଭାରତୀୟ

ମୁମ୍ବାଇ : ଭାରତରେ ରହୁଥିବା ପରିବାରର ଅନ୍ୟ ସଦସ୍ୟମାନଙ୍କ ବିଜୁଳି, ଟେ‌ଲିଫୋନ ବିଲ୍ ସମେତ ଶିକ୍ଷା ଫି’ ପ୍ରବାସୀ ଭାରତୀୟମାନେ ଆଗାମୀ ଦିନରେ ପ୍ରଦାନ କରିପାରିବେ। ଭାରତ ବିଲ୍ ପେମେଣ୍ଟ ସିଷ୍ଟମ (ବିବିପିଏସ୍‌) ଜରିଆରେ ଏହି ସୁବିଧା ପ୍ରବାସୀ ଭାରତୀୟମାନଙ୍କୁ ମଳିବ। ମୁଦ୍ରାନୀତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏ ସଂପର୍କରେ ଆଜି ସୂଚନା ଦେଇଛନ୍ତି। ଏହାଦ୍ବାରା ଭାରତରେ ରହୁଥିବା ସେମାନଙ୍କ ପରିବାର ସଦସ୍ୟ, ବିଶେଷକରି ବରିଷ୍ଠ ନାଗରିକମାନେ ଅନେକ ମାତ୍ରାରେ ଆଶ୍ବସ୍ତ ଅନୁଭବ କରିବେ।

ଲୋକଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ବିଲ୍ ପ୍ରଦାନ କରୁଥିବା ୨୦ ହଜାରରୁ ଅଧିକ ସଂସ୍ଥା ଏହି ବିବିପିଏସ୍‌ରେ ଏବେ ସାମିଲ ଅଛନ୍ତି। ମାସିକ ପାଖାପାଖି ୮ କୋଟିରୁ ଅଧିକ କାରବାର ଏହା ମାଧ୍ୟମରେ ହେଉଛି। ଗଭର୍ଣ୍ଣର ଶକ୍ତିକାନ୍ତଙ୍କ କହିବାନୁଯାୟୀ ବିବିପିଏସ୍‌ ଭାରତୀୟଙ୍କ ବିଲ୍ ପ୍ରଦାନ ଅନୁଭୂତିରେ ଅନେକ ପରିବର୍ତ୍ତନ ଆଣିଛି। ଦେଶ ବାହାରେ ରହୁଥିବା ଭାରତୀୟମାନେ ଯେଭଳି ବିଲ୍ ପ୍ରଦାନ କରିପାରିବେ ସେଥିପାଇଁ ପ୍ରସ୍ତାବ ରଖାଯାଇଛି ବୋଲି ସେ କହିଛନ୍ତି। ଏହାଦ୍ବାରା ବରିଷ୍ଠ ନାଗରିକମାନେ ବହୁଳମାତ୍ରାରେ ଉପକୃତ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ରିଜର୍ଭ ବ୍ୟାଙ୍କ ଖୁବ୍‌ଶୀଘ୍ର ଏ ସଂପର୍କରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବ।

ସମ୍ବନ୍ଧିତ ଖବର