ଟ୍ରେନ୍ରେ ଫେରୁଛନ୍ତି ପ୍ରବାସୀ ଶ୍ରମିକ, ଆସନ୍ତା ୧୦ ଦିନରେ ଆଉ ୨୯ ଲକ୍ଷ ଯାତ୍ରୀ ଯାତ୍ରା କରିବେ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ଲକ୍ଡାଉନ୍ କଟକଣା କୋହଳ ହେବା ପରେ ପ୍ରବାସୀ ଶ୍ରମିକମାନେ ପୁଣି ଥରେ ସହର ମୁହାଁ ହୋଇଛନ୍ତି। ସେମାନଙ୍କୁ ଜୀବିକା ସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବାରେ ଭାରତୀୟ ରେଳ ପ୍ରମୁଖ ଭୂମିକା ନିର୍ବାହ କରୁଛି। ବିଗତ ସାତ ଦିନରେ ଦୂରଗାମୀ ଏକ୍ସପ୍ରେସ୍ ଟ୍ରେନ୍ରେ ୩୨.୫୬ ଲକ୍ଷ ଯାତ୍ରୀ ଯାତ୍ରା କରିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରବାସୀ ଶ୍ରମିକ ମଧ୍ୟ ରହିଛନ୍ତି। ଟ୍ରେନ୍ରେ ପୂର୍ବ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆସାମ ଭଳି ରାଜ୍ୟରୁ ଲୋକମାନେ ଦିଲ୍ଲୀ, ମୁମ୍ବାଇ, ପୁନେ, ସୁରଟ, ଅହମ୍ମଦାବାଦ ଓ ଚେନ୍ନାଇ ଭଳି ସ୍ଥାନକୁ ଯାତ୍ରା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବିଭିନ୍ନ ରାଜ୍ୟର ପ୍ରବାସୀ ଶ୍ରମିକମାନଙ୍କୁ ସହରରେ ପହଞ୍ଚାଇବା ଲାଗି ମେଲ୍/ ଏକ୍ସପ୍ରେସ୍ ସ୍ବତନ୍ତ୍ର, ଛୁଟିିଦିନ ସ୍ବତନ୍ତ୍ର, ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ୍ ଆଦି ଚଳାଚଳ କରାଯାଉଛି। କୋଭିଡ୍ କଟକଣାକୁ ନଜରରେ ରଖି କେବଳ ସଂରକ୍ଷିତ ଟିକଟଧାରୀଙ୍କୁ ଏହି ଟ୍ରେନ୍ଗୁଡ଼ିକରେ ଯାତ୍ରା କରିବାର ସୁବିଧା ଦିଆଯାଉଛି। ଜୁନ୍ ୧୮ ସୁଦ୍ଧା ୯୮୩ଟି ମେଲ୍/ଏକ୍ସପ୍ରେସ୍ ଓ ଛୁଟିଦିନ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିଛି। ଏହା ବ୍ୟତୀତ ୧୩୦୯ଟି ଗ୍ରୀଷ୍ମ ଋତୁ ସ୍ବତନ୍ତ୍ର ଟ୍ରେନ୍ରେ ମଧ୍ୟ ଯାତ୍ରୀମାନେ ଯାତ୍ରା କରିଛନ୍ତି। ଓଡ଼ିଶା ଭଳି ରାଜ୍ୟର ଯାତ୍ରୀଙ୍କୁ ଏହା ଦେଶର ବିଭିନ୍ନ ସହରରେ ପହଞ୍ଚାଇଛି। ଆସନ୍ତା ୧୦ ଦିନରେ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାର ୨୯.୧୫ ଲକ୍ଷ ଯାତ୍ରୀ ଦିଲ୍ଲୀ, ମୁମ୍ବାଇ, ପୁନେ, ସୁରଟ, ଅହମ୍ମଦାବାଦ ଓ ଚେନ୍ନାଇକୁ ଯାତ୍ରା କରିବା ଲାଗି ଟିକଟ ବୁକିଙ୍ଗ୍ କରିଛନ୍ତି। ଜୋନାଲ୍ ରେଲ୍ୱେଗୁଡ଼ିକ ଶିଳ୍ପ ସଂଘ ଓ ବ୍ୟାବସାୟିକ ସଂସ୍ଥା ସହିତ ଯୋଗାଯୋଗରେ ରହି ସେମାନଙ୍କ ଚାହିଦା ଜାଣିବାକୁ ଉଦ୍ୟମ କରୁଛନ୍ତି ଏବଂ ସେହି ଅନୁସାରେ ଶ୍ରମିକମାନଙ୍କ ଯାତ୍ରା ଲାଗି ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରୁଛନ୍ତି। ଭୁବନେଶ୍ବର-ପୁନେ ଭଳି ବହୁ ଗ୍ରୀଷ୍ମ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିଛି।