ପ୍ରବାସୀ ଶ୍ରମିିକ ପୁଣି ସହର ମୁହାଁ: ମନରେଗା କାମ ଚାହିଦା କମିଲା, ୨୯% ଶ୍ରମିକ ସହର ଫେରିଲେଣି

ନୂଆଦିଲ୍ଲୀ: କରୋନା ସଙ୍କଟର ମୁକାବିଲା ଲାଗି ଘୋଷଣା କରାଯାଇଥିବା ଲକ୍‌ଡାଉନ୍ ପ୍ରଭାବରେ ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିଆସିଥିଲେ। ଦୀର୍ଘଦିନ କାମଧନ୍ଦା‌ ନପାଇ ବସି ରହିବା ପରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ପୁଣି ସହର ମୁହାଁ ହୋଇଛନ୍ତି। ଘରକୁ ଫେରିଥିବା ପ୍ରାୟ ୨୯% ପ୍ରବାସୀ ଶ୍ରମିକ ସହରକୁ ଫେରିଛନ୍ତି। ଆଉ ୪୫ ପ୍ରତିଶତ ଶ୍ରମିକ ସହରକୁ ଫେରିବା ବିଷୟରେ ଚିନ୍ତା କରୁଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି।

ପ୍ରାୟ ପାଞ୍ଚଟି ଏନ୍‌ଜିଓ ମିଳିତ ଭାବେ ୧୧ଟି ରାଜ୍ୟର ୪୮ଟି ଜିଲ୍ଲାରେ ଥିବା ୪୮୩୫ ପରିବାରକୁ ନେଇ ଏକ ସର୍ଭେ କରିଥିଲେ। ଗତ ଜୁନ୍ ୨୪ରୁ ଜୁଲାଇ ୮ ଭିତରେ ଏହି ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ଘରକୁ ଫେରିଥିବା ୨୯% ପ୍ରବାସୀ ଶ୍ରମିକ ପୁଣି ସହରକୁ ଲେଉଟିଯାଇଛନ୍ତି। ନିଜ ଗ୍ରାମରେ କୁଶଳୀ ଶ୍ରମିକଙ୍କ ପାଇଁ କାମଧନ୍ଦାର ଅଭାବ ଥିବାରୁ ସେମାନେ ସହର ଫେରିବାକୁ ବାଧ୍ୟ ହେଉଛନ୍ତି। ଯେଉଁ ସବୁ ପ୍ରବାସୀ ଶ୍ରମିକ ନିଜ ଗ୍ରାମକୁ ଫେରିଥିଲେ ସେମାନଙ୍କୁ ଶ୍ରମ ଭିତ୍ତିକ କାର୍ଯ୍ୟ ଦିଆଯାଇଥିଲା। ଯେଉଁମାନେ କୁଶଳୀ ସେମାନଙ୍କୁ କାମ ମିଳିନଥିଲା। ଗ୍ରାମାଞ୍ଚଳରେ ଥିବା ଏକ ଚତୁର୍ଥାଂଶ ପ୍ରବାସୀ ଶ୍ରମିକ ଏବେବି କାମଧନ୍ଦା‌ ଖୋଜୁଛନ୍ତି ବୋଲି ଏହି ସର୍ଭେରୁ ଜଣାପଡ଼ିଛି।

ଏହି ସର୍ଭେ ପ୍ରବାସୀ ଶ୍ରମିକଙ୍କ ସ୍ଥିତିକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛି। ପ୍ରତି ଚାରି ପରିବାର ମଧ୍ୟରୁ ଅତି କମ୍‌ରେ ଗୋଟିଏ ପରିବାର ନିଜ ପିଲାଙ୍କ ପାଠପଢ଼ା ଅଧାରୁ ବନ୍ଦ କରିବା ଉପରେ ବିଚାର କରୁଛନ୍ତି। ସର୍ଭେରେ ଭାଗ ନେଇଥିବା ୪୩ ପ୍ରତିଶତ ପରିବାର କହିଛନ୍ତି ଯେ ସେମା‌ନେ ଭୋଜନ ମାତ୍ରା କମ୍ କରିଛନ୍ତି। ପ୍ରାୟ ୫୩ ପ୍ରତିଶତ ଲୋକ ପୂର୍ବାପେକ୍ଷା କମ୍ ଖାଦ୍ୟ ଖାଉଛନ୍ତି। ତେବେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସରକାର ମାଗଣାରେ ଖାଦ୍ୟଶସ୍ୟ ଯୋଗାଇବା ପରେ ଲକ୍‌ଡାଉନ୍ ତୁଳନାରେ ଲୋକମାନଙ୍କ ଖାଦ୍ୟ ଗ୍ରହଣରେ ଉନ୍ନତି ପରିଲକ୍ଷିତ ହୋଇଛି। କରୋନା ପ୍ରଭାବରେ ଗ୍ରାମାଞ୍ଚଳରେ ଲୋକମାନଙ୍କ ଆର୍ଥିକ ସ୍ଥିତି ବହୁତ ବିଗିଡ଼ିଯାଇଥିବା ଏହି ସର୍ଭେରୁ ଜଣାପଡ଼ିଛି। ଅର୍ଥ ଯୋଗାଡ଼ କରିବା ଲାଗି ୬ ପ୍ରତିଶତ ପରିବାର କିଛି ନା କିଛି ସାମଗ୍ରୀ ବନ୍ଧକ ରଖିଥିବା ବେଳେ ୧୫ ପ୍ରତିଶତ ପରିବାର ପଶୁସମ୍ପଦ ବିକ୍ରି କରିଛନ୍ତି। ଦୁଇ ପ୍ରତିଶତ ଲୋକ ନିଜ ଜମି ବନ୍ଧକ ରଖିଥିବା ବେଳେ ଏକ ପ୍ରତିଶତ ଲୋକ ଜମି ବିକ୍ରି କରିଛନ୍ତି। ୧୦ ପ୍ରତିଶତ ପରିବାର ନିଜ ବନ୍ଧୁ ପରିଜନଙ୍କ ଠାରୁ ଧାର ସୂତ୍ରରେ ଟଙ୍କା ଆଣିଥିବା ବେଳେ ୭ ପ୍ରତିଶତ ଲୋକ ମହାଜନ ଠାରୁ ଋଣ ଆଣିଛନ୍ତି।

ଗାଁରେ ମିଳୁନି କାମଧନ୍ଦା
୨୯% ଶ୍ରମିକ ସହର ଫେରିଲେଣି
ପିଲାଙ୍କ ପାଠପଢ଼ା ଅଧାରୁ ବନ୍ଦ କରିବାକୁ ବିଚାର କରୁଛନ୍ତି

ନୂଆଦିଲ୍ଲୀ: ଦେଶରେ ଲକ୍‌ଡାଉନ୍ ଘୋଷଣା ହେବାର ପରବର୍ତୀ ଚାରି ମାସ ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ କାମ ପାଇଁ ଚାହିଦା ବହୁତ ବଢ଼ିଥିଲା। ମାତ୍ର ଗତ ଜୁଲାଇରେ ମନରେଗା କାମ ଚାହିଦାରେ ୩୧ ପ୍ରତିଶତ ଭଳି ବଡ଼ ଧରଣର ହ୍ରାସ ଘଟିଛି। ଗତ ଜୁନ୍‌ରେ ମନରେଗା କାର୍ଯ୍ୟର ଚାହିଦା ଶୀର୍ଷରେ ପହଞ୍ଚିଥିଲା। ମାତ୍ର ଅନ୍‌ଲକ୍‌ ପ୍ରକ୍ରିୟାରେ ବିଭିନ୍ନ ସ୍ଥାନରେ ଶିଳ୍ପ କଳ କାରଖାନାରେ କାର୍ଯ୍ୟ ଧୀରେ ଧୀରେ ଆରମ୍ଭ ହେଉଥିବାରୁ ଶ୍ରମିକମାନେ ସେହି ଆଡ଼କୁ ମୁହାଁଇବା ଆରମ୍ଭ କରିଛନ୍ତି। ଚାଷ କାର୍ଯ୍ୟରେ ମଧ୍ୟ ଅନେକ ଲୋକ ନିୟୋଜିତ ହୋଇଛନ୍ତି। ସେଥିପାଇଁ ଗ୍ରାମାଞ୍ଚଳରେ ମନରେଗା କାମର ଚାହିଦା କମ୍ ହେବାରେ ଲାଗିଥିବା ଅନୁମାନ କରାଯାଉଛି। ଗତ ଜୁନ୍‌ରେ ୬ କୋଟି ୨୦ ଲକ୍ଷ ଲୋକ ମନରେଗାରେ କାମ ମାଗିଥିଲେ। ମାତ୍ର ଜୁଲାଇରେ ସେମାନଙ୍କ ସଂଖ୍ୟା ୩୧.୩ ପ୍ରତିଶତ ହ୍ରାସ ପାଇ ୪.୨୫ କୋଟିରେ ପହଞ୍ଚିଛି। ମେ’ ମାସରେ ୫.୨୧ କୋଟି ଲୋକ କାମ ମାଗିଥିଲେ। ମନରେଗା ଅଧୀନରେ ଦିଆଯାଉଥିବା କାମ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଶ୍ରମ ବିଶେଷଜ୍ଞ କେ ଆର୍‌ ଶ୍ୟାମ ସୁନ୍ଦର କହିଛନ୍ତି ଯେ, ଅନଲକ୍‌ ପ୍ରକ୍ରିୟାରେ ସହରାଞ୍ଚଳରେ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଗାଁକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ ପୁଣି ସହର ମୁହାଁ ହୋଇଛନ୍ତି। ସେମାନେ ପୂର୍ବରୁ ଯେଉଁ କାର୍ଯ୍ୟ କରୁଥିଲେ ସେଠାରେ ପୁଣିଥରେ ଯୋଗ ଦେବାକୁ ଯାଉଛନ୍ତି। ସେଥିପାଇଁ ମନରେଗା କାର୍ଯ୍ୟର ଚାହିଦା କମ୍ ହୋଇଛି।

କଳ କାରଖାନାରେ କାମ ପାଇଁ ସହର ଫେରୁଛନ୍ତି
ଚାଷ କାମରେ ଅଧିକ ଲୋକ ନିୟୋଜିତ
ବିଭିନ୍ନ ରାଜ୍ୟରେ ବନ୍ୟା ପାଇଁ କାମ ହୋଇପାରୁନି

ଘରୋଇ ସଂସ୍ଥା ସେଣ୍ଟର ଫର ମନିଟରିଂ ଇଣ୍ଡିଆନ୍ ଇକୋନମି (ସିଏମ୍‌ଆଇଇ) ତଥ୍ୟ ଅନୁଯାୟୀ, ଲକ୍‌ଡାଉନ୍ ଘୋଷଣା ହେବା ପରେ ଗତ ଏପ୍ରିଲ୍‌ରେ ୧୨.୨ କୋଟି ଲୋକ ଜୀବିକା ହରାଇଥିଲେ। ତେବେ ଜୁନ୍ ସୁଦ୍ଧା ୯୧ ନିୟୁତ ଲୋକ କର୍ମ କ୍ଷେତ୍ରରେ ପୁନର୍ବାର ଯୋଗଦେବାରେ ସଫଳ ହୋଇଛନ୍ତି। ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ପ୍ରଫେସର ହିମାଂଶୁ କହିଛନ୍ତି, ଚାଷ କାର୍ଯ୍ୟରେ ଅଧିକ ଲୋକ ନିୟୋଜିତ ହୋଇଥିବାରୁ ମନରେଗା କାମର ଚାହିଦା କମ୍ ହୋଇଥାଇପାରେ। ଏହା ହୋଇଥିଲେ ଅଗଷ୍ଟ ମଧ୍ୟ ଭାଗ ପର୍ଯ୍ୟନ୍ତ ଚାହିଦା କମ୍ ରହିବ। ଏହା ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ବନ୍ୟା ହୋଇଥିବାରୁ କୌଣସି ପ୍ରକାର କାର୍ଯ୍ୟ ହୋଇପାରୁନାହିଁ। ସେହି ସବୁ ସ୍ଥାନରେ ମନରେଗା କାମର ଚାହିଦା ହ୍ରାସ ପାଇଥାଇପାରେ ବୋଲି ସେ ଅନୁମାନ ଲଗାଇଛନ୍ତି। କରୋନା ସଙ୍କଟର ମୁକାବିଲା ଲାଗି ଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପରେ ବିପୁଳ ସଂଖ୍ୟାରେ ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରିଆସିଥିଲେ। ସେମାନଙ୍କ ଦୟନୀୟ ସ୍ଥିତି ସାରା ବିଶ୍ବ ଦେଖିଥିଲା। ପ୍ରବାସୀ ଶ୍ରମିକଙ୍କୁ ମନରେଗା ଜରିଆରେ କାମ ଦେବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ଏହି ଯୋଜନାର ବ୍ୟୟବରାଦକୁ ୬୧ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ସମ୍ବନ୍ଧିତ ଖବର