ଆମ ଦେଶରେ ନୁହେଁ ଭାରତରେ ଆତଙ୍କବାଦ କାୟା ବିସ୍ତାର କରୁଛି : ପାକିସ୍ତାନ

ଓ୍ଵାସିଂଟନ: ଯେତେବେଳେ ବିଶ୍ୱ ସମୁଦାୟ ଆତଙ୍କବାଦ ଦମନ ପାଇଁ ପାକିସ୍ତାନ ଉପରେ ଚାପ ପକାନ୍ତି, ସେତେବେଳେ ପାକିସ୍ତାନ ଭାରତ କଥା ଉଠାଇ ପ୍ରସଙ୍ଗକୁ ଅନ୍ୟ ଆଡକୁ ନେଇଯିବାକୁ ଚେଷ୍ଟାକରେ । ଗତ କିଛି ଦିନ ଧରି ଆତଙ୍କବାଦୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ ଉପରେ ଆମେରିକା ଓ ଜାତିସଂଘର ଚାପ ଅନେକ ବଢିଯାଇଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନକଲେ ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଧମକ ଦେଇଛନ୍ତି । ଏହାଫଳରେ ପାକିସ୍ତାନ ଚିନ୍ତିତ ହୋଇପଡିଛି । ଫଳରେ ପୁରୁଣା ଅଭ୍ୟାସ ସ୍ୱରୂପ ଧ୍ୟାନ ହଟାଇବାକୁ ଭାରତ ଉପରେ ଦୋଷ ଲଦିଛି ପାକ୍‌ । ଆମେରିକାରେ ଥିବା ପାକ୍‌ ରାଷ୍ଟ୍ରଦୂତ ଇଜାଜ ଅହମଦ ଚୌଧୁରୀ କହିଛନ୍ତି ଯେ ପାକିସ୍ତାନ ଅପେକ୍ଷା ଭାରତରେ ଅଧିକ ଆତଙ୍କବାଦି ଅଛନ୍ତି । ହିନ୍ଦୁତ୍ୱ ଆଦର୍ଶ ତଳେ ଭାରତରେ ଅନେକ ଆତଙ୍କବାଦୀ ବଢିଚାଲିଛନ୍ତି । ଏହା ସମଗ୍ର ଅଞ୍ଚଳ ପାଇଁ ବିପଦ ବୋଲି ସେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଫଗାନିସ୍ତାନରେ ପୁନନିର୍ମାଣ ନାମରେ ଭାରତ ନିଜର ପ୍ରଭାବ ବିସ୍ତାର କରୁଛି ଓ ପାକିସ୍ତାନରେ ଅସ୍ଥିରତା ସୃଷ୍ଟି କରୁଛି । ତେବେ ପାକିସ୍ତାନ ଭାରତ ସହ ଶାନ୍ତି କଥାବାର୍ତ୍ତା ପାଇଁ ସବୁବେଳେ ପ୍ରସ୍ତୁତ ଥିବାବେଳେ ଭାରତ ଆଗ୍ରହ ଦେଖାଉନି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଆମେରିକା-ପାକିସ୍ତାନ ସମ୍ପର୍କରେ ଶିଥିଳତା ଆସିଥିବା ସେ ସ୍ୱୀକାର କରିଛନ୍ତି ।

ସମ୍ବନ୍ଧିତ ଖବର