୪ ମାସରେ ତେଲରୁ ଲକ୍ଷେ କୋଟି ଆୟ: ଟିକସ କମାଇବାକୁ ସରକାର ଅରାଜି

ନୂଆଦିଲ୍ଲୀ: ତେଲ ଟିକସ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ରାଜ‌କୋଷ ଭର୍ତ୍ତି ହେବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଚାରି ମାସରେ ତେଲରୁ ଉତ୍ପାଦନ ଶୁଳ୍କ ଭାବେ ଲକ୍ଷେ କୋଟି ଟଙ୍କା ଆୟ ହୋଇଛି। ପୂର୍ବ ଆର୍ଥିକ ବର୍ଷରେ ଏହି ସମୟରେ ୬୭,୮୯୫ କୋଟି ଟଙ୍କାର ଟିକସ ମିଳିଥିଲା। ଚଳିତ ବର୍ଷ ତାହା ତୁଳନାରେ ୩୨,୪୯୨ କୋଟି ଟଙ୍କା ଅଧିକ ଆୟ ହୋଇଛି। ଦେଶରେ ଜିଏସ୍‌ଟି ଲାଗୁ ହେବା ପରେ କେବଳ ପେଟ୍ରୋଲ, ଡିଜେଲ୍, ପ୍ରାକୃତିକ ଗ୍ୟାସ୍‌ ଓ ବିମାନ ଇନ୍ଧନରୁ ଉତ୍ପାଦନ ଶୁଳ୍କ ସଂଗ୍ରହ କରାଯାଉଛି। ଅନ୍ୟ ସବୁ ପ୍ରକାର ସାମଗ୍ରୀ ଓ ସେବାଗୁଡ଼ିକୁ ଜିଏସ୍‌ଟିରେ ସାମିଲ କରାଯାଇଛି।

ଉପା ସରକାରଙ୍କ ଅମଳରେ ଜାରି ହୋଇଥିବା ତୈଳ ବଣ୍ଡ୍‌ ବାବଦକୁ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କା ଶୁଝିବେ। ଏହା ଠାରୁ ତିନି ଗୁଣା ଅଧିକ ଟିକସ ସଂଗ୍ରହ ହୋଇସାରିଲାଣି। ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଉଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ତ୍ବରାନ୍ବିତ ହେଉଥିବାରୁ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ବଢ଼ିବାରେ ଲାଗିଛି। ସେଥିପାଇଁ ତେଲରୁ ଟିକସ ସଂଗ୍ରହ ବୃଦ୍ଧି ପାଇଛି। ଉପା ସରକାରଙ୍କ ଅମଳରେ ୧.୩ ଲକ୍ଷ କୋଟି ଟଙ୍କାର ତୈଳ ବଣ୍ଡ୍ ଜାରି କରାଯାଇଥିଲା। ଉପା ସରକାରଙ୍କ ସେହି ଭୁଲ ଯୋଗୁଁ ତେଲ ଉପରୁ ଟିକସ କମ୍ କରାଯାଇପାରୁନାହିଁ ବୋଲି ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ବର୍ତ୍ତମାନର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଶାସନ ଭାର ଗ୍ରହଣ କରିବା ପରଠାରୁ ତେଲରୁ ୨୫ ଲକ୍ଷ କୋଟି ଟଙ୍କା ଆୟ କରିସାରିଲେଣି। ଏହା ସତ୍ତ୍ବେ ଟିକସ କମ୍ କରିବାରେ କିଭଳି ୧.୩ ଲକ୍ଷ କୋଟି ଟଙ୍କାର ତୈଳ ବଣ୍ଡ୍ ପ୍ରତିବନ୍ଧକ ସାଜିଛି ତାହା ବୁଝାପଡ଼ୁନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଲ ଉପରୁ ଟିକସ କମ୍ କରାଯିବ ନାହିଁ ବୋଲି ଗତ ମାସ‌ରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ସ୍ପଷ୍ଟ କରିଛନ୍ତି।

ଗତବର୍ଷ ‌‌ଯେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ବ୍ୟାରେଲ ପିଛା ଦାମ୍ ୩୦ ଡଲାର ଭଳି ନିମ୍ନ ସ୍ତରକୁ ଖସିଥିଲା‌‌ ସେହି ସମୟରେ ତାହାର ଲାଭ ଗ୍ରାହକଙ୍କୁ ଦେବା ପରିବର୍ତ୍ତେ ସରକାର ପେଟ୍ରୋଲ୍‌ ଟିକସରେ ୧୯ ଟଙ୍କା ୯୮ ପଇସା ବୃଦ୍ଧି କରିଥିଲେ। ତେଣୁ ଲୋକମାନେ ଏବେ ପ୍ରତି ଲିଟର ପିଛା କେନ୍ଦ୍ର ସରକାରଙ୍କୁ ୩୨ ଟଙ୍କା ୯୦ ପଇସାର ଟିକସ ଗଣୁଛନ୍ତି। ଏହା ବାଦ ରାଜ୍ୟ ସରକାରଙ୍କୁ ଭାଟ୍ ଦେଉଛନ୍ତି। ଉପା ସରକାରଙ୍କ ଅମଳରେ ପେଟ୍ରୋଲ୍‌, ଡିଜେଲ୍, କିରାସିନି ଓ ଏଲ୍‌ପିଜି ଗ୍ୟାସ୍‌କୁ ରିହାତି ଦରରେ ଲୋକମାନଙ୍କୁ ଯୋଗାଇ ଦିଆଯାଉଥିଲା।

ରାଜକୋଷରୁ ବ୍ୟୟ ନକରି ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି‌ ତୈଳ ବଣ୍ଡ୍ ଜାରି କରିବାକୁ ନିଷ୍ପତ୍ତି ହୋଇଥିଲା। ଉଦ୍ଦେଶ୍ୟ ଥିଲା ଏକ ନିର୍ଦିଷ୍ଟ ଆର୍ଥିକ ବର୍ଷରେ କଂପାନିକୁ ସବ୍‌ସିଡି ବାବଦ ଟଙ୍କା ‌ନଦେଇ ଭବିଷ୍ୟତରେ ତାହାକୁ ପରିଶୋଧ କରିବା। ଜାରି ହୋଇଥିବା ତୈଳ ବଣ୍ଡ୍‌ର ମାତ୍ର ୩୫୦୦ କୋଟି ଟଙ୍କାର ମୂଳଧନ ପରିଶୋଧ କରାଯାଇଛି। ୨୦୨୫-୨୬ ସୁଦ୍ଧା ବଳକା ଟଙ୍କା ଶୁଝିବାକୁ ହେବ। ଚଳିତ ଆର୍ଥିକ ବର୍ଷରେ ସରକାର ୧୦ ହଜାର କୋଟି ଟଙ୍କା, ୨୦୨୩-୨୪ରେ ୩୧,୧୫୦ କୋଟି ଟଙ୍କା, ୨୦୨୪-୨୫ରେ ୫୨,୯୮୦.୧୭ କୋଟି ଟଙ୍କା ଓ ୨୦୨୫-୨୬ରେ ୩୬,୯୧୩ କୋଟି ଟଙ୍କା ପରିଶୋଧ କରିବେ।

ସମ୍ବନ୍ଧିତ ଖବର