ନୂଆଦିଲ୍ଲୀ: ବାର୍ଷିକ ଅଭିବୃଦ୍ଧିକୁ ୬.୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଦୀର୍ଘଦିନ ପର୍ଯ୍ୟନ୍ତ ରଖିବାକୁ ହେଲେ ଭାରତକୁ ପ୍ରତିବର୍ଷ କୋଟିଏ ଲେଖାଏଁ ଚାକିରି ସୃଷ୍ଟି କରିବାକୁ ପଡ଼ିବ। ଏଭଳି ଆକଳନ କରିଛି ବିଶ୍ବସ୍ତରୀୟ ଇନ୍ଭେଷ୍ଟମେଣ୍ଟ୍ ବ୍ୟାଙ୍କ ଗୋଲ୍ଡମ୍ୟାନ୍ ସଚ୍ସ। ଦେଶର ନିଯୁକ୍ତି ହାର ବଢ଼ାଇବା ଲାଗି ଏହା ଭାରତ ସରକାରଙ୍କୁ କେତେକ ପରାମର୍ଶ ମଧ୍ୟ ଦେଇଛି।
ନିର୍ମାଣ କ୍ଷେତ୍ରରେ ସୁଲଭ ବାସଗୃହକୁ ପ୍ରୋତ୍ସାହିତ କରିବା, ଆଇଟି ହବ୍ଗୁଡ଼ିକୁ ଛୋଟ ସହରକୁ ସମ୍ପ୍ରସାରଣ କରିବା ଏବଂ ଶ୍ରମଭିତ୍ତିକ ମାନୁଫାକ୍ଚରିଂ କ୍ଷେତ୍ର ଉପରେ ଗୁରୁତ୍ବାରୋପ କରି ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଗୋଲ୍ଡମ୍ୟାନ୍ ସଚ୍ସ କହିଛି। ଭାରତ ସମ୍ପର୍କିତ ରିପୋର୍ଟରେ ଏହା ଜଣାଇଛି ଯେ ନିର୍ମାଣ କ୍ଷେତ୍ରରେ କାମ କରୁଥିବା ୮୦ ପ୍ରତିଶତ ଲୋକ ରିଅଲ ଇଷ୍ଟେଟ୍ରେ ନିୟୋଜିତ ହୋଇଛନ୍ତି। ଯଦି ସୁଲଭ ବାସଗୃହ ପ୍ରକଳ୍ପ ଲାଗି ପ୍ରୋତ୍ସାହନ ପ୍ରଦାନ କରାଯିବ ତେବେ ସେମାନଙ୍କ ଲାଗି ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ। ସେହିପରି ଛୋଟ ସହରଗୁଡ଼ିକୁ ସୂଚନା ପ୍ରଯୁକ୍ତି ହବ୍ଗୁଡ଼ିକ ସମ୍ପ୍ରସାରଣ କଲେ ଦୁଇ ପ୍ରକାର ଲାଭ ମିଳିବ। ଗୋଟିଏ ପଟେ ବଡ଼ ସହର ଉପରେ ଥିବା ଚାପ ଦୂର ହେବ ଏବଂ ଦ୍ବିତୀୟ ଲାଭଟି ହେଉଛି ଛୋଟ ସହରରେ ଥିବା ପ୍ରତିଭାବାନ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିପାରିବ।
ଗୋଲ୍ଡମ୍ୟାନ୍ ସଚ୍ସ ଜଣାଇଛି ଯେ ଗତ ୨୩ ବର୍ଷ ମଧ୍ୟରେ ଦେଶରେ ବାର୍ଷିକ ହାରାହାରି ୮୫ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଥିଲା। କିନ୍ତୁ ୨୦୨୪-୨୫ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅର୍ଥନୈତିକ ଅଭିବୃଦ୍ଧି ହାରକୁ ୬.୫ ପ୍ରତିଶତରୁ ଅଧିକ ରଖିବାକୁ ହେଲେ ବର୍ଷକୁ ୧ କୋଟି ଚାକିରି ଦରକାର ପଡ଼ିବ। ଏଥିପାଇଁ ବାସ୍ତବ ନିବେଶ ହାରକୁ ମଧ୍ୟ ୩୩.୫ ପ୍ରତିଶତରୁ ବଢ଼ାଇ ୩୬.୧ ପ୍ରତିଶତ କରିବାକୁ ପଡ଼ିବ। ଗୋଲ୍ଡମ୍ୟାନ୍ ସଚ୍ସ ଏହା ମଧ୍ୟ ଜଣାଇଛି ଯେ ଯଦି ଆସନ୍ତା ୬ ବର୍ଷ ପର୍ଯ୍ୟନ୍ତ ଅର୍ଥନୀତି ୭ ପ୍ରତିଶତରୁ ଅଧିକ ହାରରେ ଆଗକୁ ବଢ଼ିବ ତେବେ ପ୍ରତିବର୍ଷ ୧.୪ କୋଟି ନିଯୁକ୍ତି ସୃଷ୍ଟି ହେବ। ଯଦି ଅଭିବୃଦ୍ଧି ହାର ୫ ପ୍ରତିଶତ ହୋଇଯିବ ତେବେ ବର୍ଷକୁ ହାରାହାରି ୫୦ ଲକ୍ଷ ନିଯୁକ୍ତି ସୁଯୋଗ ଯୋଡ଼ିହେବ।
ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇଥିଲେ ମଧ୍ୟ ଯଥେଷ୍ଟ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଏହା ସକ୍ଷମ ହେଉ ନ ଥିବା ଅଭିଯୋଗ ହେଉଛି। ଏହି ଅପବାଦକୁ ଦୂର କରିବା ଲାଗି ସରକାର ନିକଟରେ ଏକ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଘୋଷଣା କରିଛନ୍ତି ଯେଉଁଥିରେ ଦେଶର ଶ୍ରେଷ୍ଠ କମ୍ପାନିଗୁଡ଼ିକରେ ଯୁବକଯୁବତୀମାନଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ମିଳିବ।