ଡାକ୍ତର ହେବାକୁ ଦରକାର କୋଟିଏ: ଛାତ୍ରଛାତ୍ରୀ ବିଦେଶ ମୁହାଁ

ନୂଆଦିଲ୍ଲୀ: ନିଟ୍ ପରୀକ୍ଷାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଡାକ୍ତର ହେବାକୁ ଆଶାୟୀ ଥିବା ବହୁ ଛାତ୍ରଛାତ୍ରୀ ଚିନ୍ତିତ ହୋଇପଡ଼ିଛନ୍ତି। ଭାରତରେ ଡାକ୍ତର ହେବା ଲାଗି ଏହା ଏକମାତ୍ର ସଂଘର୍ଷ ନୁହେଁ। ସେମାନଙ୍କୁ ଅନେକ ଆହ୍ବାନ ଦେଇ ଗତି କରିବାକୁ ପଡ଼ିଥାଏ। ଲୋକପ୍ରିୟ ମେଡିକାଲ୍ କଲେଜରେ ସିଟ୍‌ ପାଇବାଠାରୁ ଆରମ୍ଭ କରି ପାଠପଢ଼ା ପାଇଁ ପାଣ୍ଠି ଯୋଗାଡ଼ କରିବା ପର୍ଯ୍ୟନ୍ତ ଏକ କଷ୍ଟକର ବ୍ୟାପାର ହୋଇରହିଛି। ଭାରତରେ ଏକ ଘରୋଇ ମେଡିକାଲ୍ କଲେଜରେ ଏମ୍‌ବିବିଏସ୍‌ ପାଠ ପଢ଼ିବା ଲାଗି ଛାତ୍ରଛାତ୍ରୀଙ୍କୁ କୋଟିଏ ଟଙ୍କା ପାଖାପାଖି ଖର୍ଚ୍ଚ କରିବାକୁ ପଡ଼ୁଛି। ପ୍ରତିବର୍ଷ ଲକ୍ଷେରୁ ଅଧିକ ମେଡିକାଲ୍ ସିଟ୍‌ରେ ନାମ ଲେଖାଇବା ଲାଗି ୧୫ ଲକ୍ଷରୁ ଅଧିକ ଛାତ୍ର‌ଛାତ୍ରୀ ନିଟ୍ ପରୀକ୍ଷା ଦେଉଛନ୍ତି। ଏଥିରୁ ଅଧାରୁ କମ୍ ସିଟ୍ ‌ସରକାରୀ ମେଡିକାଲ୍ କଲେଜରେ ରହିଛି। ତା’ ବ୍ୟତୀତ କୋଟା ସିଟ୍ ମଧ୍ୟ ଅଲଗା ରହିଛି। ତେଣୁ ଯୋଗ୍ୟ ପ୍ରାର୍ଥୀଙ୍କ ଲାଗି ଅଳ୍ପ ସିଟ୍ ରହିଯାଉଛି।

ଭାରତରେ ଡାକ୍ତର ହେବା ଲାଗି ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ଉତ୍କର୍ଷ ହାସଲ କରିବା ସହ ସେମାନଙ୍କ ଅଭିଭାବକମାନଙ୍କୁ ସେଥିପାଇଁ ବିପୁଳ ପାଣ୍ଠି ମଧ୍ୟ ଯୋଗାଡ଼ କରିବାକୁ ପଡ଼ୁଛି। ଖର୍ଚ୍ଚ କୋଚିଂ ନେବାଠାରୁ ଆରମ୍ଭ ହୋଇଯାଉଛି। ଆକାଶ, ଆଲେନ୍ ଓ ବିଦ୍ୟା ମନ୍ଦିର ଭଳି ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ କୋଚିଂ ନେବା ଲାଗି ୧.୨ ଲକ୍ଷ ଟଙ୍କାରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ଦେଶରେ ୬୦୦ରୁ ଅଧିକ ମେଡିକାଲ୍ କଲେଜରେ ଏମ୍‌ବିବିଏସ୍ ପାଠପଢ଼ା ହେଉଛି। ୨୦୨୪ରେ ୨୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନିଟ୍-ୟୁଜି ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ଅଧିକାଂଶ ସରକାରୀ ମେଡିକାଲ୍ କଲେଜରେ ନାମ ଲେଖାଇବାକୁ ଆଶାୟୀ ଥିଲେ। ଦେଶରେ ୩୮୬ଟି ସରକାରୀ ମେଡିକାଲ୍ କଲେଜରେ ମାତ୍ର ୫୫,୦୯୫ଟି ସିଟ୍ ରହିଛ। ସେହିପରି ୩୨୦ଟି ଘରୋଇ ମେଡିକାଲ୍‌ କଲେଜରେ ୫୩,୬୨୫ ସିଟ୍ ରହିଛି। ସେହି କଲେଜଗୁଡ଼ିକରେ ପଢ଼ିବାକୁ ହେଲେ ବିପୁଳ ପରିମାଣର ଫି’ ଗଣିବାକୁ ପଡ଼ୁଛି।

ସରକାରୀ କଲେଜରେ ଏମ୍‌ବିବିଏସ୍‌ ପଢ଼ିବା ଲାଗି ବାର୍ଷିକ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ମାତ୍ର ଘରୋଇ କଲେଜରେ ସେହି ପାଠ ପଢ଼ିଲେ ବାର୍ଷିକ ୧୨ ଲକ୍ଷ ଟଙ୍କାରୁ ଆରମ୍ଭ କରି ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି। ‌କୋର୍ସ ପୂରା ଶେଷକରିବା ଭିତରେ ୮୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେଉଛି। ଉନ୍ନତ ଭିତ୍ତିଭୂମି ଓ ଫାକଲ୍‌ଟିଙ୍କ ପାଇଁ ଘରୋଇ ମେଡିକାଲ୍ କଲେଜଗୁଡ଼ିକ ଅଧିକ ଫି’ ‌ନେଉଥିବା ଦାବି କରୁଛନ୍ତି। କିନ୍ତୁ ଦେଶର ଅଧିକାଂଶ ମଧ୍ୟବିତ୍ତ ପରିବାରର ଯୋଗ୍ୟ ଛାତ୍ରଛାତ୍ରୀ ଏହି ଫି’ ଯୋଗାଡ଼ କରିବାକୁ ଅସମର୍ଥ।

ଛାତ୍ରଛାତ୍ରୀ ବିଦେଶ ମୁହାଁ
ଭାରତରେ ଡାକ୍ତରୀ ପାଠପଢ଼ା ଏତେ ବ୍ୟୟବହୁଳ ହୋଇପଡ଼ିଛି ଯେ କମ୍ ଖର୍ଚ୍ଚରେ ଡାକ୍ତର ହେବାକୁ ଚାହୁଥିବା ଛାତ୍ରଛାତ୍ରୀମାନେ ପଢ଼ିବାକୁ ବିଦେଶ ଯାଉଛନ୍ତି। ଭାରତୀୟ ଛାତ୍ରଛାତ୍ରୀମାନେ ରୁଷିଆ, କିରଗିଜସ୍ତାନ, କଜାଖସ୍ତାନ, ଫିଲିପାଇନ୍ସ ଓ ବାଂଲାଦେଶରେ କମ୍ ଖର୍ଚ୍ଚରେ ଡାକ୍ତରୀ ପଢ଼ିବା ଲାଗି ଯାଉଛନ୍ତି। ୨୦୧୯ରେ ୩୪୩୮ ଛାତ୍ରଛାତ୍ରୀ ଡାକ୍ତରୀ ପାଠପଢ଼ିବାକୁ ବିଦେଶ ଯାଇଥିଲେ। ୨୦୧୯ ସୁଦ୍ଧା ସେମାନଙ୍କ ସଂଖ୍ୟା ୧୨,୩୨୧କୁ ବୃ୍ଦ୍ଧି ପାଇଥିଲା। ବାଂଲାଦେଶରେ ଡାକ୍ତରୀ ପଢ଼ିବା ଲାଗି ୨୫ ଲକ୍ଷ ଟଙ୍କାରୁ ୪୦ ଲକ୍ଷ ଟଙ୍କା ଭିତରେ ଖର୍ଚ୍ଚ ହେଉଛି। ଫିଲିପାଇନ୍ସରେ ୩୫ ଲକ୍ଷ ଟଙ୍କାରେ ଡାକ୍ତରୀ ପାଠପଢ଼ା ଶେଷ ହୋଇପାରୁଛି। ରୁଷିଆରେ ଛାତ୍ରଛାତ୍ରୀମାନେ ହଷ୍ଟେଲ ଖର୍ଚ୍ଚ ସମେତ ୨୦ ଲକ୍ଷ ଟଙ୍କା ଭିତରେ ଡାକ୍ତରୀ ପାଠପଢ଼ା ଶେଷ କରିପାରୁଛନ୍ତି।

ସମ୍ବନ୍ଧିତ ଖବର