ବୁଲିବାକୁ, ଉଡ଼ିବାକୁ ମନ; ହୋଟେଲ୍‌, ଗାଡ଼ି ବୁକିଂରେ ବୃଦ୍ଧି ଧାରା ଆରମ୍ଭ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ଦ୍ବିତୀୟ ଲହର ପ୍ରଭାବ ଧୀରେ ଧୀରେ ଦୂର ହେଉଥିବା ବେଳେ ଲୋକମାନେ ଦୂର ସ୍ଥାନ ଯାତ୍ରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛନ୍ତି। କରୋନା ଭୟରେ ବହୁ ଦିନ ଘର ଭିତରେ ବାନ୍ଧି ହୋଇ ରହିବା ପରେ ଲୋକମାନେ ଅଣନିଶ୍ବାସୀ ହୋଇପଡ଼ିଛନ୍ତି। ସେମାନେ ସ୍ବାଧୀନ ହୋଇ ବୁଲିବାକୁ ଚାହୁଛନ୍ତି। ସମୁଦ୍ର ପାର୍ଶ୍ବ ହୋଟେଲ୍‌ ହେଉ କିମ୍ବା ଶୈଳ ନିବାସ ଭଳି ସ୍ଥାନରେ ରହି କିଛି ସମୟ ବିତାଇବା ପାଇଁ ଲୋକମାନଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି। ଗାଡ଼ିରେ ବୁଲାବୁଲି କରିବା ଓ ବିମାନରେ ଉଡ଼ିବା ଲାଗି ସେମାନେ ବୁକିଂ ଆରମ୍ଭ କରିଦେଇଛନ୍ତି। ମନାଲି ଓ ସିମ୍‌ଲା ଭଳି ସ୍ଥାନକୁ ଅନେକ ଲୋକ ବୁଲିବାକୁ ଯାଉଛନ୍ତି। ସେଥିପାଇଁ ସେହି ସବୁ ସ୍ଥାନରେ କାର୍‌ଗୁଡ଼ିକର ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। ପକେଟ୍‌କୁ ସୁହାଇବା ଭଳି ମୂଲ୍ୟରେ ହୋଟେଲ୍‌ ବୁକିଂ ସୁବିଧା ପ୍ରଦାନ କରୁଥିବା

ସଂସ୍ଥା ଗୋଷ୍ଟପ୍‌ସ, ଓୟୋ ଓ ଏୟାରବିଏନ୍‌ବିରେ ବୁକିଂ ପାଇଁ ଅନୁସନ୍ଧାନ ସଂଖ୍ୟା ବୃଦ୍ଧି ପାଇଛି। ଟିକା ନେଇସାରିଥିବା ଲୋକମାନେ ବାହାରେ ବୁଲିବାକୁ ଚାହୁଛନ୍ତି। ଅବଶ୍ୟ ସେଥିପାଇଁ ସେମାନେ କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜି ଅଛନ୍ତି। ଗୋଷ୍ଟପ୍‌ସରେ ବୁକିଂରେ ୧୦୦ ପ୍ରତିଶତ ବୃଦ୍ଧି ଘଟିଛି। ଏୟାରବିଏନ୍‌ବି ପାଇଁ ମଧ୍ୟ ଚାହିଦା ବଢ଼ିଛି। ନୂଆଦିଲ୍ଲୀ, ପୁନେ, ହାଇଦ୍ରାବାଦ, ବାଙ୍ଗାଲୋର ଓ ଚେନ୍ନାଇ ଭଳି ସହରେ ବୁକିଂ ସଂଖ୍ୟା ବଢ଼ିଛି। ଜୟପୁର, ଆଗ୍ରା ଓ ବିଶାଖାପାଟଣା ଭଳି ସହରରେ ସମୟ ବିତାଇବାକୁ ମଧ୍ୟ ଲୋକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ମନାଲି, ଲୋନାୱାଲା, ନୈନିତାଲ, ସିମ୍‌ଲା ଓ ମହୀଶୂର ଆଦି ସ୍ଥାନରେ ଥିବା ଓୟୋ ହୋ‌ଟେଲ୍‌ଗୁଡ଼ିକରେ ବୁକିଂ ବଢ଼ିଥିବା କଂପାନିର ଜଣେ ଅଧିକାରୀ କହିଛନ୍ତି।

ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ଲାଗି ହୋଟେଲ୍‌ଗୁଡ଼ିକ ଆକର୍ଷଣୀୟ ପ୍ୟାକେଜ୍ ପ୍ରଦାନ କରୁଛନ୍ତି। ସାତ ହଜାର ଟଙ୍କା ଭଳି କମ୍ ଦାମ୍‌ରୁ ପ୍ୟାକେଜ୍ ମୂଲ୍ୟ ଆରମ୍ଭ ହୋଇଛି। କିଛି ସଂସ୍ଥା ୬୦୦୦ ଟଙ୍କାରେ ମଧ୍ୟ ରହଣୀ ପ୍ୟାକେଜ୍ ପ୍ରଦାନ କରୁଛନ୍ତି। ନିଜ ସହର ଠାରୁ ଅଳ୍ପ ଦୂର ଯାତ୍ରା କରି ବୁଲାବୁଲି କରିବା ଲାଗି ଲୋକମାନେ କାର୍‌ ମଧ୍ୟ ବୁକିଂ କରୁଛନ୍ତି। ଏଭଳି ସୁବିଧା ଯୋଗାଇ ଦେଉଥିବା ସଂସ୍ଥା ଆଭିସ୍‌ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ବୁକିଂ ପାଇଁ ଅଧିକ ଅନୁସନ୍ଧାନ ଆସୁଛି। କିଛି ଲୋକ ଏକାକୀ, କିଛି ସାଙ୍ଗମାନଙ୍କ ସହିତ ଓ ଅନ୍ୟମା‌ନେ ପରିବାର ଲୋକଙ୍କୁ ନେଇ ବୁଲାବୁଲି କରିବାକୁ ଚାହୁଛନ୍ତି।

ସମ୍ବନ୍ଧିତ ଖବର