ବାଗ୍‌ଚୀଙ୍କ ମାଇଣ୍ଡ୍‌ଟ୍ରି ଉପରେ ବିପଦ, ଜୋରଜବରଦସ୍ତ କିଣିବାକୁ ଚାହୁଛି ଏଲ୍‌ଆଣ୍ଡ୍‌ଟି

ବେଙ୍ଗାଲୁରୁ: ଓଡ଼ିଶା ଦକ୍ଷତା ବିକାଶ କତୃର୍ପକ୍ଷର ମୁଖ୍ୟ ପଦରୁ ଗତକାଲି ଇସ୍ତଫା ଦେଇଥିବା ସୁବ୍ରତ ବାଗ୍‌ଚୀଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ସୂଚନା ପ୍ରଯୁକ୍ତି (ଆଇଟି) କଂପାନି ମାଇଣ୍ଡ୍‌ଟ୍ରିକୁ ଏଲ୍‌ଆଣ୍ଡ୍‌ଟି ଜୋରଜବରଦସ୍ତ କିଣିବାକୁ ଚାହୁଛି। ପ୍ରାୟ ୭୦୦୦ କୋଟି ଟଙ୍କାର ପ୍ରସ୍ତାବ ଦେଇ ଏହା ମାଇଣ୍ଡଟ୍ରି ଉପରେ ନିୟନ୍ତ୍ରଣ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏଦିଗରେ କଂପାନି ଆଜି ପ୍ରଥମ ପଦକ୍ଷେପ ଗ୍ରହଣ କରିଛି। ମାଇଣ୍ଡ୍‌ଟ୍ରିରେ କାଫେ କଫି ଡେ’ର ପ୍ରତିଷ୍ଠାତା ଭି ଜି ସିଦ୍ଧାର୍ଥଙ୍କ ଥିବା ୨୧% ଅଂଶଧନକୁ ଏଲ୍‌ଆଣ୍ଡ୍‌ଟି ଗ୍ରୁପ୍ ଏହାର ଆଇଟି କଂପାନି ଏଲ୍‌ଆଣ୍ଡ୍‌ଟି ଇନ୍‌ଫୋଟେକ୍ ଜରିଆରେ କିଣିନେଇଛି। ଆଗାମୀ ଦିନରେ ଏହା ମାଇଣ୍ଡ୍‌ଟ୍ରିର ମାଲିକାନା ନିୟନ୍ତ୍ରଣ ହାସଲ କରିବା ପାଇଁ ଓପନ୍ ଅଫର୍‌ ଜରିଆରେ ନିଜର ଅଂଶଧନ ପରିମାଣ ବଢ଼ାଇବା ଉପରେ ବିଚାର କରୁଛି। ବାଗ୍‌ଚୀ ଓ ତାଙ୍କ କିଛି ସହଯୋଗୀଙ୍କ ଦ୍ବାରା ମାଇଣ୍ଡ୍‌ଟ୍ରି ପ୍ରତିଷ୍ଠା କରାଯାଇଥିଲା। ମାଇଣ୍ଡ୍‌ଟ୍ରିରେ ବୈଦେଶିକ ପୋର୍ଟଫୋଲିଓ ନିବେଶକଙ୍କ (ଏଫ୍‌ପିଆଇ) ୪୦.୧୮% ଏବଂ ମ୍ୟୁଚୁଆଲ୍‌ ଫଣ୍ଡ୍‌ଗୁଡ଼ିକର ୮.୩୨% ଅଂଶଧନ ରହିଛି। ଏହି ସେୟାରଗୁଡ଼ିକୁ ଏଲ୍‌ଆଣ୍ଡ୍‌ଟି ସହଜରେ କିଣି ନିଜର ଅଂଶଧନ ପରିମାଣ ମାଇଣ୍ଡ୍‌ଟ୍ରିରେ ବଢ଼ାଇପାରିବ ବୋଲି କୁହାଯାଉଛି। ଏଲ୍‌ଆଣ୍ଡଟିର ଏଭଳି ଆଭିମୁଖ୍ୟ ଜାଣିବା ପରେ କଂପାନିର ପ୍ରତିଷ୍ଠାତା ଭାବେ ଭୟଭୀତ ହୋଇପଡ଼ିଛନ୍ତି। ଯେକୌଣସି ଉପାୟରେ କଂପାନିର ମାଲିକାନା ବଞ୍ଚାଇବା ପାଇଁ ସେମାନେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ସେମାନଙ୍କ ପାଇଁ କିନ୍ତୁ ଏହି କାମ ବେଶ କଷ୍ଟକର ହେବ। କାରଣ ମାଇଣ୍ଡଟ୍ରିରେ ଏହାର ଚାରି ଜଣ ପ୍ରତିଷ୍ଠାତା କୃଷ୍ଣକୁମାର ନଟରାଜନ, ସୁବ୍ରତ ବାଗ୍‌ଚୀ, ଏନ୍‌ ଏସ୍‌ ପାର୍ଥସାରଥୀ ଏବଂ ରୋଷ୍ଟୋ ରାବଣନ୍‌ଙ୍କ ମିଳିତ ଭାବେ ମାତ୍ର ୧୩.୩% ଅଂଶଧନ ରହିଛି। ମାଇଣ୍ଡ୍‌ଟ୍ରିକୁ ନିଜ ନିୟନ୍ତ୍ରଣରେ ରଖିବାକୁ ହେଲେ ପ୍ରତିଷ୍ଠାତାମାନଙ୍କୁ ସେମାନଙ୍କ ଅଂଶଧନ ପରିମାଣ ବଢ଼ାଇବାକୁ ହେବେ। ଏହା ହେଲେ ସେମାନେ ଯେଉଁ ସେୟାରକୁ ପୂର୍ବରୁ ବିକ୍ରି କରିଦେଇଥିଲେ ତାହାକୁ ଏବେ ଚଢ଼ା ଦରରେ କିଣିବାକୁ ପଡ଼ିବ। ସେଥିପାଇଁ ସେମାନଙ୍କୁ ମୋଟା ଅଙ୍କର ଅର୍ଥରାଶି ଯୋଗାଡ଼ କରିବାକୁ ପଡ଼ିବ।

କାହିଁକି ସୃଷ୍ଟି ହେଲା ଏଭଳି ସ୍ଥିତି
୧୯୯୯ ମସିହା ଅଗଷ୍ଟ ୫ରେ ଅଶୋକ ସୁତାଙ୍କ ନେତୃତ୍ବରେ ସୁବ୍ରୋତ ବାଗ୍‌ଚୀଙ୍କ ସମେତ ୧୦ ଜଣଙ୍କୁ ନେଇ ମାଇଣ୍ଡ୍‌ଟ୍ରି ପ୍ରତିଷ୍ଠା କରାଯାଇଥିଲା। ୨୦୦୦ ମସିହାରେ କାଫେ କଫି ଡେ’ର ମାଲିକ ଭି ଜି ସିଦ୍ଧାର୍ଥଙ୍କ ଠାରୁ ମାଇଣ୍ଡ୍‌ଟ୍ରି ପାଣ୍ଠି ଆଣିଥିଲା ଓ ତାଙ୍କୁ କଂପାନିର କିଛି ସେୟାର ଦେଇଥିଲା। ସିଦ୍ଧାର୍ଥ ହେଉଛନ୍ତି ଦେଶର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏସ୍‌ ଏମ୍ କ୍ରିଷ୍ଣାଙ୍କ ଜ୍ବାଇଁ। ୨୦୧୧ରେ କଂପାନିର ସହ ପ୍ରତିଷ୍ଠାତା ଅଶୋକ ସୁତା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସୁତାଙ୍କ ପାଖରେ ଥିବା ଅଂଶଧନକୁ ସିଦ୍ଧାର୍ଥ କିଣିନେବା ପରେ ତାଙ୍କ ଅଂଶଧନ ପରିମାଣ ୨୧%କୁ ବୃଦ୍ଧି ପାଇଥିଲା। ସିଦ୍ଧାର୍ଥ ନିଜର ଅନ୍ୟ କାରବାରକୁ ଚଲାଇବା ପାଇଁ ବିପୁଳ ପରିମାଣର ଋଣ ନେଇଥିଲେ ଯାହାକୁ ପରିଶୋଧ କରିବାକୁ ସଂଘର୍ଷ କରୁଛନ୍ତି। ତେଣୁ ମାଇଣ୍ଡ୍‌ଟ୍ରିରେ ଥିବା ନିଜ ଅଂଶଧନକୁ ସେ ବିକିଦେବାକୁ ୧୦ ମାସ ତଳେ ଆଗ୍ରହ ପ୍ରକାଶ କରିଥିଲେ। ନିଜ ମନ କଥା ପ୍ରଥମେ ସେ ପ୍ରତିଷ୍ଠାତାମାନଙ୍କୁ ଜଣାଇଥିଲେ। କିନ୍ତୁ ‌ସେଦିଗରେ କାମ ଆଗକୁ ନବଢ଼ିବାରୁ ସିଦ୍ଧାର୍ଥ ଅନ୍ୟାନ୍ୟ ବିକଳ୍ପ ଉପରେ ବିଚାର କରିବା ଆରମ୍ଭ କରିଥିଲେ। ଆଠ ମାସ ପୂର୍ବେ ଏଲ୍‌ଆଣ୍ଡ୍‌ଟି ସହ ସେ ଆଲୋଚନା ଆରମ୍ଭ କରିଥିଲେ। ସିଦ୍ଧାର୍ଥ ଏଲ୍‌ଆଣ୍ଡ୍‌ଟିର ଅଧ୍ୟକ୍ଷ ଏ ଏମ୍ ନାଏକଙ୍କୁ ଭେଟି ତାଙ୍କୁ ମନାଇବାରେ ସଫଳ ହୋଇଥିଲେ। ଏହା ପରେ ମାଇଣ୍ଡ୍‌ଟ୍ରିର ମାଲିକାନା ହାସଲ କରିବା ପାଇଁ ଏଲ୍‌ଆଣ୍ଡ୍‌ଟି ଯୋଜନା ପ୍ରସ୍ତୁତ କରିଥିଲା ଏବଂ ସେହି ଯୋଜନା ଅନୁଯାୟୀ ଆଗକୁ ବଢ଼ୁଛି।

ପ୍ରତିଷ୍ଠାତାମାନେ କ’ଣ କରିବେ?
ତିନି ସହ ପ୍ରତିଷ୍ଠାତା କେ ନଟରାଜନ (ଅଧ୍ୟକ୍ଷ), ରୋଷ୍ଟୋ ରାବଣନ୍ (ସିଇଓ) ଓ ଏନ୍‌ଏସ୍‌ ପାର୍ଥସାରଥୀ (ସିଓଓ) ମାଇଣ୍ଡଟ୍ରି କାରବାରର ଦେଖାଶୁଣା କରୁଛନ୍ତି। ଏକ ପ୍ରତିଦ୍ବନ୍ଦ୍ବୀ କଂପାନି ହାତକୁ କଂପାନିର ମାଲିକାନା ଚାଲିଯାଉ ତାହା ସେମାନେ ଚାହୁଁନାହାନ୍ତି। ସେଥିପାଇଁ କଂପାନିର ସେୟାରକୁ ପୁନର୍ବାର ଖରିଦ କରି (ବାଏବ୍ୟାକ୍) ଏଲ୍‌ଆଣ୍ଡ୍‌ଟିକୁ ଆସନ୍ନ ବିପଦରୁ ପ୍ରତିଷ୍ଠାତାମାନେ ଉଦ୍ଧାର ଚାହୁଛନ୍ତି। ସେଥିପାଇଁ ବିଭିନ୍ନ ଆର୍ଥିକ ପରାମର୍ଶ ପ୍ରଦା‌ନକାରୀ ସଂସ୍ଥା ସହିତ ସେମାନେ ଆଲୋଚନା ଆରମ୍ଭ କରିସା‌ରିଲେଣି। ପ୍ରଥମ ଥର ପାଇଁ ବାଏବ୍ୟାକ୍ ଜରିଆରେ ଅଧିଗ୍ରହଣ ଉଦ୍ୟମକୁ ରୋକିବାକୁ ପ୍ରୟାସ କରାଯାଉଛି। ଭାରତୀୟ ସୂଚନା ପ୍ରଯୁକ୍ତି ଶିଳ୍ପରେ ପୂର୍ବରୁ ଏଭଳି ଜୋରଜରବଦସ୍ତ ଅଧିଗ୍ରହଣ କେବେ ଦେଖିବାକୁ ମିଳିନଥିଲା।

ସମ୍ବନ୍ଧିତ ଖବର