ମାଇଣ୍ଡଟ୍ରି ଓ ଏଲଏଣ୍ଡଟି ଇନଫୋଟେକ୍ ମଧ୍ୟରେ ମିଶ୍ରଣ ହେବ, ସୃଷ୍ଟି ହେବ ଦେଶର ୫ମ ବୃହତ୍ତମ ଆଇଟି କମ୍ପାନି

ବାଙ୍ଗାଲୋର : ଏଲଏଣ୍ଡଟି ଅଧିନସ୍ଥ ଦୁଇଟି ପ୍ରମୁଖ ଆଇଟି କମ୍ପାନି ଏଲଏଣ୍ଡଟି ଇନଫୋଟେକ ଓ ମାଇଣ୍ଡଟ୍ରି ମଧ୍ୟରେ ମିଶ୍ରଣ ହେବ । ଶୁକ୍ରବାର ଦିନ ବସିଥିବା ଏହି ଦୁଇ କମ୍ପାନିର ବୋର୍ଡ ବୈଠକରେ ଏ ସମ୍ପର୍କିତ ପ୍ରସ୍ତାବକୁ ମଂଜୁରୀ ମିଳିଛି । ଏହି ମିଶ୍ରଣ ପରେ ସୃଷ୍ଟି ହେବାକୁ ଥିବା କମ୍ପାନି ଏଲଟିଆଇମାଇଣ୍ଡଟ୍ରି ନାମରେ ପରିଚିତ ହେବ ଓ ଏହା ଦେଶର ଅନ୍ୟତମ ବୃହତ ଆଇଟି କମ୍ପାନିରେ ପରିଣତ ହେବ । ମାର୍କେଟ କ୍ୟାପିଟାଲାଇଜେସନ ବା ବଜାର ପୁଞ୍ଜି ଅନୁସାରେ ଏହା ଦେଶର ୫ମ ବୃହତ୍ତମ ଆଇଟି କମ୍ପାନିରେ ପରିଣତ ହେବ । ଏହି ମିଶ୍ରିତ କମ୍ପାନିରେ ମୋଟ ୮୦ ହଜାର କର୍ମଚାରୀ କାମ କରୁଛନ୍ତି ।

ଡିସି ଚାଟାର୍ଜି ଏହି କମ୍ପାନିର ମୁଖ୍ୟ ହେବେ । ଆସନ୍ତା ୯ରୁ ୧୨ ମାସ ମଧ୍ୟରେ ଏହି ମିଶ୍ରଣ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି । ଏହି ମିଶ୍ରଣ ପ୍ରକ୍ରିୟା ସମ୍ପାଦନ ପାଇଁ ଏଲଏଣ୍ଡଟି ଏକ ଷ୍ଟିୟରିଂ କମିଟି ଗଠନ କରିବାକୁ ଘୋଷଣା କରିଛି ।

ଏହି ମିଶ୍ରଣ ପରେ କମ୍ପାନି ବୃହତ ଆଇଟି ପ୍ରକଳ୍ପଗୁଡ଼ିକ ପାଇଁ ବିଡ୍ କରିପାରିବ । ଏହା ସହିତ ନୂଆ ନୂଆ ଟେକନଲୋଜୀ କ୍ଷେତ୍ରରେ କମ୍ପାନି ପ୍ରବେଶ କରିପାରିବ ।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହାରେ ଏଲଣ୍ଡଟି ମାଇଣ୍ଡଟ୍ରିର ଅଧିଗ୍ରହଣ କରିଥିଲା । ଭାରତୀୟ ଆଇଟି ଉଦ୍ୟୋଗରେ ଏହା ପ୍ରଥମ ହୋଷ୍ଟାଇଲ ଟେକଓଭର ଥିଲା । ମାଇଣ୍ଡଟ୍ରିରେ ଏଲଏଣ୍ଡଟିର ୬୪ ପ୍ରତିଶତ ଅଂଶଧନ ଥିବାବେଳେ ଏଲଟିଆଇ (ଏଲଏଣ୍ଡଟି ଇନଫୋଟେକ)ରେ ମୂଳକମ୍ପାନିର ୭୪ ପ୍ରତିଶତ ଅଂଶଧନ ରହିଛି ।

 

ସମ୍ବନ୍ଧିତ ଖବର