ଖଣି ରାଜସ୍ବ ୭୦%, ଜଳକର ଆଦାୟ ୧୪% ବୃଦ୍ଧି

ଡିସେମ୍ବର ସୁଦ୍ଧା ସାମାଜିକ କ୍ଷେତ୍ରରେ ୫୬% ବଜେଟ ଅର୍ଥ ଖର୍ଚ୍ଚ ରାଜସ୍ବ ଆଦାୟରେ ୧୯ ପ୍ରତିଶତ ଅଭିବୃଦ୍ଧି ଅଣଟିକସ ରାଜସ୍ବ ୮,୫୫୬ କୋଟି, ନିଜସ୍ବ ଟିକସ ଆଦାୟ ୨୧,୧୦୯ କୋଟି ଖର୍ଚ୍ଚ ତ୍ବରାନ୍ବିତ ସହ ଟଙ୍କା ପକାଇ ନ ରଖିବାକୁୁ ମୁଖ୍ୟ ସଚିବଙ୍କ ତାଗିଦ୍

ଭୁବନେଶ୍ବର: ଚଳିତ ଆର୍ଥିକ ବର୍ଷର ଡିିସେମ୍ବର ସୁଦ୍ଧା ସାମାଜିକ କ୍ଷେତ୍ରରେ ରାଜ୍ୟ ବଜେଟର କାର୍ଯ୍ୟକ୍ରମ ବ୍ୟୟ ବରାଦରୁ ଖର୍ଚ୍ଚ ହୋଇଛି ୫୬ ପ୍ରତିଶତ । ଅର୍ଥ ଖର୍ଚ୍ଚ ତ୍ବରାନ୍ବିତ କରିବା ସହ ବିଭାଗମାନେ ରାଜକୋଷରୁ ଟଙ୍କା ଆଣି ଅଯଥାରେ ପକାଇ ରଖନ୍ତୁ ନାହିଁ । ମଙ୍ଗଳବାର ସଚିବସ୍ତରୀୟ ବୈଠକରେ ସବୁ ବିଭାଗର ସଚିବଙ୍କୁ ଏପରି ତାଗିଦ୍ କରିଛନ୍ତି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । ପାଣ୍ଠି ବିନିଯୋଗ କରିବା ସହ ସବୁ ବିଭାଗ ଯେପରି ସେମାନଙ୍କର ଯୋଜନାଵାରୀ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ବିଭାଗୀୟ େଵବ୍ ସାଇଟରେ ଅପଡେଟ୍‌ କରିବେ ତା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ସଚିବ ।
ସଚିବସ୍ତରୀୟ ବୈଠକରୁ ଜଣାପଡ଼ିଛି, ଖଣି ରାଜସ୍ବ ଆଦାୟରେ ଗତବର୍ଷ ଅପେକ୍ଷା ୭୦ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୭-୧୮ ଆର୍ଥିକ ବର୍ଷ ଡିସେମ୍ବର ସୁଦ୍ଧା ଖଣି ରାଜସ୍ବ ବାବଦରେ ୪ ହଜାର ୨୧୭ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ସୁଦ୍ଧା ଆଦାୟ ହୋଇଛି ୭ ହଜାର ୧୮୫ କୋଟି ଟଙ୍କା । ଅର୍ଥାତ୍ ୨ ହଜାର ୯୬୮ କୋଟି ଟଙ୍କା ଅଧିକ ଆଦାୟ ହୋଇଛି । ସେହିପରି ଜଳକର ଆଦାୟ ମଧ୍ୟ ବୃଦ୍ଧି ଘଟିଛି । ଗତ ଆର୍ଥିକ ବର୍ଷର ଏହି ସମୟରେ ଶିଳ୍ପମାନଙ୍କଠାରୁ ଜଳକର ବାବଦରେ ୪୦୬ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ଏବର୍ଷ ୧୪ ପ୍ରତିଶତ ବୃଦ୍ଧି ଘଟି ଆଦାୟ ହୋଇଛି ୪୫୪ କୋଟି। ବିଦ୍ୟୁତ ଶୁଳ୍କ ଆଦାୟରେ ୭୩ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏ ଯାଏଁ ମୋଟ ୨ ହଜାର ୩୦୯ କୋଟି ଟଙ୍କା ଆଦାୟ ହୋଇଛି ।
ବୈଠକରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା ସୂଚନା ଦେଇ କହିଛନ୍ତି, ୨୦୧୮ ଡିସେମ୍ବର ସୁଦ୍ଧା ସରକାରଙ୍କ ବିଭିନ୍ନ ବିଭାଗ ବଜେଟ ଅର୍ଥର ୨୬ ପ୍ରତିଶତ ଅଧିକ ଖର୍ଚ୍ଚ କରିପାରିଛନ୍ତି । ଏହି ସମୟ ଭିତରେ ବଜେଟର କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଖର୍ଚ୍ଚ ହୋଇଛି ମୋଟ୍ ୩୯ ହଜାର ୮୨୦ କୋଟି ଟଙ୍କା । ସାମାଜିକ କ୍ଷେତ୍ରରେ ବଜେଟ ଅର୍ଥ ଖର୍ଚ୍ଚ କରିବାରେ ଗତ ଆର୍ଥିକ ବର୍ଷ ଅପେକ୍ଷା ସରକାରଙ୍କୁ ସଫଳତା ମିଳିଛି। ୨୦୧୭-୧୮ ଆର୍ଥିକ ବର୍ଷର ଏହି ସମୟ ଭିତରେ ୧୩ ହଜାର ୯୧୨ କୋଟି ଖର୍ଚ୍ଚ ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷ ଡିସେମ୍ବର ସୁଦ୍ଧା ଖର୍ଚ୍ଚ ହୋଇଛି ୨୧ ହଜାର ୨୪୫ କୋଟି ଟଙ୍କା । ଲୋକଙ୍କୁ ପାନୀୟ ଜଳ ଯୋଗାଣଠୁ ଆରମ୍ଭ କରି ପଞ୍ଚାୟତି ରାଜ ବିଭାଗ,ମହିଳା ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ,ଉଚ୍ଚଶିକ୍ଷା,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ବଜେଟ ଅର୍ଥ ସନ୍ତୋଷଜନକ ଭାବେ ଖର୍ଚ୍ଚ କରିଛନ୍ତି । ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବଜେଟ ଅର୍ଥର ୩ ପ୍ରତିଶତ ଅଧିକ ଖର୍ଚ୍ଚ ହୋଇଛି। ଏହି ବାବଦରେ ୮ ହଜାର ୫୧୩ କୋଟି ଖର୍ଚ୍ଚ ହୋଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ ୮ ହଜାର ୨୦୧ କୋଟିକୁ ଛୁଇଁଛି । କୃଷି ଓ କୃଷକ ସଶକ୍ତୀକରଣ କ୍ଷେତ୍ରରେ ମୋଟ ବଜେଟ୍‌ର ୪ ପ୍ରତିଶତ ଅଧିକ ଖର୍ଚ୍ଚ ହୋଇଥିବା ବୈଠକରେ ଜଣାପଡ଼ିଛି । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗରେ ୪୧ ପ୍ରତିଶତ ଓ ସମବାୟ ବିଭାଗରେ ୨୩ ପ୍ରତିଶତ ବଜେଟ ଅର୍ଥ ଖର୍ଚ୍ଚ ହୋଇପାରିଛି ।
ରାଜସ୍ବ ଆଦାୟରେ ବି ସରକାରଙ୍କୁ ମିଳିଛି ସଫଳତା। ଗତ ଡିସେମ୍ବର ସୁଦ୍ଧା ୧୯ ପ୍ରତିଶତ ଅଧିକ ରାଜସ୍ବ ଆଦାୟ ହୋଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ରାଜସ୍ବ ଆଦାୟ ୨୫ ହଜାର ୨୩ କୋଟି ଟଙ୍କା ହୋଇଥିବାବେଳେ ୨୦୧୮ ଡିସେମ୍ବର ସୁଦ୍ଧା ଆଦାୟ ହୋଇଛି ୨୯ ହଜାର ୬୬୫ କୋଟି ଟଙ୍କା । ଅଣଟିକସ ରାଜସ୍ବ ଆଦାୟରେ ୬୦ ପ୍ରତିଶତ ବୃଦ୍ଧି ଘଟି ଆଦାୟ ହୋଇଛି ମୋଟ ୮ ହଜାର ୫୫୬ କୋଟି ଟଙ୍କା। ସେହିପରି ନିଜସ୍ବ ଟିକସ ଆଦାୟରେ ୭ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏହି ସମୟ ଭିତରେ ନିଜସ୍ବ ଟିକସ ବାବଦରେ ସରକାରଙ୍କୁ ମିଳିଛି ୨୧ ହଜାର ୧୦୯ କୋଟି ଟଙ୍କା । ବୈଠକରେ ଉନ୍ନୟନ କମିସନର ଅସିତ କୁମାର ତ୍ରିପାଠୀ, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜକୁମାର ଶର୍ମା, ଏମଏସଏମଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତାଙ୍କ ସମେତ ସବୁ ବିଭାଗର ପ୍ରମୁଖ ସଚିବମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର