ପୂରା ଲାଭ ମିଳୁନି : ଅଶୋଧିତ ତେଲ ୩୨% କମିଲାଣି ସେହି ହାରରେ କମୁନି ପେଟ୍ରୋଲ୍‌ ଦର

ନୂଆଦିଲ୍ଲୀ: ଯେଉଁ ଅଶୋଧିତ ତୈଳକୁ ବିଶୋଧନ କରି ପେଟ୍ରୋଲ୍ ଓ ଡିଜେଲ୍ ଉତ୍ପାଦନ କରାଯାଉଛି ତାହାର ମୂଲ୍ୟ ୩୨% କମିଗଲାଣି। କିନ୍ତୁ ପେଟ୍ରୋଲ୍ ଓ ଡିଜେଲ୍‌ର ଦରରେ ସେହି ସମୟରେ ମାତ୍ର ୭-୧୧% ପର୍ଯ୍ୟନ୍ତ ହ୍ରାସ ହୋଇଛି। ଅଶୋଧିତ ତେଲ ଦରରେ ହୋଇଥିବା ହ୍ରାସର ପୂରା ଲାଭ ଗ୍ରାହକଙ୍କୁ ମିଳୁନାହିଁ।
ଗତ ଅକ୍ଟୋବର ୩ରେ ଅଶୋଧିତ ତେଲର ବ୍ୟାରେଲ୍ ପିଛା ଦର ୮୬.୭୦ ଡଲାର ଥିଲା। ଗତ ସପ୍ତାହରେ ତାହା ୬୦ ଡଲାର ସ୍ତରକୁ ଖସିଆସିଛି। ଅଶୋଧିତ ତେଲ ଦାମ୍ ୨୦ ଡଲାର କମିଥିବା ବେ‌ଳେ ପେଟ୍ରୋଲ୍ ଓ ଡିଜେଲ ଦରରେ ୫-୭ ଟଙ୍କା ମଧ୍ୟରେ ହ୍ରାସ ଘଟିଛି। ଏହା ପଛରେ କିଛି ରହସ୍ୟ ରହିଥିବା ସନ୍ଦେହ କରାଯାଉଛି। ତେଲ କଂପାନିଗୁଡ଼ିକ ନିଜର ମାର୍ଜିନ୍ ପରିମାଣ ଅଧିକ ରଖୁଥିବା ଯୋଗୁ ପେଟ୍ରୋଲ୍ ଓ ଡିଜେଲ ଦର ଯେତିକି କମିବା କଥା ତା’ଠାରୁ କମ୍ ହ୍ରାସ ପାଉଛି ବୋଲି କୁହାଯାଉଛି।
ଏ ବିଷୟରେ ଜଣେ ବିଶେଷଜ୍ଞ କହିଛନ୍ତି ଯେ, ବିଶୋଧନାଗାରରେ ଅଶୋଧିତ ତେଲକୁ ବିଶୋଧନ କରାଯିବା ପରେ ସେଥିରେ ବୀମା, ପରିବହନ ଖର୍ଚ ଓ ଅନ୍ୟାନ୍ୟ ଶୁଳ୍କ ମିଶାଇ ପେଟ୍ରୋଲ୍ ପମ୍ପ୍ ପାଖକୁ ପଠାଯାଏ। ସେହି ଦରକୁ ‘ଗେଟ୍‌ ପ୍ରାଇସ୍‌’ କୁହାଯାଏ। ଏହା ପରେ କେନ୍ଦ୍ର ଓ ରାଜ୍ୟର ଟିକସ ଏବଂ ଡିଲର୍‌ କମିସନ୍‌କୁ ମିଶାଇବା ପରେ ତେଲର ଖୁଚୁରା ଦର ନିର୍ଧାରଣ କରାଯାଏ। ପେଟ୍ରୋଲ୍‌ ପମ୍ପ୍‌ରେ ଲୋକମାନେ ଯେତିକି ଟଙ୍କା ଦେଇ ପେଟ୍ରୋଲ୍‌ କିମ୍ବା ଡିଜେଲ କିଣୁଛନ୍ତି ତାହା ହେଉଛି ଖୁଚୁରା ଦର।
ସନ୍ଦେହ କରାଯାଉଛି ଯେ, ତେଲ କଂପାନିଗୁଡ଼ିକ ନିଜର ‘ଗ୍ରସ୍‌ ମାର୍କେଟିଂ ମାର୍ଜିନ୍’ ବଢ଼ାଇ ଦେଇଥିବାରୁ ପେଟ୍ରୋଲ୍ ଓ ଡିଜେଲ୍ ଦର ଯେତିକି କମିବା କଥା ସେତିକି କମୁନାହିଁ। ଗତ ଅକ୍ଟୋବର ୮ରୁ ନଭେମ୍ବର ୧୯ ତାରିଖ ମଧ୍ୟରେ ତେଲ କଂପାନିଗୁଡ଼ିକର ଏହି ଗ୍ରସ୍‌ ମାର୍କେଟିଂ ମାର୍ଜିନ୍ ପେଟ୍ରୋଲ୍‌ ପାଇଁ ୪ ଟଙ୍କା ୯୮ ପଇସା ଓ ଡିଜେଲ୍‌ ପାଇଁ ୩ ଟଙ୍କା ୩ ପଇସା ବଢ଼ିଛି। କେଉଁ ଆଧାରରେ ତେଲ କଂପାନିଗୁଡ଼ିକ ଏହି ମାର୍ଜିନ୍ ବଢ଼ାଇଛନ୍ତି ତାହା ଜାଣିବା ଅତ୍ୟନ୍ତ କଷ୍ଟକର। କାରଣ ତେଲ ଦର ନିର୍ଧାରଣ ଏକ ଜଟିଳ ପ୍ରକ୍ରିୟା। ଏଥିରେ ଅନେକ ବିଷୟ ବିଚାରକୁ ନିଆଯାଏ। ଏହି ପ୍ରକ୍ରିୟାଟି କ’ଣ ତାହା ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇପାରିନାହିଁ। ତେଲ କଂପାନିଗୁଡ଼ିକ ପେଟ୍ରୋଲ୍ ଓ ଡିଜେଲ୍ ଦର ଏବଂ ସେଥିରେ ଲାଗୁ ଥିବା ଟିକସ ବିଷୟରେ ଯାହା କିଛି ଆଂଶିକ ସୂଚନା ଦେଉଛନ୍ତି। ସେଥିପାଇଁ ତେଲର ପ୍ରକୃତ ଦର କେତେ ରହିବା କଥା ତାହା ଜାଣିବା କଷ୍ଟକର ହୋଇପଡ଼ୁଛି।
ଉଲ୍ଲେଖଯୋଗ୍ୟ, ଇରାନ ଠାରୁ ତେଲ କିଣିବା ପାଇଁ ଆମେରିକା ପକ୍ଷରୁ ଭାରତ ସମେତ ୮ଟି ଦେଶକୁ ଅନୁମତି ପ୍ରଦାନ କରାଯିବା ପରେ ଅଶୋଧିତ ତେଲ ଦର ନିୟମିତ ଭ‌ାବେ ହ୍ରାସ ପାଇ ୬୦ ଡଲାର ପର୍ଯ୍ୟନ୍ତ ଖସିଗଲାଣି।

ସମ୍ବନ୍ଧିତ ଖବର