ନୂଆଦିଲ୍ଲୀ: ଖଣିଜ ପଦାର୍ଥ ଉପରେ ଟିକସ ଲାଗୁ କରିବା ଲାଗି ରାଜ୍ୟଗୁଡ଼ିକୁ ସୁପ୍ରିମ୍କୋର୍ଟ ଅନୁମତି ଦେବା ପରେ ଖଣି କମ୍ପାନିଗୁଡ଼ିକର ନଜର ଏବେ ଓଡ଼ିଶା ଉପରେ ରହିଛି। ଦେଶର ୪୦ ପ୍ରତିଶତ ଖଣିଜ ପଦାର୍ଥ ଓଡ଼ିଶାରେ ଉତ୍ପାଦନ କରାଯାଉଛି। ତେଣୁ ଏହି ରାଜ୍ୟ ଯେଉଁ ନୂଆ ଟିକସ ଲଗାଇବ କିମ୍ବା ପଦକ୍ଷେପ ଗ୍ରହଣ କରିବ ତାହା ସିଧାସଳଖ ଭାବେ ଖଣି କମ୍ପାନିଗୁଡ଼ିକୁ ପ୍ରଭାବିତ କରିବ।
ଗତ ଜୁଲାଇରେ ରୟାଲ୍ଟି ସଂକ୍ରାନ୍ତରେ ସୁପ୍ରିମ୍କୋର୍ଟ ଐତିହାସିକ ରାୟ ଦେବା ପରେ ଝାଡ଼ଖଣ୍ଡ ସରକାର ତୁରନ୍ତ ଏକ ନୂଆ ସେସ୍ ଲାଗୁ କରିଥିଲେ। କିନ୍ତୁ ସେହି ସେସ୍ କମ୍ପାନିଗୁଡ଼ିକୁ ବିଶେଷ ପ୍ରଭାବିତ କରିବ ନାହିଁ ବୋଲି କୁହାଯାଉଛି। ଓଡ଼ିଶା କ’ଣ ପଦକ୍ଷେପ ନେବ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଦେଶର ପାଞ୍ଚଟି ଖଣିଜ ସମ୍ପଦ ବହୁଳ ରାଜ୍ୟ ହେଉଛନ୍ତି ଓଡ଼ିଶା, ରାଜସ୍ଥାନ, ଛତିଶଗଡ଼, କର୍ଣ୍ଣାଟକ ଓ ଝାଡ଼ଖଣ୍ଡ। ଭାରତୀୟ ଖଣି ବ୍ୟୁରୋ (ଆଇବିଏମ୍) ତଥ୍ୟ ଅନୁସାରେ ୨୦୨୩ ଏପ୍ରିଲ୍ରୁ ୨୦୨୪ ଫେବ୍ରୁଆରି ମଧ୍ୟରେ ଓଡ଼ିଶାରେ ୫୬,୧୩୦ କୋଟି ଟଙ୍କାର ଖଣିଜ ପଦାର୍ଥ ଉତ୍ପାଦନ ହୋଇଛି। ଓଡ଼ିଶାରେ ଖଣି ଥିବା ପ୍ରମୁଖ ଶିଳ୍ପ ସଂସ୍ଥାଗୁଡ଼ିକ ହେଉଛି ଟାଟା ଷ୍ଟିଲ୍, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍, ଜେଏସ୍ଡବ୍ଲୁ ଷ୍ଟିଲ୍ ଓ ବେଦାନ୍ତ। ସୁପ୍ରିମ୍କୋର୍ଟଙ୍କ ରାୟ ପରେ ରାଜ୍ୟ ସରକାର ଯଦି କୌଣସି ନୂଆ ଟିକସ ଲାଗୁ କରିବେ ତେବେଏହି କମ୍ପାନିଗୁଡ଼ିକ ସିଧାସଳଖ ଭାବେ ପ୍ରଭାବିତ ହେବେ।
ରାଜ୍ୟଗୁଡ଼ିକ ଖଣିଜ ରୟାଲ୍ଟିକୁ ପିଛିଲା ଭାବେ ଆଦାୟ କରିପାରିବେ ବୋଲି ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିବା ପରେ କେଉଁ ରାଜ୍ୟ କେତେ ଟଙ୍କା ପାଇବେ ତାହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଏକ ଆକଳନରୁ ଜଣାପଡ଼ିଛି ଯେ ରାଜ୍ୟଗୁଡ଼ିକୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କାରୁ ମିଳିବ। ତାହାର ଅଧା ଭାଗ ଓଡ଼ିଶାକୁ ମିଳିବ। ଯେଉଁ ହାରରେ ଓଡ଼ିଶା ରାଜସ୍ବ ପାଉଛି ତାହା ହିସାବକୁ ନେଲେ ଓଡ଼ିଶାକୁ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କା ମିଳିବ ବୋଲି କୁହାଯାଉଛି। ଉଭୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ଘରୋଇ କମ୍ପାନିଗୁଡ଼ିକଠାରୁ ଓଡ଼ିଶା ଏହି ରାଜସ୍ବ ପାଇବ। ଏହା ବ୍ୟତୀତ ଓଡ଼ିଶା ଗ୍ରାମୀଣ ଭିତ୍ତିଭୂମି ଓ ସାମାଜିକ-ଅର୍ଥନୈତିକ ବିକାଶ ନିୟମ, ୨୦୦୪ ଅଧୀନରେ ବର୍ଷକୁ ଓଡ଼ିଶା ପାଖାପାଖି ୧୨ ହଜାର କୋଟି ଟଙ୍କା ପାଇବ ବୋଲି ଆକଳନ କରାଯାଇଛି। ୨୦୦୫ ଫେବ୍ରୁଆରିରେ ଏହି ନିୟମକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିଲେ। ଗୋଟିଏ ବର୍ଷ ପରେ ହାଇକୋର୍ଟ ଏହା ଉପରେ ରୋକ ଲଗାଇଥିଲେ। ମାତ୍ର ଖଣିଜ ଟିକସ ଲାଗୁ କରିବାର ଅଧିକାର ରାଜ୍ୟମାନଙ୍କ ରହିଛି ବୋଲି ସୁପ୍ରିମ୍କୋର୍ଟ ଏବେ ରାୟ ଦେଇଥିବାରୁ ପୁଣି ଥରେ ଓଡ଼ିଶା ସେହି ନିୟମକୁ ଲାଗୁ କରିପାରିବ ବୋଲି କୁହାଯାଉଛି। ଏହି ନିୟମରେ ଖଣିଜ ଥିବା ଜମି ଉପରେ ବାର୍ଷିକ ୨୦% ହାରରେ ଟିକସ ଲଗାଇବାର କ୍ଷମତା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶାକୁ ବାଦ ଦେଲେ ଅନ୍ୟ ଖଣିଜ ସମ୍ପଦ ଥିବା ରାଜ୍ୟଗୁଡ଼ିକ ମଧ୍ୟ ସୁପ୍ରିମ୍କୋର୍ଟଙ୍କ ରାୟ ଦ୍ବାରା ଉପକୃତ ହେବେ। ଆନ୍ଧ୍ରପ୍ରଦେଶକୁ ୫୦୦୦-୬୦୦୦ କୋଟି ଟଙ୍କା, ତେଲେଙ୍ଗାନାକୁ ୩୦୦ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି। ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ତାମିଲନାଡ଼ୁ, କର୍ଣ୍ଣାଟକ ଓ ରାଜସ୍ଥାନ ମଧ୍ୟ ସୁପ୍ରିମ୍କୋର୍ଟଙ୍କ ରାୟ ଦ୍ବାରା ଉପକୃତ ହେବେ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଓ ଖଣି କମ୍ପାନିଗୁଡ଼ିକଠାରୁ ୨୦୦୫ ଏପ୍ରିଲ୍ରୁ ପିଛିଲା ଭାବେ ଟିକସ ଆଦାୟ କରିବା ଲାଗି ସୁପ୍ରିମ୍କୋର୍ଟ ରାଜ୍ୟମାନଙ୍କୁ ଅନୁମତି ଦେଇଛନ୍ତି। ଗତ ଜୁଲାଇରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୯ ଜଣ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନ ପୀଠ ୮:୧ ସଂଖ୍ୟା ଗରିଷ୍ଠତାରେ ରାଜ୍ୟମାନଙ୍କୁ ଖଣି ଟିକସ ଲାଗୁ କରିବାର ଅଧିକାର ସମ୍ପର୍କିତ ରାୟ ଦେଇଥିଲେ। ତାହାକୁ ପିଛିଲା ଭାବେ ଲାଗୁ ନ କରିବାକୁ କେନ୍ଦ୍ର ସରକାର ଓ ଖଣି କମ୍ପାନିଗୁଡ଼ିକ ଯେଉଁ ଅନୁରୋଧ କରିଥିଲେ, କୋର୍ଟ ତାହାକୁ ପ୍ରତ୍ୟାଖ୍ୟାନ କରିବା ସହ ଜୁଲାଇ ରାୟରେ ଅଟଳ ରହିଛନ୍ତି। କିନ୍ତୁ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟଗୁଡ଼ିକ ୨୦୨୬ ଏପ୍ରିଲ୍ ପରେ ଟିକସ ଲାଗୁ କରିପାରିବେ। ସେମାନେ ପିଛିଲା ଟିକସକୁ ୧୨ ବର୍ଷ ଭିତରେ କିସ୍ତି ଆକାରରେ ପାଇପାରିବେ।