ଜେଏସ୍‌ଡବ୍ଲୁ ଷ୍ଟିଲ୍‌କୁ ଗଣୁଆ, ଶ୍ୟାମ୍‌ ଓର୍‌କୁ ଜିଲିଙ୍ଗ୍ ଲୁହାପଥର ଖଣି

ଭୁବନେଶ୍ବର : ଓଡ଼ିଶାରେ ଚାଲିଥିବା ଖଣି ନିଲାମ ପ୍ରକ୍ରିୟାରେ ଆଜି ଦୁଇଟି ଖଣିର ନିଲାମ ହୋଇଛି। ଜେଏସ୍୍ଡବ୍ଲୁ ଷ୍ଟିଲ୍‌କୁ ଗଣୁଆ ଲୁହା ପଥର ଖଣି ଓ ଝାଡ଼ଖଣ୍ଡର ଶ୍ୟାମ ‌ଓର୍‌କୁ ଜିଲିଙ୍ଗ୍‌-ଲାଙ୍ଗ୍‌ଲୋଟା ଲୁହା ପଥର ଖଣି ମିଳିଛି। ଗଣୁଆ ଖଣି ଦୌଡ଼ରେ ଥିଲେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌, କେଜେଏସ୍‌ ଆଲୁୱାଲିଆ, ରୁଙ୍ଗଟା ମାଇନ୍ସ, ଶ୍ୟାମ ଷ୍ଟିଲ୍‌ ଓ ଆମାଲଗାମ୍ ଷ୍ଟିଲ୍। ବିକ୍ରି ମୂଲ୍ୟ ଉପରେ ୧୩୨% ପ୍ରିମିୟମ୍ ଦେଇ ଏହି ଖଣିକୁ ଜେଏସ୍‌ଡବ୍ଲୁ ଷ୍ଟିଲ୍ ହାସଲ କରିଛି। ସେହିପରି, ଜିଲିଙ୍ଗ୍‌-ଲାଙ୍ଗଲୋଟା ଖଣିକୁ ସର୍ବାଧିକ ୧୩୫% ପ୍ରିମିୟମ୍ ସହ ଶ୍ୟାମ୍‌ ଓର୍‌ ହାସଲ କରିଛି। ଜିଲିଙ୍ଗ୍-ଲାଙ୍ଗଲୋଟାକୁ ପାଇବା ଦୌଡ଼ରେ ଥିଲେ ଶ୍ୟାମ ଓର୍‌, ଆଦାନି ଏଣ୍ଟରପ୍ରାଇଜେସ୍, ସିରାଜୁଦ୍ଦିନ, ଜେଏସ୍‌ଡବ୍ଲୁ ଷ୍ଟିଲ୍‌, ରୁଙ୍ଗ୍‌ଟା ଫ୍ରିଗ୍ରେଡ୍‌, ଟି ପି ସାଓ, ଆମାଲଗାମ୍ ଷ୍ଟିଲ୍ ଓ ଏସେଲ୍‌ ମାଇନିଂ।

ସୁନ୍ଦରଗଡ଼ରେ ୮୬.୮୮୬ ହେକ୍ଟର ପରିମିତ ଗଣୁଆ ଖଣିରେ ୧୧୮.୯୧ ‌ନିୟୁତ ଟନ୍‌ ଲୁହାପଥର ଗଚ୍ଛିତ ରହିଛି। ବର୍ତ୍ତମାନ ଏହି ଖଣିର ଲିଜ୍‌ଧାରୀ ଥିବା ପି.କେ ଆହ୍ଲୁଵାଲିଆଙ୍କ ଲିଜ୍‌ ଅବଧି ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ସରିଯିବ। ସେହିପରି, କେନ୍ଦୁଝରର ଜିଲିଙ୍ଗ୍‌-ଲାଙ୍ଗଲୋଟାର ଲୁହା ପଥର ଖଣିର ବର୍ତ୍ତମାନର ଲିଜ୍‌ଧାରୀ ଏସେଲ୍‌ ମାଇନିଂ ଥିବା ବେଳେ ଏହାର ଲିଜ୍ ଅବଧି ମଧ୍ୟ ସେହି ଦିନ ଶେଷ ହେଉଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟର ୬ଟି ଖଣିର ନିଲାମ ହୋଇଥିବା ବେଳେ ତିନିଟି ଖଣି ଜେଏସ୍‌ଡବ୍ଲୁକୁ ମିଳିଛି। ସେଗୁଡ଼ିକ ହେଉଛି ନୂଆଗାଁ, ନାରାୟଣପୋଷି ଓ ଗଣୁଆ। ଓଡ଼ିଶାରେ ଏବେ ୧୮ଟି ଖଣିର ନିଲାମ ଚାଲିଥିବା ବେଳେ ସେଥିରୁ ଅତିକମ୍‌ରେ ୫ଟି ଖଣି ହାସଲ କରିବା ଲାଗି ଜେଏସ୍‌ଡବ୍ଲୁ ଉଦ୍ୟମ କରୁଛି। ଆଜି ଜିଲିଙ୍ଗ୍‌ ଲାଙ୍ଗଲୋଟା ଖଣିର ବୈଷୟିକ ବିଡ୍‌କୁ ଖୋଲିଯିବା ସହିତ ସେଗୁଡ଼ିକର ଅନୁଧ୍ୟାନ ଚାଲିଥିବା ଜଣାପଡ଼ିଛି। ପୂର୍ବରୁ ନିଲାମ ହୋଇସାରିଥିବା ବଲ୍‌ଦା ଖଣିକୁ ସିରାଜୁଦ୍ଦିନ ମାଇନ୍ସ ପାଇଥିବା ବେଳେ ଠାକୁରାଣୀ ଲୁହା ପଥର ଖଣି ଆର୍ସେଲର ମିତ୍ତଲକୁ ମିଳିଛି।

ସମ୍ବନ୍ଧିତ ଖବର