ଭୁବନେଶ୍ବର: ଦୀର୍ଘଦିନରୁ ସଫଳତାର ସହ ନିଲାମ ହୋଇଥିବା କିଛି ଖଣି କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏଭଳି ପ୍ରାୟ ୨୦ଟି ଖଣି ରହିଛି ଯାହାକୁ ୨୦୧୬-୨୦୨୩ ମଧ୍ୟରେ ନିଲାମ କରାଯାଇଥିଲା। ବୈଧାନିକ ମଞ୍ଜୁରି ଓ ପ୍ରଶାସନିକ ସମସ୍ୟା କାରଣରୁ ଖଣିଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁନଥିବା ଜଣାପଡ଼ିଛି। ଖଣି ଖୋଲୁ ନଥିବାରୁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ରୁଙ୍ଗଟା ମାଇନ୍ସ, ଟାଟା ଷ୍ଟିଲ୍, ବେଦାନ୍ତ, ଜେଏସ୍ଡବ୍ଲୁ ଷ୍ଟିଲ୍ ଓ ଅମ୍ବୁଜା ସିମେଣ୍ଟ ଭଳି କର୍ପୋରେଟ୍ ସଂସ୍ଥା ପାଇଥିବା ଖଣିଗୁଡ଼ିକ କାର୍ଯ୍ୟକ୍ଷମ ହୋଇନାହିଁ।
ଏହି ତାଲିକାରେ ରୁଙ୍ଗଟାର ପୁରେଇବାହାଲ, ଚଣ୍ଡିପୋଷୀ, କେନ୍ଦୁଡିହି ଖଣି, ଟାଟା ଷ୍ଟିଲ୍ର କଳମାଙ୍ଗ ୱେଷ୍ଟ୍ ଲୁହାପଥର ଖଣି ଓ ଗନ୍ଧଲପଡ଼ା ଖଣି ଓ ବେଦାନ୍ତର ସିଜିମାଳି ବକ୍ସାଇଟ୍ ଖଣି ରହିଛି। ଅଧିକାଂଶ ପ୍ରକଳ୍ପ ଲାଗି ପରିବେଶ ଓ ଜଙ୍ଗଲ ମଞ୍ଜୁରି, ଜଙ୍ଗଲ ଜମିର କିସମ ପରିବର୍ତ୍ତନ, କ୍ଷତିପୂରଣଭିତ୍ତିକ ବନୀକରଣ ସର୍ତ୍ତ ଆଦି ପ୍ରତିବନ୍ଧକ ହୋଇରହିଛି। କିଛି ଖଣି କ୍ଷେତ୍ରରେ ଆବଣ୍ଟନ ହାସଲ କରିଥିବା ସଂସ୍ଥା ଗୁରୁତ୍ବ ଦେଖାଉଥିବା ବେଳେ ଆଉ କିଛି ଖଣି ପାଇଁ ପାଇଥିବା ସଂସ୍ଥା ଆଦୌଁ ଗୁରୁତ୍ବ ଦେଉନାହାନ୍ତି। ଜଗଦଲପୁର ଗ୍ରାଫାଇଟ୍ ଖଣି ପାଇଥିବା ସଂସ୍ଥା ଏପର୍ଯ୍ୟନ୍ତ କୌଣସି ପ୍ରକାର ମଞ୍ଜୁରି ପାଇଁ ଆବେଦନ କରିନାହିଁ। ତେଣୁ କମ୍ପାନିଠାରୁ ଉକ୍ତ ଖଣି ଛଡ଼ାଇ ଆଣିବା ବିଷୟରେ ସରକାର ବିଚାର କରୁଛନ୍ତି। ନିଲାମ ହୋଇଥିବା ଖଣିଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଲାଗି ସରକାର ନିୟମିତ ବ୍ୟବଧାନରେ ସମୀକ୍ଷା ବୈଠକ କରୁଥିଲେ ମଧ୍ୟ ତାହା ପ୍ରଭାବୀ ସାବ୍ୟସ୍ତ ହୋଇପାରୁନାହିଁ। ଖଣି ନିଲାମ ହେବା ପରେ ତାହାକୁ ଖୋଲିବା ପାଇଁ ଆବଶ୍ୟକ ମଞ୍ଜୁରି ହାସଲ କରିବାର ଦାୟିତ୍ବ ଖଣି କମ୍ପାନି ହାତରେ ରହିଛି। ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ସେମାନେ ସେଥିପାଇଁ ଆବେଦନ କରି ମଞ୍ଜୁରି ପାଇବାର ବ୍ୟବସ୍ଥା ଥିଲେ ମଧ୍ୟ ଅନେକ ସଂସ୍ଥା ସେଥିରେ ବିଳମ୍ବ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରଗତି ସେଲ୍ ତରଫରୁ ନିୟମିତ ସମୀକ୍ଷା କରାଯିବା ସତ୍ତ୍ବେ ଖଣିଗୁଡ଼ିକ କାର୍ଯ୍ୟକ୍ଷମ ନ ହେବାର ଚିନ୍ତାର ବିଷୟ ପାଲଟିଛି।