ଖଣି ପ୍ଲାନ୍ ପାଇଁ ଅନ୍‌ଲାଇନ୍ ବ୍ୟବସ୍ଥା ଆସିବ

କାଗଜପତ୍ର ଯୁଗ ଶେଷ ହେବ, ଫେସ୍‌ଲେସ୍‌ ବାର୍ତାଳାପ ସୁବିଧା ରହିବ

ଭୁବନେଶ୍ବର: ବର୍ତ୍ତମାନ ଖଣି କଂପାନିଗୁଡ଼ିକ ନିଜର ମାଇନିଂ ପ୍ଲାନ୍ (ଖଣି ଯୋଜନା)କୁ କାଗଜପତ୍ର ଜରିଆରେ ଦାଖଲ କରୁଛନ୍ତି। ସେହି ଜଟିଳ ବ୍ୟବସ୍ଥାକୁ ବଦଳାଇ ମାଇନିଂ ପ୍ଲାନ୍ ଦାଖଲ ପାଇଁ ଏକ ଅନ୍‌ଲାଇନ୍ ବ୍ୟବସ୍ଥା ବିକଶିତ କରିବା ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ‌ଏଥିରେ ଫେସ୍‌ଲେସ୍‌ ବାର୍ତାଳାପର ସୁବିଧା ମଧ୍ୟ ରହିବ। ଏହାର ଅର୍ଥ ହେଉଛି ଖଣି ଯୋଜନା ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ଖଣି କଂପାନିର ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୁହାଯିବ ନାହିଁ। ଅନ୍‌ଲାଇନ୍‌ରେ ବାର୍ତାଳାପ ହେବ। ଖଣି କ୍ଷେତ୍ରରେ ବ୍ୟବସାୟ ବାତାବରଣକୁ ସହଜ କରିବା ପାଇଁ ଭବିଷ୍ୟତରେ ଗ୍ରହଣ କରାଯିବାକୁ ଥିବା କିଛି ନୂତନ ବ୍ୟବସ୍ଥା ମଧ୍ୟରୁ ଏହା ଅନ୍ୟତମ ବୋଲି କେନ୍ଦ୍ର ଖଣି ମନ୍ତ୍ରାଳୟର ଅତିରିକ୍ତ ସଚିବ ତଥା ଇଣ୍ଡିଆନ୍‌ ବ୍ୟୁରୋ ଅଫ୍ ମାଇନ୍ସ (ଆଇବିଏମ୍‌)ର ମହାନିୟନ୍ତ୍ରକ ଡକ୍ଟର କେ ରାଜେଶ୍ବର ରାଓ କହିଛନ୍ତି।

ଆଜି ହୋଟେଲ୍ କ୍ରାଉନ୍‌ରେ ଆଇବିଏମ୍‌ର ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଶ୍ରୀମତୀ ଇନ୍ଦ୍ରାଣି ପଟ୍ଟନାୟକଙ୍କ ଉଞ୍ଚାବାଲି ଲୁହାପଥର ଓ ମାଙ୍ଗାନିଜ ଖଣି ପକ୍ଷରୁ ଆୟୋଜିତ ‘୨୧ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ’ର ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହି ସୂଚନା ଦେଇଛନ୍ତି। ସେ କହିଲେ, ଆଗାମୀ ୭-୧୦ ବର୍ଷକୁ ନଜରରେ ରଖି ଖଣି କ୍ଷେତ୍ର ନିମନ୍ତେ ଏକ ନୀତି ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି। ସେହି କମିଟି ଜାତୀୟ ଖଣିଜ ନୀତିରେ କ’ଣ ସବୁ ସଂଶୋଧନ ଦରକାର ତାହାକୁ ଅନୁଧ୍ୟାନ କରୁଛି। ଖଣି କଂପାନିଗୁଡ଼ିକ ଲାଗି ଅନେକ ବ୍ୟବସ୍ଥାକୁ ଅନ୍‌ଲାଇନ୍ କରାଯିବା ଉପରେ ବିଚାର କରାଯାଉଥିବା ବେଳେ ଯାଞ୍ଚ ପାଇଁ ମଧ୍ୟ ଏକ ଭିନ୍ନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଯୋଜନା ରହିଛି।

ଶ୍ରୀ ରାଓ କହିଛନ୍ତି ଯେ, ବର୍ତ୍ତମାନ ୫୬% ଖଣି ପ୍ଲାନ୍‌କୁ ୪୫ ଦିନ ଭିତରେ ମଞ୍ଜୁରି ପ୍ରଦାନ କରାଯାଉଛି। ବିଶେଷ ଅସୁବିଧା ନଥିବା ବଳକା ପ୍ଲାନ୍‌ଗୁଡ଼ିକୁ ୯୦ ଦିନ ଭିତରେ ମଞ୍ଜୁର କରାଯାଉଛି। ୧୦୦% ମାଇନିଂ ପ୍ଲାନ୍‌କୁ ୪୫ ଦିନ ଭିତରେ ମଞ୍ଜୁରି ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କଂପାନିଗୁଡ଼ିକ ଦାଖଲ କରୁଥିବା ମାସିକ ଓ ବାର୍ଷିକ ରିଟର୍ଣ୍ଣରେ ରହୁଥିବା ତ୍ରୁଟିକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଖୁବ୍‌ଶୀଘ୍ର ୧୦୦ ଖଣି ନିଲାମ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ ରାଜ୍ୟ ଖଣି ନିର୍ଦେଶକ ଦୀପକ ମହାନ୍ତି କହିଛନ୍ତି ଯେ, ଖଣି କ୍ଷେତ୍ରରେ ପରିବେଶ ଓ ସୁରକ୍ଷାକୁ ନେଇ ଓଡ଼ିଶାର ସ୍ଥିତି ଉଦ୍‌ବେଗଜନକ ନୁହେଁ। ରାଜ୍ୟରେ ୨୦୨୧-୨୫ ସୁଦ୍ଧା ୨୦୦ ନିୟୁତ ଟନ୍ ଖଣିଜ ପଦାର୍ଥ ଉତ୍ପାଦନ କରାଯାଇପାରିବା ଭଳି ସମ୍ଭାବନା ରହିଛି। ପରିବେଶ ଓ ସୁରକ୍ଷାକୁ ନେଇ ଯେଉଁ ସବୁ ନିୟମ ରହିଛି ତାହାକୁ କଡ଼ାକଡ଼ି ପାଳନ କରିବାକୁ ସେ କଂପାନିଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳନ ପାଇଁ ଗଠନ କରାଯାଇଥିବା ଆୟୋଜନ କମିଟିର ଅଧ୍ୟକ୍ଷ ଦୀପ୍ତି ରଞ୍ଜନ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିଛନ୍ତି। ଗତ ମାର୍ଚ ୧୧-୧୭ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରାଯାଇଥିଲା। ଏଥିରେ ରାଜ୍ୟର ୭୮ଟି ଖଣି ଅଂଶଗ୍ରହଣ କରିଥିଲେ। ସେହି ସମୟରେ ବିଭିନ୍ନ ପ୍ରକାର ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ଓ ବିତର୍କ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସେହି ପ୍ରତିଯୋଗିତାର ବିଜେତାମାନଙ୍କୁ ଆଜିର କାର୍ଯ୍ୟକ୍ରମ‌େର ପୁରସ୍କୃତ କରାଯାଇଛି। ଖଣି ପରିଚାଳନା ଓ ଖଣିଜ ସଂରକ୍ଷଣ ଦିଗରେ ଉଲ୍ଲେଖନୀୟ ଅବଦାନ ଥିବା ଖଣି କ୍ଷେତ୍ରର କର୍ମଚାରୀଙ୍କୁ ‘ପରିବେଶ ବନ୍ଧୁ ପୁରସ୍କାର ଓ ଖଣିଜ ସଂରକ୍ଷଣ ବନ୍ଧୁ ପୁରସ୍କାର’ ଏବଂ ଶ୍ରେଷ୍ଠ କର୍ମଚାରୀ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳ, ଆଇବିଏମ୍‌ର କଣ୍ଟ୍ରୋଲର୍‌ ଅଫ୍ ମାଇନ୍ସ ପଙ୍କଜ କୁଳଶ୍ରେଷ୍ଠ, ରିଜିଓନାଲ୍ କଣ୍ଟ୍ରୋଲର୍‌ ଅଫ୍‌ ମାଇନ୍ସ ହର୍କେଶ ମିନା ଓ ଆୟୋଜନ କମିଟିର ସମ୍ପାଦକ ଅଂଶୁମାନ ପଟ୍ଟନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର