ଭୁବନେଶ୍ବର: ବିକଶିତ ଓଡ଼ିଶା ଓ ଭାରତର ସମୃଦ୍ଧିରେ ଖଣିଖାଦାନର ଭୂମିକା ବେଶ ଗୁରୁତ୍ବ। ଏପରିକି ଖଣି କାରବାର ଆମ ରାଜ୍ୟ ଓ ଦେଶର ଅର୍ଥନୀତି ମେରୁଦଣ୍ଡ ବୋଲି କୁହାଯାଉଛି। ନୂତନ ଖଣିନୀତି ଅନୁଯାୟୀ ଦିନକୁ ଦିନ ଖଣି କାରବାର ସୁଦୃଢ ହେବା ବଦଳରେ‌ ଦୁର୍ବଳ ହେବାରେ ଲାଗିଛି। ଗତ ୨ବର୍ଷରେ ଗୋଟିଏ ବି ଲୁହାପଥର ଖଣି ନିଲାମ ହୋଇନାହିଁ। ସେହିପରି ଖଣିରୁ ରାଜସ୍ବ ବୃଦ୍ଧି ବଦଳରେ ହ୍ରାସ ଘଟିଛି। ଯାହାକୁ ନେଇ ଅର୍ଥନୀତି ବିଶାରଦମାନେ ଚିନ୍ତା ପ୍ରକଟ କରିଛନ୍ତି। 

Advertisment

ଅନୁସନ୍ଧନରୁ ଜଣାପଡ଼ିଛି ୨୦୦୯ ମସିହା ପୂର୍ବରୁ ରାଜ୍ୟରେ ୬୨୯ଟି ଲୁହାପଥର, ମାଙ୍ଗାନିଜ, କ୍ରୋମାଇଟ୍, ଗ୍ରାଫାଇଟି, ବକ୍ସସାଇଟ୍ ପ୍ରଭୃତି ଖଣି ଲିଜ୍ ଥିଲା। ଏଥି ମଧ୍ୟରୁ  ୪ଶହ ଖଣି କାର୍ଯ୍ୟକ୍ଷମ ଥିଲା। ବିଭିନ୍ନ କାରଣ ଓ ଖନନ ସମୟ ମିଆଦ ପୂରଣ ହୋଇଯାଇଥିବା ଯୋଗୁଁ ୨ଶହ ଖଣି ବନ୍ଦ ହୋଇଯାଇଛି। ଏବେ  ବି ୩୮୩ଟି ଖଣି ଲିଜ୍ ମିଆଦ ରହିଛି। ପରିବେଶ ମଞ୍ଜୁରି ଓ ଜଙ୍ଗଲ ବିଭାଗ ଅନୁମତି ପ୍ରଭୃତି କାରଣରୁ ୧୮୧ଟି କାର୍ଯ୍ୟକ୍ଷମ ହୋଇପାରୁନଥିବା ବେଳେ ୨୦୨ଟି କାର୍ଯ୍ୟକ୍ଷମ ରହିଛି। ମାତ୍ର ୨୦୧୫ ନୂତନ ଖଣିନୀତି ଅନୁଯାଇ ଲିଜ୍ ବଦଳରେ ‌ନିଲାମ ନୀତି ଗ୍ରହଣ କରାଯାଇଛି। ଏହି ନୀତି ଅନୁଯାୟୀ ନିଲାମଧାରୀମାନେ ଖୋଲା ନିଲାମରେ ଭାଗ ନେଇଥିଲେ। ଏବେ ସୁଦ୍ଧା ମାତ୍ର ୪୪ଟି ଖଣି ନିଲାମ୍ ହୋଇଛି। ପୂର୍ବ ନିୟମ ଅନୁଯାୟୀ ୨ଶହ ଖଣି ବଦଳରେ ମାତ୍ର ୨୪ଟି ଖଣି କାର୍ଯ୍ୟକ୍ଷମ ରହିଛି।  ନିଲାମ ହୋଇଥିବା ୪୪ଟି ଖଣିରୁ ୨୦ଟି ଖଣିର ପରିବେଶ ମଞ୍ଜୁରି, ଜଙ୍ଗଲ ବିଭାଗ ଅନୁମତି ଓ ଅନ୍ୟାନ୍ୟ କାରଣ ପାଇଁ  ଖଣିଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁନାହିଁ।  

ଖଣି, ଜଙ୍ଗଲ ଓ ପରିବେଶ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ଅଭାବ ରହିଛି। ୨୦୨୩  ଓ ୨୦୨୪ରେ ଗୋଟିଏ ବି ଲୁହାପଥର ଖଣି ନିଲାମ ହୋଇନାହିଁ।  ଯାହା ଫଳରେ ଖଣି ରାଜସ୍ବ ଦିନକୁ ଦିନ ହ୍ରାସ ଘଟୁଛି।  ୨୦୨୧-୨୨ରେ  ଖଣିରୁ  ୪୯ହଜାର ୯ଶହ କୋଟି ଟଙ୍କା ରାଜସ୍ବ ମିଳିଥିଲା।  ପର୍ଯ୍ୟାୟକ୍ରମେ ଏହା ୮୦ହଜାର କୋଟି ଟଙ୍କାରେ ପହଞ୍ଚିବା ପରିବର୍ତ୍ତେ ତାହା  ହ୍ରାସ ପାଇଁ ଏବେ ୪୦ ହଜାର କୋଟି ଟଙ୍କାରେ ପହଞ୍ଚିଛି। ଖଣିଜ ସମ୍ପଦ ପରିଚାଳନାରେ ଏପରି ତ୍ରୁଟି ଖଣିଜ ଶିଳ୍ପକୁ ବ୍ୟାପକ ଭାବରେ ପ୍ରଭାବିତ କରୁଛି। ଯାହାର ଫଳରେ ଖଣିଜ ସମ୍ପଦ ରପ୍ତାନି ବଦଳରେ ଆମଦାନିର ସ୍ଥିତି ଉପୁଜିଛି। ବିଗତ ଦଶବର୍ଷରେ ଖଣିଜ ସମ୍ପଦକୁ ନେଇ ଓଡ଼ିଶାର ଆର୍ଥିକ ପ୍ରଗତି ଦ୍ରୁତଗତିରେ ଗତି କରୁଥିଲା। ଏବେ ସେଥିରେ ରୋକ୍ ଲାଗିଛି।  ଏହା ଉପରେ  ବିଚାର କରି  ବିଭିନ୍ନ ବିଭାଗ ଓ  ନୀତିନିୟମରେ ଥିବା ତ୍ରୁଟିକୁ ସୁଧାରିଲେ ରାଜ୍ୟର ଖଣି ରାଜସ୍ବ ବୃଦ୍ଧି ସହିତ ଶିଳ୍ପାୟନ ଉତ୍ସାହିତ କରିବ ବୋଲି ବୁଦ୍ଧିଜୀବୀ ମତ ବ୍ୟକ୍ତ କରିଛନ୍ତି।