ନୂଆଦିଲ୍ଲୀ: ଖଣି ଅପରେଟରମାନେ ଦେଉଥିବା ରୟାଲ୍ଟିକୁ ଟିକସ କୁହାଯାଇପାରିବ ନାହିଁ ବୋଲି ଦିଆଯାଇଥିବା ରାୟର ସମୀକ୍ଷା କରିବାକୁ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଛନ୍ତି। ସୁପ୍ରିମ୍କୋର୍ଟଙ୍କ ୯ ଜଣିଆ ସମ୍ବିଧାନ ପୀଠ ୮-୧ ସଂଖ୍ୟା ଗରିଷ୍ଠତା ଆଧାରରେ ରିଭ୍ୟୁ ପିଟିସନ୍କୁ ଖାରଜ କରିଛନ୍ତି। କେବଳ ଜଷ୍ଟିସ୍ ବି ଭି ନାଗରତ୍ନା ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇଥିଲେ।
ଚଳିତ ବର୍ଷ ଜୁଲାଇ ୨୫ରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ ସପକ୍ଷରେ ଏକ ଐତିହାସିକ ରାୟ ଦେଇଥିଲେ। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠନ କରାଯାଇଥିବା ୯ ଜଣିଆ ସମ୍ବିଧାନ ପୀଠ ୮-୧ ସଂଖ୍ୟା ମତରେ ରାୟ ପ୍ରକାଶ କରି ଜଣାଇଥିଲେ ଯେ ଖଣି ଉପରେ ଟିକସ ଲଗାଇବାର ଅଧିକାର ରାଜ୍ୟମାନଙ୍କ ପାଖରେ ରହିଛି। ଖନନ ହେଉଥିବା ଖଣିଜ ପଦାର୍ଥ ଉପରୁ ରୟାଲ୍ଟି ଆଦାୟ କରିବା ଏବଂ ଖଣି ଥିବା ଅଞ୍ଚଳ ଉପରେ ଟିକସ ଲଗାଇବା ପାଇଁ ସୁପ୍ରିମ୍କୋର୍ଟ ରାଜ୍ୟମାନଙ୍କୁ ଅନୁମତି ଦେଇଥିଲେ।
ରାୟରେ ଅନେକ ତ୍ରୁଟି ଥିବା ଦର୍ଶାଇ ଗତ ସେପ୍ଟେମ୍ବରରେ କେନ୍ଦ୍ର ସରକାର ଏକ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ। କେନ୍ଦ୍ରର ଯୁକ୍ତି ହେଉଛି ଆକାଶ ତଳେ ଥିବା ସବୁ କିଛିକୁ ଯଦି ଜମି ବୋଲି ବିଚାର କରାଯିବ ତେବେ ଯେକୌଣସି ବିଷୟରେ ଆଇନ ଆଣିବା ଲାଗି ରାଜ୍ୟମାନଙ୍କୁ ଅଧିକାର ମିଳିଯିବ। ଏହି ମାମଲାରେ ଅଗଷ୍ଟ ୧୪ରେ ସୁପ୍ରିମ୍କୋର୍ଟ ଆଉ ଏକ ରାୟ ଦେଇ କହିଥିଲେ ଯେ ରାଜ୍ୟଗୁଡ଼ିକ କେନ୍ଦ୍ର ସରକାର ଓ ଖଣି ସଂସ୍ଥାଗୁଡ଼ିକଠାରୁ ସେମାନଙ୍କ ବକେୟା ଅସୁଲ କରିପାରିବେ। ତେବେ କେବଳ ୨୦୦୫ ଏପ୍ରିଲ୍ ୧ ପର ସମୟ ପାଇଁ ସେମାନେ ଦାବି ଉପସ୍ଥାପନ କରିପାରିବେ। କୌଣସି ଜରିମାନା ଓ ସୁଧ ଲଗାଇପାରିବେ ନାହିଁ। ଖଣି କମ୍ପାନିଗୁଡ଼ିକ ୧୨ ବର୍ଷ ମଧ୍ୟରେ କିସ୍ତି ଆକାରରେ ସେହି ଟଙ୍କା ଦେଇପାରିବେ ବୋଲି କୋର୍ଟ କହିଥିଲେ।
ସୁପ୍ରିମକୋର୍ଟଙ୍କ ରାୟ ଦ୍ବାରା ଖଣି ଲିଜଧାରୀମାନଙ୍କ ଉପରେ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ବୋଝ ପଡ଼ିବ ବୋଲି ଆକଳନ କରାଯାଇଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ୭୦ ହଜାର କୋଟି ଟଙ୍କା ଗଣିବାକୁ ପଡ଼ିବ। କିନ୍ତୁ ଏହି ରାୟ ଦ୍ବାରା ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ଭଳି ରାଜ୍ୟ ଉପକୃତ ହେବେ।