ଭୁବନେଶ୍ବର: ଇଣ୍ଡିଆନ୍ ମାଇନିଂ ଆଣ୍ଡ୍ ଜର୍ଣ୍ଣାଲ୍ ପକ୍ଷରୁ ଭୁବନେଶ୍ବରରେ ତୃତୀୟ ସୁରକ୍ଷିତ ଓ ସ୍ଥାୟୀ ଖଣି ପ୍ରଯୁକ୍ତି ଅନ୍ତର୍ଜାତୀୟ ସମ୍ମିଳନୀ ‘ଆଇକନ୍ଏସ୍ଏସ୍ଏମ୍ଟି-୨୦୨୫’ ବୁଧବାର ଆରମ୍ଭ ହୋଇଛି। ସମ୍ମିଳନୀରେ ଭାଗ ନେଇଥିବା ବକ୍ତାମାନେ ଖଣିର ସ୍ଥାୟୀ ବିକାଶ ଓ ନୂତନ ପ୍ରଯୁକ୍ତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ସେମାନେ କହିଛନ୍ତି ଯେ କୋଇଲା ଉତ୍ପାଦନରେ ଓଡ଼ିଶା ଶୀର୍ଷରେ ଥିବା ସହିତ ଲୁହାପଥର ଓ ଗ୍ରାଫାଇଟ୍ ଉତ୍ପାଦନରେ ଏକ ନମ୍ବର ରହିଛି। ୯୯ ପ୍ରତିଶତ କ୍ରୋମ ପଥର ଓଡ଼ିଶାରେ ଉତ୍ପାଦନ ହେଉଛି। ୨୦୩୬ରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପାଳନ କରିବା ସମୟରେ ସବୁ ଖଣିଜ ଉତ୍ପାଦନରେ ଓଡ଼ିଶା ଶୀର୍ଷରେ ପହଞ୍ଚିବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ଓ ମଧ୍ୟପ୍ରଦେଶର ସତ୍ନା ସ୍ଥିତ ଏକେଏସ୍ ବିଶ୍ବବିଦ୍ୟାଳୟ ହେଉଛି ଏହି ସମ୍ମିଳନୀର ଜ୍ଞାନ ସହଯୋଗୀ। ଏହି ଦୁଇଦିନିଆ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଆଇଆଇଟି ପାଟ୍ନାର ନିର୍ଦ୍ଦେଶକ ପ୍ରଫେସର ଟି ଏନ୍ ସିଂହ, ନେଭେଲି ଲିଗ୍ନାଇଟ୍ର ମୁଖ୍ୟ ପ୍ରସନ୍ନ କୁମାର ଏମ୍, ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡସ୍ର ମୁଖ୍ୟ ସତୀଶ ଝା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ୨୦୦ ପ୍ରତିନିଧି ଭାଗ ନେଇଥିବା ବେଳେ ୪୦ ପେପର୍ ଉପସ୍ଥାପନ କରାଯିବ। ହିଣ୍ଡାଲ୍କୋ ସମେତ ୫୦ ସଂସ୍ଥାର ପ୍ରତିନିଧି ଓ ଇଞ୍ଜିନିୟର ମଧ୍ୟ ଏଥିରେ ଅଂଶଗ୍ରହଣ କରିଛନ୍ତି। ସମ୍ମିଳନୀରେ ବିଶିଷ୍ଟ ଖଣି ଇଞ୍ଜିନିୟର ଓ ଖଣି ସଂସ୍ଥାଗୁଡ଼ିକୁ ପୁରସ୍କୃତ କରାଯିବ। ଏକେଏସ୍ ବିଶ୍ବବିଦ୍ୟାଳୟର ପ୍ରଫେସର ଜ୍ଞାନୀନ୍ଦ୍ର କୁମାର ପ୍ରଧାନ ଓ ଏନ୍ଆଇଟି ରାଉରକେଲାର ପ୍ରଫେସର ଏସ୍ ଜୟନ୍ତୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।