ଆଜି ଖୋଲିବ ଓଡ଼ିଶାର ୯ଟି କୋଇଲା ଖଣି ‌ବିଡ୍‌

ଭୁବନେଶ୍ବର: ଆସନ୍ତାକାଲି କୋଇଲା ଘରୋଇ କ୍ଷେତ୍ର ଲାଗି ଉପଲବ୍ଧ କରାଯାଇଥିବା କୋଇଲା ଖଣିର ବିଡ୍ ଖୋଲାଯିବ। ସର୍ବଭାରତୀୟ ସ୍ତରରେ ୩୮ଟି କୋଇଲା ବ୍ଲକ୍‌ ଲାଗି ଘରୋଇ କଂପାନିଗୁଡ଼ିକ ଠାରୁ ବିଡ୍ ଆହ୍ବାନ କରାଯାଇଥିଲା। ‌୨୭୮ଟି ଟେଣ୍ଡର ଦଲିଲ ଦାଖଲ ହୋଇଛି। ଏହି ବ୍ଲକ୍‌ଗୁଡ଼ିକ ମଧ୍ୟରୁ ଓଡ଼ିଶାରେ ୯ଟି ବ୍ଲକ୍ ରହିଛି। ନିଲାମ ପାଇଁ ଉପଲବ୍ଧ ହୋଇଥିବା ବ୍ଲକ୍‌ଗୁଡ଼ିକ ମଧ୍ୟରୁ ଏହି ୯ଟି ବ୍ଲକ୍‌ରେ ୬୩ ପ୍ରତିଶତ କୋଇଲା ଗଚ୍ଛିତ ରହିଛି। ଓଡ଼ିଶାର ଖଣିଗୁଡ଼ିକ ହେଉଛି ଛେଣ୍ଡିପଦା-୧, ଛେଣ୍ଡିପଦା-୨, ମାଛକଟା, ମହାନଦୀ, ରାଧିକାପୁର (ପୂର୍ବ), ରାଧିକାପୁର (ପଶ୍ଚିମ), ବ୍ରାହ୍ମଣୀବିଲ ଓ କରଡାବାହାଲ, କୁରାଲୋଇ (ଉତ୍ତର) ଓ ଫୁଲଝରି (ପୂର୍ବ ଓ ପଶ୍ଚିମ)। ମୋଟ ଉପରେ ନିଲାମ ପାଇଁ ଉପଲବ୍ଧ ହୋଇଥିବା ଓଡ଼ିଶାର ୯ଟି ଖଣି ମଧ୍ୟରୁ ୮ଟି ବ୍ଲକ୍ ଅନୁଗୁଳରେ ଥିବା ବେଳେ ଗୋଟିଏ ଝାରସୁଗୁଡ଼ାରେ ରହିଛି। କୋଇଲା ଖଣି ହାସଲ କରିବା ଲାଗି ଘରୋଇ କଂପାନି ଯଥା ଜେଏସ୍‌ଡବ୍ଲୁ, ବେଦାନ୍ତ ଓ ଆଦାନି ଭଳି ସଂସ୍ଥା ବିଡ୍‌ ଦାଖଲ କରିଛନ୍ତି। ଓଡ଼ିଶାରେ ନିଲାମ ପାଇଁ ଉପଲବ୍ଧ ହୋଇଥିବା ୯ଟି ଖଣିରେ ମୋଟ ୧୦,୭୪୯ ନିୟୁତ ଟନ୍ କୋଇଲା ରହିଛି। ସେଥି ମଧ୍ୟରୁ ଅନୁଗୁଳରେ ଥିବା ବ୍ଲକ୍‌ଗୁଡ଼ିକରେ ୯,୦୬୯ ନିୟୁତ ଟନ୍ ‌କୋଇଲା ଗଚ୍ଛିତ ରହିଛି। ଏହି କୋଇଲା ଖଣିଗୁଡ଼ିକ ଲାଗି ବିଡ୍‌ ଦାଖଲ ପ୍ରକ୍ରିୟା ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ୨୯ରେ ଶେଷ ହୋଇଥିଲା। ଆସନ୍ତାକାଲି ବିଡ୍‌ ଖୋଲିବା ପରେ ଯେଉଁ କଂପାନିଗୁଡ଼ିକ ଯୋଗ୍ୟ ବିବେଚିତ ହେବେ ସେମାନଙ୍କ ମଧ୍ୟରେ ଅକ୍ଟୋବର ୧୯ରୁ ନଭେମ୍ବର ୯ ମଧ୍ୟରେ ଇ-ନିଲାମ ଅନୁଷ୍ଠିତ‌ ହେବ। ସେଥିରେ ଯେଉଁମାନେ ସଫଳତା ହାସଲ କରିବେ ସେମାନଙ୍କୁ କୋଇଲା ଖଣି ଆବଣ୍ଟନ କରାଯିବ।

ସମ୍ବନ୍ଧିତ ଖବର