କାହା ଚଞ୍ଚକତା ପାଇଁ ବାତିଲ ହେଲା ଖଣି ନିଲାମ? ଲଘୁ ଖଣିଜ ପାଇଁ ନୂଆ ‌ଯୋଜନା ଆସିବ

ଭୁବନେଶ୍ବର: ରାଜ୍ୟ ସରକାର ୩ଟି ପର୍ଯ୍ୟାୟରେ ୪୦ଟି ଖଣି ନିଲାମ ପାଇଁ ସମସ୍ତ ପ୍ରସ୍ତୁତି ସାରିଥିଲେ। ହେଲେ ହଠାତ୍ ଏହାକୁ ବାତିଲ କରି ଦିଆଯାଇଛି। ଏହି ବାତିଲ ପଛର କାରଣ ନିଲାମ ପ୍ରକ୍ରିୟାରେ ଥିବା ତ୍ରୁଟି ବୋଲି କୁହାଯାଉଛି। କିନ୍ତୁ ଏବେ ଏହାର କେତେକ ରହସ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏକ ସୂଚନା ଅନୁଯାୟୀ ଗୋଟିଏ କମ୍ପାନି ଏହାର ୫ଟି ଅଂଶୀଦାର କମ୍ପାନି ନାଁରେ ନିଲାମରେ ଭାଗ ନେଇଥିଲା। ଏଥିସହିତ ସେହି କମ୍ପାନି ନିଜେ ମଧ୍ୟ ଖଣି ପାଇଁ ଆବେଦନ କରିଥିଲା। ତେବେ ଏନେଇ ରାଜ୍ୟ ସରକାରଙ୍କ ପାଖରେ ଅନ୍ୟ ଦୁଇଟି କମ୍ପାନି ଅଭିଯୋଗ କରିଥିଲେ। ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହାର ଯାଞ୍ଚ କରି ନିଲାମକୁ ବାତିଲ କରିଦେଇଛନ୍ତି। କିନ୍ତୁ ଏହି କମ୍ପାନି କିଏ ସେ ନେଇ ସରକାର କିଛି କହିନାହାନ୍ତି। ବି‌ଶେଷକରି କେନ୍ଦୁଝର ଜିଲ୍ଲାର ନୂଆଗାଁ ସ୍ଥିତ ଲୁହାପଥର ଖଣିକୁ ନେଇ ବିବାଦ ସୃଷ୍ଟି ହୋଇଛି। ୭୯୨ ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ଥିବା ଏହି ଖଣି ରାଜ୍ୟ ସରକାର ନିଲାମ କରିବାକୁ ଥିବା ଖଣି ଭିତରେ ସବୁଠୁ ବଡ଼। ୭୬୭ ହେକ୍ଟର ପରିବ୍ୟାପ୍ତ ଏହି ଖଣିରେ ୩ ହଜାର ୮୭୨ କୋଟି ଟଙ୍କା ମୁଲ୍ୟର ଲୁହା ପଥର ଗଚ୍ଛିତ ଅଛି। କମ୍ପାନିମାନେ ଆବେଦନ କରିବା ସମୟରେ ଗଳା ବାଟ ଦେଇ ଏହି ଖଣିକୁ ହାତେଇବାକୁ ଉଦ୍ୟମ କରିଥିଲେ। କୁହାଯାଉଛି ଗୋଟିଏ କମ୍ପାନିର ଅଂଶୀଦାର କମ୍ପାନି ନିଲାମ ପାଇଁ ଆବେଦନ କରିବାରେ ସେଭଳି କୌଣସି ଆଇନଗତ ବାଧା ନାହିଁ। କିନ୍ତୁ ଏହି ବ୍ୟବସ୍ଥା ଏକ ସ୍ୱଚ୍ଛ ଓ ସୁସ୍ଥ ବ୍ୟବସ୍ଥା ହୋଇ ନଥିବା ଅଭିଯୋଗ ଦୁଇଟି କମ୍ପାନି କରିବା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଏବେ ରାଜ୍ୟ ସରକାର ଆସନ୍ତା ୬ ତାରିଖରେ ୨୦ଟି ଖଣିର ନିଲାମ ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଯାଉଛନ୍ତି ଏବଂ ସର୍ତ ରଖିଛନ୍ତି ଯେକୌଣସି ଗୋଟିଏ କମ୍ପାନି ଗୋଟିଏ ଆବେଦନ କରିପାରିବ। ଅଂଶୀଦାର କମ୍ପାନି ଆବେଦନ କରିପାରିବେ ନାହିଁ।

ସମ୍ବନ୍ଧିତ ଖବର