ଖଣି ସମସ୍ୟା ଦୂର ପାଇଁ ହସ୍ତକ୍ଷେପ ଲୋଡ଼ିଲା ଜେଏସ୍‌ପିଏଲ୍‌: ମୁଖ୍ୟ ସଚିବଙ୍କୁ ଭେଟିଲେ ନବୀନ ଜିନ୍ଦଲ

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସ୍‌ପିଏଲ୍‌)ର ଅଧ୍ୟକ୍ଷ ନବୀନ ଜିନ୍ଦଲ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ଓଡ଼ିଶାରେ ଇସ୍ପାତ ପ୍ରକଳ୍ପର ଅଗ୍ରଗତି ଏବଂ ଖଣି ଖନନରେ ଦେଖାଦେଇଥିବା ଅସୁବିଧା ସଂପର୍କରେ ଆଲୋଚନା କରିଛନ୍ତି। ଅନୁଗୁଳ ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନକୁ ବୃଦ୍ଧି କରାଯିବା ନେଇ ମଧ୍ୟ ଆଲୋଚନା ହୋଇଛି।

ଜେଏସ୍‌ପିଏଲ୍‌ ଅନୁଗୁଳରେ ବାର୍ଷିକ ୬ ନିୟୁତ ଟନ କ୍ଷମତା ବିଶିଷ୍ଟ ଏକ ସମନ୍ବିତ ଇସ୍ପାତ କାରଖାନା ସ୍ଥାପନ କରିଛି। ଏହି କାରଖାନାର କ୍ଷମତା ୨୦୩୦ ସୁଦ୍ଧା ବାର୍ଷିକ ୨୫.୨ ନିୟୁତ ଟନ୍‌କୁ ବୃଦ୍ଧି କରିବା ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ ଦେଇସାରିଛନ୍ତି। କ୍ଷମତା ସଂପ୍ରସାରଣ ପରେ ଜେଏସ୍‌ପିଏଲ୍‌ର ଅନୁଗୁଳ କାରଖାନା ବିଶ୍ବର ସର୍ବବୃହତ୍‌ ଇସ୍ପାତ କାରଖାନାରେ ପରିଣତ ହେବ। ଏହା ଦ୍ବାରା ଓଡ଼ିଶାରେ ଜେଏସ୍‌ପିଏଲ୍‌ର ପୁଞ୍ଜିନିବେଶ ୧ ଲକ୍ଷ କୋଟି ଟଙ୍କାରୁୁ ଅଧିକ ହୋଇଯିବ।

ବଡ଼ବିଲ ସ୍ଥିତ କାଶିଆ ଖଣି ଫାଟକ ସାମ୍ନାରେ କିଛି ନ୍ୟସ୍ତସ୍ୱାର୍ଥଙ୍କ ଦ୍ବାରା କରାଯାଇଥିବା ଅବରୋଧ ସମ୍ପର୍କରେ ଶ୍ରୀ ଜିନ୍ଦଲ ମୁଖ୍ୟ ସଚିବଙ୍କ ଧ୍ୟାନ ଆକର୍ଷଣ କରିବା ସହ ତାହା ହଟାଇବା ଲାଗି ଅନୁରୋଧ କରିଛନ୍ତି। ରାଜ୍ୟ ସରକାର କରିଥିବା ଖଣି ନିଲାମରେ କଂପାନି ଏହି ଖଣି ପାଇଥିଲା। ସେ ବାବଦରେ ୧୫୦୦ କୋଟି ଟଙ୍କା ଜମା କରିସାରିଥିବା ବେଳେ ଗତବର୍ଷ ନଭେମ୍ବରରେ ଲିଜ୍ ଡିଲ୍ ସ୍ବାକ୍ଷର କରିଥିଲା। ମାତ୍ର କିଛି ପରିବହନକାରୀଙ୍କ ପ୍ରରୋଚନାରେ କିଛି ନ୍ୟସ୍ତସ୍ୱାର୍ଥ ଖଣିର ପ୍ରବେଶକୁ ଅବରୋଧ କରି ଖଣି ଭିତରକୁ କାହାକୁ ପ୍ରବେଶ କରିବାକୁ ଦେଉ ନାହାନ୍ତି। କୋଭିଡ ସମ୍ବନ୍ଧୀୟ ପ୍ରୋଟୋକଲକୁ ଉଲ୍ଲଂଘନ କରିବା ସହିତ ସେମାନେ ହିଂସା ଆଚରଣ କରୁଛନ୍ତି ଏବଂ ଦୁଇଜଣ କର୍ମଚାରୀଙ୍କୁ ମଧ୍ୟ ଆଘାତ ଦେଇଛନ୍ତି। ଏହି ଅବରୋଧ ଯୋଗୁଁ ସରକାର ପ୍ରତିଦିନ ୧୫ କୋଟିରୁ ଅଧିକ ରାଜସ୍ୱ ହରାଉଛନ୍ତି।

ଏହି ଅବସରରେ କମ୍ପାନିର ଏମ୍‌ଡି ଭି ଆର୍ ଶର୍ମା, ଗ୍ରୁପ୍‌ ଆଡ୍‌ଭାଇଜର୍‌ (ଲିଗାଲ୍, କର୍ପୋରେସନ୍ ଆଫେୟାର୍ସ ଏବଂ ସଷ୍ଟେନେବିଲିଟି) ମନୀଷ ଖରବନ୍ଦା, ଜେପିଏଲ୍ ଅଧ୍ୟକ୍ଷ ଏ କେ ଝା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗ ଦେଇଥିଲେ। ମୁଖ୍ୟ ସଚିବଙ୍କୁ ଭେଟିବା ପୂର୍ବରୁ ଶ୍ରୀ ଜିନ୍ଦଲ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର