ଭୁବନେଶ୍ବର: ଖଣିରୁ ଓଡ଼ିଶା ସରକାର ଗତ କିଛି ବର୍ଷ ଧରି ଭଲ ମୋଟା ଅଙ୍କର ରାଜସ୍ବ ପାଇ ଆସୁଛନ୍ତି। ଚଳିତ ଆର୍ଥିକବର୍ଷର ୫ ମାସରେ ଅର୍ଥାତ୍‌ ଅଗଷ୍ଟ ୩୧ ସୁଦ୍ଧା ୧୭,୧୩୨.୬୮ କୋଟି ଟଙ୍କାର ଖଣି ରାଜସ୍ବ ଆଦାୟ ହୋଇଛି। ବର୍ଷ ଶେଷ ସୁଦ୍ଧା ଏହି ରାଜସ୍ବ ଆନୁମାନିକ ୪୨ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। 
ଏକ ପ୍ରଶ୍ନର ଉତ୍ତରରେ ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ୨୦୨୪-୨୫ ଆର୍ଥିକବର୍ଷରେ ରାଜ୍ୟର ଖଣି ରାଜସ୍ବ ଆୟ ୪୨,୦୬୫.୯୯ କୋଟି ଟଙ୍କା ରହିଥିଲା। ସେହିପରି ୨୦୨୩-୨୪ରେ ୪୬,୩୯୬.୫୦ କୋଟି ଟଙ୍କା, ୨୦୨୨-୨୩ରେ ୩୮,୦୭୫.୦୪ କୋଟି ଟଙ୍କା ଏବଂ ୨୦୨୧-୨୨ରେ ୪୯,୮୫୯.୧୨ କୋଟି ଟଙ୍କା ରହିଥିଲା। ୨୦୨୪-୨୫ ଆର୍ଥିକବର୍ଷରେ ଯେତିକି ଖଣି ରାଜସ୍ବ ଆଦାୟ ହୋଇଛି ତାହା ୨୦୨୧-୨୨ ତୁଳନାରେ ୧୫.୬୩ ପ୍ରତିଶତ କମିଛି, ୨୦୨୨-୨୩ ତୁଳନାରେ ୧୦.୪୮ ପ୍ରତିଶତ ବଢ଼ିଛି ଏବଂ ୨୦୨୩-୨୪ ତୁଳନାରେ ୯.୩୩ ପ୍ରତିଶତ କମିଛି। ଚଳିତ ଆର୍ଥିକବର୍ଷ ପାଇଁ ମୋଟ ଖଣି ରାଜସ୍ବ ୪୨ ହଜାର କୋଟି ଟଙ୍କା ରହିବ ବୋଲି ଆକଳନ କରିଥିବାରୁ ଅଗଷ୍ଟ ସୁଦ୍ଧା ପ୍ରାୟ ୪୦ ପ୍ରତିଶତ ଆଦାୟ ହୋଇଛି। ତେଣୁ ସରକାରଙ୍କୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଆଉ ୬୦ ପ୍ରତିଶତ ରାଜସ୍ବ ଆଦାୟ କରିବାକୁ ପଡ଼ିବ।

Advertisment

ଭୁବନେଶ୍ବର: କୋଇଲା ରୟାଲ୍‌ଟି ବାବଦରେ ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୧୮୮୪.୯୨ କୋଟି ଟଙ୍କା ମିଳିଛି ବୋଲି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି। ସେ ଜଣାଇଛନ୍ତି ଯେ ୨୦୨୦-୨୧ରେ ୧୭୮୬.୮୭ କୋଟି ଟଙ୍କାର କୋଇଲା ରୟାଲ୍‌ଟି ମିଳିଥିଲା। ୨୦୨୧-୨୨‌ରେ ତାହା ୩୯୧୪.୬୯ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୨୨-୨୩, ୨୦୨୩-୨୪ ଓ ୨୦୨୪-୨୫ରେ ଯଥାକ୍ରମେ ୪୫୯୪.୭୬ କୋଟି ଟଙ୍କା, ୪୮୨୧.୫୭ କୋଟି ଟଙ୍କା ଓ ୪୬୭୩.୬୦ କୋଟି ଟଙ୍କାର କୋଇଲା ରାଜସ୍ବ ମିଳିଥିଲା। 

ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ କୋଇଲା ରୟାଲ୍‌ଟି ବଢ଼ାଇବା ନିମନ୍ତେ କେନ୍ଦ୍ର ସରକାର କୌଣସି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିନାହାନ୍ତି। ଏମ୍ଏମ୍‌ଡିଆର୍‌ ନିୟମ ୧୯୫୭ର ଧାରା ୯(୩) ଅନୁସାରେ କେନ୍ଦ୍ର ସରକାର ଗେଜେଟ୍ ବିଜ୍ଞପ୍ତି ମାଧ୍ୟମରେ ଖଣିଜ ପଦାର୍ଥଗୁଡ଼ିକର ରୟାଲ୍‌ଟି ନିର୍ଧାରଣ କରିଥାନ୍ତି। ଏ ସମ୍ବନ୍ଧୀୟ ବିଜ୍ଞପ୍ତି ତିନି ବର୍ଷରେ ଗୋଟିଏ ଥର ବାହାର କରାଯାଇଥାଏ।