ନୂଆଦିଲ୍ଲୀ: ଖଣିରୁ ଉତ୍ତୋଳିତ ଖଣିଜ ସାମଗ୍ରୀ ଏବଂ ଖଣିଜ ସାମଗ୍ରୀ ବହନ କରୁଥିବା ଅଞ୍ଚଳର ଜମିରୁ ଟିକସ ସଂଗ୍ରହ କରିବା ଲାଗି ରାଜ୍ୟଗୁଡ଼ିକୁ ନିକଟରେ ଦିଆଯାଇଥିବା କ୍ଷମତା ସମ୍ପର୍କିତ ସୁପ୍ରିମ୍କୋର୍ଟଙ୍କ ରାୟର ସମୀକ୍ଷା ଲାଗି କେନ୍ଦ୍ର ସରକାର ରିଭ୍ୟୁ ପିଟିସନ ଦାଖଲ କରିଛନ୍ତି। ସୁପ୍ରିମ୍କୋର୍ଟ ଗତ ଜୁଲାଇ ୨୫ ଓ ଅଗଷ୍ଟ ୧୪ରେ ଦେଇଥିବା ରାୟର ସମୀକ୍ଷା ପାଇଁ କେନ୍ଦ୍ର ସରକାର ଆବେଦନ କରିଛନ୍ତି। ଗତ ଜୁଲାଇ ୨୫ରେ ସୁପ୍ରିମ୍କୋର୍ଟଙ୍କ ଏକ ୯ ଜଣିଆ ସମ୍ବିଧାନ ପୀଠ ୮:୧ ମତରେ ଐତିହାସିକ ରାୟ ଦେଇ ଖଣି ଥିବା ଅଞ୍ଚଳ ଉପରେ ଟିକସ ଲାଗୁ କରିବାର ଅଧିକାର ରାଜ୍ୟମାନଙ୍କର ରହିଛି ବୋଲି କହିଥିଲେ। ସେହି ରାୟକୁ ପିଛିଲା ଭାବେ ଲାଗୁ କରିବା ଲାଗି କିଛି ରାଜ୍ୟ ଉଦ୍ୟମ କରିବା ପରେ କେନ୍ଦ୍ର ସରକାର ତାହା ଉପରେ ସ୍ପଷ୍ଟୀକରଣ ଚାହିଥିଲେ। ଅଗଷ୍ଟ ୧୪ରେ ଆଉ ଏକ ରାୟ ଦେଇ ସୁପ୍ରିମ୍କୋର୍ଟ ନିଜ ଜୁଲାଇ ୨୫ ରାୟକୁ ଅପରିବର୍ତ୍ତିତ ରଖିଥିଲେ ଏବଂ ପିଛିଲା ଭାବେ ୨୦୦୫ ଏପ୍ରିଲ୍ ୧ରୁ ବକେୟା ଟିକସ ସଂଗ୍ରହ କରାଯାଇପାରିବ ବୋଲି କହିଥିଲେ। ବକେୟା ଟିକସକୁ ରାଜ୍ୟଗୁଡ଼ିକ ଆସନ୍ତା ୨୦୨୬ ଏପ୍ରିଲ ପହିଲାରୁ ୧୨ ବର୍ଷ ମଧ୍ୟରେ କିସ୍ତିରେ ଆଦାୟ କରିବେ ବୋଲି ସୁପ୍ରିମକୋର୍ଟ କହିଥିଲେ। ତେବେ ରାଜ୍ୟଗୁଡ଼ିକ କୌଣସି ଜରିମାନା କିମ୍ବା ସୁଧ ଅସୁଲ କରିପାରିବେ ନାହିଁ ବୋଲି ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟ ଦ୍ବାରା ରାଜ୍ୟଗୁଡ଼ିକ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ପାଇବେ ବୋଲି ଆକଳନ କରାଯାଇଥିଲା। ସେଥିରୁ ଦେଢ଼ ଲକ୍ଷ କୋଟି ଟଙ୍କା ଓଡ଼ିଶା ପାଇବାର ଥିଲା।
ପୂର୍ବ ଦୁଇ ରାୟର ସମୀକ୍ଷା କରିବା ଲାଗି କେନ୍ଦ୍ର ସରକାର କୋର୍ଟଙ୍କୁ ଅନୁରୋଧ କରିବା ସହ ଜଣାଇଛନ୍ତି ଯେ ଜମି କହିଲେ ସବୁ ସ୍ଥାନକୁ ବୁଝାଏ। ଏହାଦ୍ବାରା ରାଜ୍ୟଗୁଡ଼ିକ ଜମି ଉପରେ ଯେକୌଣସି ବିଷୟରେ ନିଜର ଆଇନ ଆଣିବାକୁ ସମର୍ଥ ହେବେ। ପରବର୍ତ୍ତୀ ଏହା ଅସୁବିଧା ସୃଷ୍ଟି କରିବ। ସେହିଭଳି ପିଛିଲା ଭାବେ ରାୟ ଲାଗୁ କଲେ ସାଧାରଣ ନାଗରିକଙ୍କ ଉପରେ ତାହାର ବୋଝ ପଡ଼ିବ ଏବଂ ଦେଶର ଆର୍ଥିକ ସ୍ଥିତି ଖରାପ ହେବ। ରାଜ୍ୟମାନଙ୍କୁ ଖଣି ଅଞ୍ଚଳରୁ ଟିକସ ସଂଗ୍ରହ ଅଧିକାର ଦେଲେ ତାହା ଶିଳ୍ପ ଅଭିବୃଦ୍ଧିକୁ ପ୍ରଭାବିତ କରିବା ସହ ଦେଶର ଆର୍ଥିକ ସଂହତିରେ ବାଧକ ହେବ। ଶକ୍ତି, ଇସ୍ପାତ ଓ ସିମେଣ୍ଟ ଭଳି ଶିଳ୍ପ କୋଇଲା, ଲୁହାପଥର ଓ ବକ୍ସାଇଟ୍ ଭଳି ଖଣିଜ ପଦାର୍ଥ ଉପରେ ଅତ୍ୟଧିକ ନିର୍ଭରଶୀଳ। ରାଜ୍ୟମାନେ ଟିକସ ଲଗାଇଲେ ଏହି କ୍ଷେତ୍ରଗୁଡ଼ିକ ପ୍ରଭାବିତ ହେବ ଓ ଖଣିଗୁଡ଼ିକ ଅଚଳ ହୋଇପଡ଼ିବ ବୋଲି କେନ୍ଦ୍ର କହିଛି। ଯଦି କିଛି ରାଜ୍ୟ କୋଇଲା ଉପରେ ଅତ୍ୟଧିକ ଟିକସ ଲଗାଇବେ ତେବେ ତାହା ସାରା ଦେଶର ବିଦ୍ୟୁତ୍ ଉପଭୋକ୍ତାଙ୍କ ଲାଗି ମୁଣ୍ଡବ୍ୟଥାର କାରଣ ହେବ। ଏହାର ପ୍ରଭାବରେ ଦରଦାମ୍ ବଢ଼ିବ ଏବଂ ବଜାର ଓ ଆନୁଷଙ୍ଗିକ ଶିଳ୍ପ ମଧ୍ୟ ପ୍ରଭାବିତ ହେବ ବୋଲି କେନ୍ଦ୍ର ସରକାର ଯୁକ୍ତି ରଖିଛନ୍ତି।