ନୂଆଦିଲ୍ଲୀ, ୨୨/୧: ବିଶ୍ବ ବଜାରରେ ତେଲ ଶସ୍ତା ହେବା ସତ୍ତ୍ବେ ଭାରତରେ କାହିଁକି ପେଟ୍ରୋଲ ଓ ଡିଜେଲ୍ ଦାମ୍ କମୁନାହିଁ? ଗତ କିଛି ମାସ ହେଲାଣି ବିଭିନ୍ନ ମହଲ ଏହି ପ୍ରଶ୍ନ ପଚାରୁଥିଲେ। ଦୀର୍ଘ ଦିନ ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ। ଆଜି ସେ କହିଛନ୍ତି ଯେ ଅତୀତରେ ଯେତେବେଳେ ଆନ୍ତର୍ଜାତିକ ବଜାରରେ ତେଲ ଦାମ୍ ଅଧିକ ଥିଲା ସେହି ସମୟରେ ଲୋକମାନଙ୍କୁ ଅପେକ୍ଷାକୃତ କମ୍ ଦାମ୍ରେ ତେଲ ବିକ୍ରି କରିଥିବାରୁ କଂପାନିଗୁଡ଼ିକ ବିପୁଳ କ୍ଷତି ସହିଛନ୍ତି। ଏବେ ସେହି କ୍ଷତିକୁ ସେମାନେ ଭରଣା କରୁଛନ୍ତି। କଂପାନିଗୁଡ଼ିକର କ୍ଷତି ଭରଣା ହେଲେ ତେଲ ଦାମ୍ କମିପାରେ।
ଗତବର୍ଷ ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପରେ ଆନ୍ତର୍ଜାତିକ ତୈଳ ବଜାରରେ ନିଆଁ ଲାଗିଯାଇଥିଲା। ତୈଳ ଦର ସର୍ବକାଳୀନ ରେକର୍ଡ ସ୍ତର ବ୍ୟାରେଲ ପିଛା ୧୪୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଗତବର୍ଷ ଏପ୍ରିଲ୍ ୬ରେ ଅଶୋଧିତ ତୈଳ ଦାମ୍ ୧୦୨.୯୭ ଡଲାରକୁ ଖସିବା ସହ ସେହିଦିନଠାରୁ ପେଟ୍ରୋଲ୍, ଡିଜେଲ୍ ଦାମ୍ ଅପରିବର୍ତ୍ତିତ ରହିଛି। ଚଳିତ ମାସରେ ଅଶୋଧିତ ତୈଳ ଦର ୮୨ ଡଲାରକୁ ହ୍ରାସ ପାଇଥିଲେ ସୁଦ୍ଧା କଂପାନିଗୁଡ଼ିକ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ କମାଉନାହାନ୍ତି। ଗତବର୍ଷ ଜୁନ୍ରେ କଂପାନିଗୁଡ଼ିକ ଲିଟର ପିଛା ପେଟ୍ରୋଲ୍ରେ ୧୭ ଟଙ୍କା ୪୦ ପଇସା ଓ ଡିଜେଲ୍ରେ ୨୭ ଟଙ୍କା ୭୦ ପଇସା କ୍ଷତି ସହୁଥିଳେ। ଏବେ କିନ୍ତୁ ପେଟ୍ରୋଲ୍ରେ ୧୦ ଟଙ୍କା ଲାଭ ହେଉଛି। ଡିଜେଲ୍ରେ କିନ୍ତୁ ୧୩ ଟଙ୍କା ପାଖାପାଖି କ୍ଷତି ହେଉଛି।
ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି ଯେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରେ ତୈଳ କଂପାନିଗୁଡ଼ିକ ଦାୟିତ୍ବବାନ କର୍ପୋରେଟ୍ ନାଗରିକ ଭୂମିକା ନିର୍ବାହ କରି ତେଲ ଦାମ୍ ବଢ଼ାଇନଥିଲେ। ଆମେ ସେମାନଙ୍କ ଦାମ୍ ଅପରିବର୍ତ୍ତିତ ରଖିବାକୁ କହିନଥିଲୁ। ସେମାନେ ନିଜ ଆଡ଼ୁ ଏଭଳି ନିଷ୍ପତ୍ତି ନେଇଥିଲେ। ଗତବର୍ଷ ଏପ୍ରିଲ୍-ସେପ୍ଟେମ୍ବରରେ ତେଲ କଂପାନିଗୁଡ଼ିକ ୨୧,୨୦୧ ଟଙ୍କାର କ୍ଷତି ସହିଛନ୍ତି। ସେହି କ୍ଷତି ଭରଣା ହେଲେ ପେଟ୍ରୋଲ ଓ ଡିଜେଲ ଦାମ୍ କରିପାରେ ବୋଲି ସେ କହିଛନ୍ତି।
ଭାରତ ନିଜ ୮୫ ପ୍ରତିଶତ ତୈଳ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଛି। ୨୦୨୧ ନଭେମ୍ବରରେ ତେଲ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିବା ପରେ ସରକାର ବାଧ୍ୟ ହୋଇ ଟିକସ କମ୍ କରିଥିଲେ। ସେହି ମାସରୁ କଂପାନିଗୁଡ଼ିକ ତେଲ ଦାମ୍ରେ ହେଉଥିବା ଦୈନିକ ପରିବର୍ତ୍ତନ ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲେ। ତାହାର କିଛି ମାସ ପରେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଥିଲା। ତାହାର ପ୍ରଭାବରେ ତେଲ ପୁଣି ମହଙ୍ଗା ହେଲା। ଗତ ୧୦ ମାସ ଧରି ଭାରତରେ ପେଟ୍ରୋଲ୍, ଡିଜେଲ୍ ଦାମ୍ ବଦଳିନି।