ଜୁଲାଇରେ ୫-୧୦ଟି ଖଣି ନିଲାମ ହେବ:ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ଜୁଲାଇ ମାସରେ ରାଜ୍ୟ ସରକାର ୫-୧୦ଟି ଖଣି ନିଲାମ କରିବେ ବୋଲି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି। ଭାରତୀୟ ଖଣି ଇଞ୍ଜିନିୟର ସଂଘର ଭୁବନେଶ୍ବର-ସୁକିନ୍ଦା ଚାପ୍ଟର ପକ୍ଷରୁ ହୋଟେଲ୍ ପାଲ୍‌ ହାଇଟସ୍‌ରେ ଆୟୋଜନ କରାଯାଇଥିବା ‘ଦାୟିତ୍ବବାନ ଖଣି ଖନନ’ ଶୀର୍ଷକ ସେମିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀ ମଲ୍ଲିକ କହିଛନ୍ତି‌ ଯେ, ନିଲାମ ପାଇଁ ୩୬ଟି ଖଣି ପ୍ରସ୍ତୁତ ‌ହୋଇ ରହିଛି। ସେଗୁଡ଼ିକ ମଧ୍ୟରୁ ୫-୧୦ଟି ଖଣିକୁ ଆମେ ଆସନ୍ତା ମାସରେ ନିଲାମ କରିବୁ। ଏସ୍‌ବିଆଇ କ୍ୟାପ୍‌କୁ ଟେଣ୍ଡର୍‌ ପ୍ରକ୍ରିୟା ପରିଚାଳନା ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ସଂସ୍ଥା ଯେତିକି ଖଣିର କାଗଜପତ୍ର ପ୍ରସ୍ତୁତ କରିବ ସେହି ସବୁ ଖଣିକୁ ନିଲାମ କରାଯିବ ବୋଲି ସେ କହିଛନ୍ତି।

ଖଣି ଓ ଖଣିଜ ବିକାଶ ଓ ନିୟାମକ (ଏମ୍ଏମ୍‌ଡିଆର୍‌) ନିୟମ ୨୦୧୫ ଅନୁସାରେ ରାଜ୍ୟରେ ଥିବା ୨୪ଟି ଖଣିର ଲିଜ୍ ଅବଧି ୨୦୨୦ ମାର୍ଚ ୩୧ରେ ଶେଷ ହେବ। ୨୦୧୯ର ପ୍ରଥମ ଭାଗରେ ଲୋକସଭା ନିର୍ବାଚନ ହେବାରୁ ଖଣି ନିଲାମ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବିଗତ ଅଢ଼େଇ ବର୍ଷ ଭିତରେ ଖଣି ନିଲାମରେ ସେଭଳି କିଛି ଆଖିଦୃଶିଆ ଅଗ୍ରଗତି ହୋଇନଥିବା ବେଳେ ଯଦି ଠିକ୍ ସମୟରେ ଲିଜ୍ ଅବଧି ଶେଷ ହେଉଥିବା ଖଣିଗୁଡ଼ିକୁ ନିଲାମ କରାନଯିବ ତେବେ ଶିଳ୍ପ ସଂସ୍ଥାଗୁଡ଼ିକ କଞ୍ଚାମାଲ ସମସ୍ୟା ସାମ୍ନା କରିବା ଆଶଙ୍କା ରହିଛି। ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମଲ୍ଲିକ କହିଛନ୍ତି, ଠିକ୍ ସମୟରେ ଖଣି ନିଲାମ ପ୍ରକ୍ରିୟା ଶେଷ କରାଯିବ। ଶିଳ୍ପ ସଂସ୍ଥାଗୁଡ଼ିକରେ କଞ୍ଚାମାଲକୁ ନେଇ କୌଣସି ସମସ୍ୟା ଦେଖାଦେବ ନାହିଁ।

ଯେଉଁ ୩୬ଟି ଖଣି ନିଲାମ କରିବା ବିଷୟରେ ରାଜ୍ୟ ସରକାର କହୁଛନ୍ତି ସେଥି ମଧ୍ୟରୁ ୧୨ଟି ଖଣିର ଜିଓଲୋଜିକାଲ୍ ରିପୋର୍ଟ (ଜିଆର୍‌) ପ୍ରସ୍ତୁତି ପ୍ରକ୍ରିୟା ଶେଷ ହୋଇଛି। ସେହି ରିପୋର୍ଟଗୁଡ଼ିକୁ ଏସ୍‌ବିଆଇ କ୍ୟାପ୍ ଅନୁଧ୍ୟାନ କରୁଛି। ବଳକା ଯେଉଁ ୨୪ଟି ଖଣି ମଧ୍ୟରୁ ୧୯ଟି ଖଣିର ରିପୋର୍ଟକୁ ଲିଜ୍‌ ପାଇଥିବା ସଂସ୍ଥା ପ୍ରସ୍ତୁତ କରି ଦାଖଲ କରିଛନ୍ତି। ଅନ୍ୟ ପାଞ୍ଚଟି ଖଣିର ରିପୋର୍ଟ ଅସମ୍ପୂର୍ଣ୍ଣ ଦର୍ଶାଇ ଏସ୍‌ବିଆଇ କ୍ୟାପ୍ ଫେରାଇ ଦେଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ସଫଳତାର ସହିତ ତିନିଟି ଲୁହା ପଥର, ଗୋଟିଏ ମାଙ୍ଗାନିଜ ଓ ଗୋଟିଏ ଚୂନପଥର ଖଣି ନିଲାମ କରିଛନ୍ତି। ଖଣିଗୁଡ଼ିକୁ ଯେଭଳି ଠିକ୍ ଭାବେ ପରିଚାଳନା କରାଯାଇପାରିବ ତାହାକୁ ନେଇ ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେବାକୁ ଉପସ୍ଥିତ ଖଣି ଇଞ୍ଜିନିୟରମାନଙ୍କୁ ଶ୍ରୀ ମଲ୍ଲିକ ଆହ୍ବାନ ଦେଇଛନ୍ତି। କୋଇଲା ରୟାଲ୍‌ଟି ବଢ଼ାଇବାକୁ ରାଜ୍ୟ ବାରମ୍ବାର ଦାବି କରୁଥିଲେ ମଧ୍ୟ କେନ୍ଦ୍ର ଶୁଣୁନାହିଁ। ସେଥିପାଇଁ ଓଡ଼ିଶା ବିପୁଳ ପରିମାଣର ରାଜସ୍ବ ହରାଉଛି ବୋଲି ସେ କହିଛନ୍ତି। ରାଜ୍ୟରେ ଥିବା ନିମ୍ନ ମାନର ଖଣିଜ ପଦାର୍ଥକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ ଉଦ୍ୟମ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ଏହି ସେମିନାରରେ ଖଣି ନିର୍ଦେଶକ ଦୀପକ ମହାନ୍ତି, ଭାରତୀୟ ଖଣି ଇଞ୍ଜିନିୟର ସଂଘର ଜାତୀୟ ସଭାପତି ଅରୁଣ କୋଠାରି, ସଂଘର ଉପସଭାପତି ତଥା ଟାଟା ସ୍ପଞ୍ଜ ଆଇରନ ଲିମିଟେଡ୍‌ର ଏମ୍‌ଡି ସଞ୍ଜୟ ପଟ୍ଟନାୟକ, ସଂଘର ଭୁବନେଶ୍ବର-ସୁକିନ୍ଦା ଚାପ୍ଟରର ଅଧ୍ୟକ୍ଷ ଆର୍‌ ଆର ଶତପଥୀ, ଟାଟା ଷ୍ଟିଲ୍‌ର ଉପସଭାପତି ଅରୁଣ ମିଶ୍ର ଓ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଖଣି ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର