ଭୁବନେଶ୍ବର: ଓ-ହବ୍‌ର ଏକବର୍ଷ ପୂର୍ତ୍ତି ଆଜି ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ ଉଦ୍ୟୋଗ କ୍ଷେତ୍ରରେ ଓଡ଼ିଶାକୁ ଭାରତର ମାନଚିତ୍ରରେ ପ୍ରତିଷ୍ଠିତ କରିବା ଲାଗି ଯୁବବର୍ଗ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି। ଯୁବବର୍ଗ ସେମାନଙ୍କ ପ୍ରତିଭାକୁ ପ୍ରୟୋଗ କରି ଉଦ୍ୟୋଗୀ ହେବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଦେବ କହିଛନ୍ତି। ରାଜ୍ୟ ସରକାର ଷ୍ଟାର୍ଟଅପ୍‌ଗୁଡ଼ିକର ବିକାଶ ପାଇଁ ସବୁପ୍ରକାର ସହଯୋଗ କରିବା ଲାଗି ପ୍ରସ୍ତୁତ ଅଛନ୍ତି।

Advertisment

ଆଗକୁ ଏକ ସ୍ବଚ୍ଛ ନୀତି ପ୍ରଣୟନ କରାଯିବ, ଯାହା ଷ୍ଟାର୍ଟଅପ ପରିବେଶକୁ ଅଧିକ ମଜଭୁତ କରିବ ବୋଲି ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ସଚିବ ଶାଶ୍ବତ ମିଶ୍ର ଏଥିରେ ଅତ୍ୟତମ ଅତିଥିଭାବେ ଯୋଗଦେଇ କହିଛନ୍ତି। ଷ୍ଟାର୍ଟଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ ଓମକାର ରାଏ ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଷ୍ଟାର୍ଟଅପ୍ ଓଡ଼ିଶା ଏକ ପ୍ରମୁଖ ଇନକ୍ୟୁବେଟର ପ୍ରତିଷ୍ଠା କରିବା ସହ ଉତ୍ତମ ଷ୍ଟାର୍ଟଅପ ପରିବେଶ ସୃଷ୍ଟି କରିପାରିଛି। ବର୍ତ୍ତମାନ ରାଜ୍ୟରେ ୧୪୫୦ଟି ଷ୍ଟାର୍ଟଅପ ବିଭିନ୍ନ କ୍ଷେତ୍ରରେ ହୋଇ ପାରିଥିବାବେଳେ ୨୫ଟି ଇନକ୍ୟୁବେଟର ପ୍ରତିଷ୍ଠା‌ହୋଇ ବିଭିନ୍ନ ପ୍ରକାରର ଉତ୍ପାଦ ତିଆରି କରି ପାରୁଥିବା ସେ ସୂଚନା ଦେଇଥିଲେ। ୧୪୫୦ଟି ଷ୍ଟାର୍ଟଅପ ମଧ୍ୟରୁ ୫୯୦ଟି ଷ୍ଟାର୍ଟଅପ୍‌ ମହିଳାଙ୍କ ଦ୍ବାରା ପରିଚାଳିତ। ରାଜ୍ୟରେ ଷ୍ଟାର୍ଟଅପ୍ ପରିବେଶରେ ଉନ୍ନତି ଆଣିବା ଲାଗି ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବା ସହିତ ଇନକ୍ୟୁବେଟର ସ୍ଥାପନ କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ପ୍ରଥମ ବାର୍ଷିକୀ ଅବସରରେ ଷ୍ଟାଟଅପ୍‌ ଓଡ଼ିଶା ପକ୍ଷରୁ ଏକ ମେଣ୍ଟର କ‌ନେକ୍ଟ ପ୍ଲାଟଫର୍ମ ଆରମ୍ଭ ହୋଇଛି। ପରାମର୍ଶ ଏବଂ ସହଯୋଗ ପାଇଁ ଉପଯୁକ୍ତ ପରାମର୍ଶଦାତାଙ୍କ ସହିତ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ଯୋଗାଯୋଗ ସ୍ଥାପନ କରିବା ହେଉଛି ଉକ୍ତ ପ୍ଲାଟଫର୍ମର ଉଦ୍ଦେଶ୍ୟ। ୨୦୨୧ରେ ଓ-ହବ ସ୍ଥାପନ କରାଯାଇଥିଲା। ବର୍ଷକ ମଧ୍ୟରେ ଏହି ପ୍ରତିଷ୍ଠାନର କାର୍ଯ୍ୟ ଓ ସଫଳତାକୁ ନେଇ ପ୍ରସ୍ତୁତ ଓ-ହବ୍‌ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଓ-ହବ୍‌ରେ ଆଗାମୀ ଦିନରେ ସୁପର ଡିଜିଟାଲ ‌ଫେବ୍ରିକେସନ ଲାବୋରେଟୋରି (ଫ୍ୟାବଲାବ୍‌) ପ୍ରତିଷ୍ଠା ଯୋଜନା ରହିଥିବା କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।