ରାଜ୍ୟମାନଙ୍କୁ ଅତିରିକ୍ତ ୪୫ ହଜାର କୋଟିର ଟିକସ ଭାଗ ଦେଲେ କେନ୍ଦ୍ର ସରକାର, ଏଥିରୁ ଓଡ଼ିଶା ପାଇବ ୨୦୮୩ କୋଟି

ନୂଆଦିଲ୍ଲୀ : ନୂଆ ଆର୍ଥିକ ବର୍ଷ ଆରମ୍ଭରେ ରାଜ୍ୟଗୁ଼ଡ଼ିକୁ ନୂଆ ବର୍ଷ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାର ଆଜି ରାଜ୍ୟମାନଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରାୟ ୪୫ ହଜାର କୋଟିର ଅତିରିକ୍ତ ଟିକସ ଭାଗ ପ୍ରଦାନ କରିଛନ୍ତି । ଏହା ୨୦୨୦-୨୧ର ସଂଶୋଧିତ ଅଟକଳ ତୁଳନାରେ ୮.୨ ପ୍ରତିଶତ ଅଧିକ ।

୨୦୨୦-୨୧ର ସଂଶୋଧିତ ଅଟକଳ ଅନୁସାରେ ରାଜ୍ୟମାନଙ୍କୁ ୫ ଲକ୍ଷ ୪୯ ହଜାର ୯୫୯ କୋଟି ଟଙ୍କାର ଟିକସ ଭାଗ ପ୍ରଦାନ କରାଯିବାକୁ ଧାର୍ଯ୍ୟ କରାଯାଇଥିଲା, ଯାହାକି ସରକାରଙ୍କ ଟିକସ ଆୟର ପ୍ରାୟ ୪୧ ପ୍ରତିଶତ । କିନ୍ତୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ୨୦୨୦-୨୧ରେ ମୋଟ ୫ ଲକ୍ଷ ୯୪ ହଜାର ୯୯୬ କୋଟି ଟଙ୍କାର ଟିକସ ଭାଗ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହାକୁ ପୂର୍ବ ଅଟକଳ ତୁଳନାରେ ପ୍ରାୟ ୪୫ ହଜାର କୋଟି ଅଧିକ ।

ଏହି ଆର୍ଥିକ ବର୍ଷରେ ଓଡ଼ିଶା ଟିକସ ଭାଗ ଆକାରରେ ୨୫୪୬୦ କୋଟି ପାଇବାର ଅଟକଳ କରାଯାଇଥିଲା । କିନ୍ତୁ ଏହି ଅତିରିକ୍ତ ୪୫ ହଜାର କୋଟିରୁ ଓଡ଼ିଶା ୨୦୮୩ କୋଟି ପାଇବ । ଫଳରେ ୨୦୨୦-୨୧ ଆର୍ଥିକ ବର୍ଷରେ ନିଜର ଟିକସ ଭାଗ ହିସାବରେ ଓଡ଼ିଶା ମୋଟ ୨୭,୫୪୩ କୋଟି ପାଇବ ।

ଚଳିତ ଆର୍ଥିକ ବର୍ଷର ୪ର୍ଥ ତିନିମାସରେ ଟିକସ ଆଦାୟରେ ସୁଧାର ଆସିବା ପରେ ସରକାର ନିଜର ପୂର୍ବ ଅଟକଳକୁ ବୃଦ୍ଧି କରି ରାଜ୍ୟମାନଙ୍କୁ ଅତିରିକ୍ତ ଟିକସଭାଗ ପ୍ରଦାନ କରିଛନ୍ତି । ଏହି ୪୫ ହଜାର କୋଟି ଦୁଇଟି କିସ୍ତିରେ ପ୍ରଦାନ କରାଯାଇଛି । ପ୍ରଥମ କିସ୍ତିରେ ୧୪,୫୦୦ କୋଟି ଓ ୨ୟ କିସ୍ତିରେ ୩୦,୫୦୦ କୋଟି ପ୍ରଦାନ କରାଯାଇଛି ।

ସମ୍ବନ୍ଧିତ ଖବର