ନୂଆଦିଲ୍ଲୀ: କରୋନା ସଂକ୍ରମଣର ପ୍ରଥମ ଲହରକୁ ଭାରତ ସଫଳତାର ସହ ମୁକାବିଲା କରିଥିଲା। ଏବେ ଦେଖାଦେଇଥିବା ଦ୍ବିତୀୟ ଲହରର ମୁକାବିଲା ଲାଗି ଅର୍ଥନୀତି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ଅର୍ଥ ମନ୍ତ୍ରଣାଳୟର ମାସିକ ରିପୋର୍ଟରୁ ଜଣାପଡ଼ିଛି। ବିଗତ କିଛି ମାସ ଭିତରେ ଦେଶର ଆର୍ଥିକ ସ୍ଥିତିରେ ବିଶେଷ ଉନ୍ନତି ହୋଇଛି। ୨୦୨୦ ଏପ୍ରିଲ୍ରୁ ୨୦୨୧ ଫେବ୍ରୁଆରି ମଧ୍ୟରେ କେନ୍ଦ୍ର ସରକାରଙ୍କ ବିତ୍ତୀୟ ନିଅଣ୍ଟ ୧୪.୦୫ ଲକ୍ଷ କୋଟି ଟଙ୍କା ରହିଛି ଯାହା ସଂଶୋଧିତ ଆକଳନର ୭୬%। ଚଳିତ ବର୍ଷ ଆୟକର ରିଫଣ୍ଡ୍ରେ ୪୧% ବୃଦ୍ଧି ହୋଇଥିବା ସତ୍ତ୍ବେ ଟିକସ ଆଦାୟ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ରହିବ ବୋଲି ରିପୋର୍ଟରେ କୁହାଯାଇଛି। ୨୦୨୦-୨୧ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସରେ ଟିକସ ଆଦାୟ ଉତ୍ସାହଜନକ ରହିବାରୁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟଗୁଡ଼ିକୁ ଟିକସର ଭାଗ ଭାବେ ଅତିରିକ୍ତ ୪୫ ହଜାର କୋଟି ଟଙ୍କା ଜାରି କରାଯାଇଛି ଯାହା ସଂଶୋଧିତ ଆକଳନ ଠାରୁ ୮.୨% ଅଧିକ।
ଆଲୋଚ୍ୟ ବର୍ଷରେ ସରକାର ବଜାରରୁ ୧୩.୭ ଲକ୍ଷ କୋଟି ଟଙ୍କାର ଋଣ କରିଛନ୍ତି। ଏଥିପାଇଁ ହାରାହାରି ସୁଧ ହାର ୫.୭୯% ରହିଛି ଯାହା ବିଗତ ୧୭ ବର୍ଷରେ ସବୁଠୁ କମ୍ ବୋଲି ବିଚାର କରାଯାଉଛି। ସରକାରଙ୍କ ପୁଞ୍ଜି ବ୍ୟୟରେ ୧୦୪.୪ ପ୍ରତିଶତ ବୃଦ୍ଧି ହୋଇଛି। ଭିତ୍ତିଭୂମି ଓ ସ୍ଥାୟୀ ସମ୍ପତ୍ତି ସୃଷ୍ଟିରେ କରାଯାଉଥିବା ବ୍ୟୟକୁ ପୁଞ୍ଜି ବ୍ୟୟ କୁହାଯାଏ। ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି ଯେ କରୋନା ସଂକ୍ରମଣର ଦ୍ବିତୀୟ ଲହର ଭାରତରେ ବିଳମ୍ବରେ ଆରମ୍ଭ ହୋଇଛି। ପ୍ରଥମ ଲହର ଯେଉଁ ସମୟରେ ଶୀର୍ଷ ଛୁଇଁଥିଲା ଏବଂ ଦ୍ବିତୀୟ ଲହର ଯେବେଠାରୁ ଆରମ୍ଭ ହୋଇଛି ସେହି ମଧ୍ୟରେ ୧୫୧ ଦିନର ବ୍ୟବଧାନ ରହିଛି। ଏହା ଅନ୍ୟ ଯେକୌଣସି ଦେଶ ତୁଳନାରେ ବେଶ ଉନ୍ନତ। ଭାରତରେ ପୁଞ୍ଜି ବ୍ୟୟ ବଢ଼ିଥିବା ବେଳେ ଗତ କିଛି ମାସ ଭିତରେ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ସୁଧାର ଦେଖିବାକୁ ମିଳିଛି। ଟିକାକରଣ ଜୋରଦୋର ଭାବେ ଆଗଇ ଚାଲିଥିବାରୁ ଦ୍ବିତୀୟ ଲହରକୁ ସଫଳତାର ସହ ମୁକାବିଲା କରିବା ଲାଗି ଭାରତ ପ୍ରସ୍ତୁତ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।