ନୂଆଦିଲ୍ଲୀ: ୨୦୨୪-୨୫ରେ ଦେଶର ୮ଟି ରାଜ୍ୟରେ ଖଣିଜ ଉତ୍ପାଦନର ମାତ୍ରା ୯୭.୮୦ ପ୍ରତିଶତ ଥିବାବେଳେ ଏଥିରେ ଓଡ଼ିଶାର ଭାଗ ସର୍ବାଧିକ ୪୩.୪୯ ପ୍ରତିଶତ ରହିଛି। କେନ୍ଦ୍ର ଖଣି ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ସଦ୍ୟତମ ରିପୋର୍ଟରୁ ଏହା ଜଣାଯାଇଛି। ରିପୋର୍ଟ ଅନୁସାରେ ୨୦୨୨-୨୩ ତୁଳନାରେ ୨୦୨୩-୨୪ରେ ପ୍ରମୁଖ ଖଣିଜ ଉତ୍ପାଦନକାରୀ ରାଜ୍ୟମାନଙ୍କର ଖଣିଜ ଉତ୍ପାଦନ ମୂଲ୍ୟରେ ବୃଦ୍ଧି ହୋଇଛି। ଏଥିରେ ଓଡ଼ିଶାରେ ଖଣିଜ ଉତ୍ପାଦନ ମୂଲ୍ୟ ମଧ୍ୟ ୧୭.୨୩ ପ୍ରତିଶତ ବୃଦ୍ଧି ହୋଇଛି। ୨୦୨୪-୨୫ରେ ଦେଶରେ ୨୪.୨୨ ନିୟୁତ ଟନ୍ ବକ୍ସାଇଟ ଉତ୍ପାଦନ ହୋଇଛି ଯାହା ୨୦୨୩-୨୪ ତୁଳନାରେ ୧.୨୫ ପ୍ରତିଶତ ଅଧିକ। ଓଡ଼ିଶାରେ ସର୍ବାଧିକ ୭୪ ପ୍ରତିଶତ ବକ୍ସାଇଟ୍ ଉତ୍ପାଦନ ହୋଇଛି। ଉତ୍କଳ ଆଲୁମିନା, ନାଲ୍କୋ, ଓଡ଼ିଶା ମାଇନିଂ କର୍ପୋରେସନ, ହିଣ୍ଡାଲ୍କୋ ବକ୍ସାଇଟ୍ ଉତ୍ପାଦନରେ ପ୍ରମୁଖ ଭୂମିକା ନେଇଛନ୍ତି। ସେହିଭଳି ୨୦୨୪-୨୫ରେ ଦେଶରେ ୨୭୭.୮୩ ନିୟୁତ ଟନ୍ ଲୁହାପଥର ଉତ୍ପାଦନ ହୋଇଥିବା ବେଳେ ଓଡ଼ିଶାରେ ସର୍ବାଧିକ ୫୫ ପ୍ରତିଶତ ଲୁହାପଥର ଉତ୍ପାଦନ ହୋଇଛି। ଏଥିସହିତ ଓଡ଼ିଶାରେ ୧୭ ପ୍ରତିଶତ ମାଙ୍ଗାନିଜ୍ ଉତ୍ପାଦନ ହୋଇଛି।
ରିପୋର୍ଟରେ ୨୦୧୫ରୁ ୨୦୨୪ ମଧ୍ୟରେ ଦେଶରେ ମୋଟ ୪୪୨ଟି ଖଣିଜ ବ୍ଲକ୍ର ନିଲାମ ହୋଇଥିବାବେଳେ ଏଥିରେ ଓଡ଼ିଶାର ୪୮ଟି ଖଣି ରହିଛି। ଖଣି ରୟାଲଟି ବାବଦରେ ଓଡ଼ିଶାକୁ ୨୦୨୧-୨୨ ରେ ୧୭,୯୫୯ କୋଟି ଟଙ୍କା ଓ ୨୦୨୨-୨୩ରେ ୧୦୮୨୩ କୋଟି ଟଙ୍କା ପ୍ରାପ୍ତ ହୋଇଛି। ବେଆଇନ ଖଣି ଖନନ ରୋକିବା ପାଇଁ ଓଡ଼ିଶା ସମେତ ୨୨ଟି ରାଜ୍ୟରେ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଗଠନ ହୋଇଛି। ଏଥିସହିତ ଏମ୍ଏମ୍ଡିଆର୍ ଆଇନ ୧୯୫୭ର ସେକ୍ସନ ୨୩ସି ଅନ୍ତର୍ଗତ ବେଆଇନ ଖଣି ଖନନ ରୋକିବା ପାଇଁ ରାଜ୍ୟ ସରକାର ନିୟମ ପ୍ରସ୍ତୁତ କରିଥିବା ରିପୋର୍ଟରେ କୁହାଯାଇଛି। କେନ୍ଦ୍ର ଖଣି ମନ୍ତ୍ରାଳୟ ଦ୍ବାରା ଉପଗ୍ରହ ପ୍ରଯୁକ୍ତିକୁ ଉପଯୋଗ କରାଯାଇ ବେଆଇନ ଖଣି ଖନନକୁ ନିୟନ୍ତ୍ରଣ ଓ ତଦାରଖ ପାଇଁ ୨୦୧୬ରେ ଆରମ୍ଭ କରାଯାଇଥିବା ମାଇନିଂ ସର୍ଭିଲାନ୍ସ ସିଷ୍ଟମ(ଏମ୍ଆଇଏସ୍) ଓଡ଼ିଶା ସମେତ ଖଣି ବହୁଳ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି। ୨୦୨୪ରେ ଆଇବିଏମ୍ ଦ୍ବାରା ମାଇନିଂ ପ୍ଲାନ୍ର ସମୀକ୍ଷା ଆଦି ପାଇଁ ଓଡ଼ିଶାର ୧୩୧ଟି ଖଣିର ପରିଦର୍ଶନ କରାଯାଇଥିଲା। ୨୦୨୪ରେ ଓଡ଼ିଶାର ୩ଟି ମାଇନିଂ ପ୍ଲାନ୍କୁ ଅନୁମୋଦନ ମିଳିଥଲା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।