ଭୁବନେଶ୍ବର: ରାଜ୍ୟରେ ଲଘୁଖଣିଜ ସମ୍ପଦର ଅସଜଡ଼ା କାରବାରର ସୁନିୟନ୍ତ୍ରଣ ପାଇଁ ଦୀର୍ଘବର୍ଷ ହେଲା ମାନସମନ୍ଥନ ଚାଲିଛି। ଲଘୁଖଣିଜ ସୈରାତଗୁଡ଼ିକର ସୁପରିଚାଳନା ହୋଇପାରୁନଥିବାରୁ ବ୍ୟାପକ ପରିବେଶ ନଷ୍ଟ ସାଙ୍ଗକୁ ଲକ୍ଷଲକ୍ଷ କୋଟିର ରାଜସ୍ବ କ୍ଷତି ଏବଂ ବିଭିନ୍ନ ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଅବ୍ୟବସ୍ଥିତ ଲଘୁଖଣିଜ ସମ୍ପଦର କାରବାରକୁ ସୁନିୟନ୍ତ୍ରିତ କରିବା ପାଇଁ ବାରମ୍ବାର ଖଣି ବିଭାଗର ତାଗିଦ ସତ୍ତ୍ବେ ଜିଲ୍ଲାସ୍ତରରେ ଲଘୁଖଣିଜ ସମ୍ପଦ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରାଯାଉନାହିଁ।
ସୂଚନା ଅଧିକାର ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଲଘୁ ଖଣିଜ ସମ୍ପଦର ବେଆଇନ ଓ ଚୋରା କାରବାର ରୋକିବା ପାଇଁ ରାଜ୍ୟ ବ୍ୟାପି ୪୩୬୧ଟି ଚଢ଼ଉ ହୋଇଥିଲା। ଏଥିରେ ୪୬୭୬ଟି ଗାଡ଼ି ଜବତ କରାଯାଇ ୪୮.୧୭ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି। ୨୦୨୫-୨୬ର ଜୁଲାଇ ୩୧ ସୁଦ୍ଧା ୨୮୭୩ଟି ଚଢ଼ଉ କରାଯାଇ ୧୫୯୩ଟି ଗାଡ଼ି ଜବତ କରାଯାଇ ୧୮.୪୧କୋଟି ଟଙ୍କା ଜରିମାନା ଆଦାୟ କରାଯାଇଛି। ସରକାରଙ୍କ କାଗଜପତ୍ରରେ ରାଜ୍ୟରେ ମାତ୍ର ୧୦୧୪ଟି ବାଲିଘାଟ ଲିଜ୍ ଦିଆଯାଇଛି। କିନ୍ତୁ ପ୍ରତି ନଦୀରେ ଶହଶହ ବେଆଇନ ବାଲିଘାଟ ଓ ପାହାଡ଼ଗୁଡ଼ିକରେ ପଥରଖାଦାନ ଚାଲିଛି। ଏହା ଲଘୁଖଣିଜ ସମ୍ପଦର ବ୍ୟାପକ ବେଆଇନ କାରବାରକୁ ପଦାରେ ପକାଇଛି। ଏଭଳି ସ୍ଥିତିରେ ଖଣି ବିଭାଗର ଲଘୁଖଣିଜ ସମ୍ପଦ ନିର୍ଦ୍ଦେଶକ ସୁଦର୍ଶନ ଚକ୍ରବର୍ତ୍ତୀ ଗତ ଫେବ୍ରୁଆରି ୨୫ ତାରିଖରେ ଜିଲ୍ଲାଗୁଡ଼ିକରେ ଅବସ୍ଥାପିତ ଖଣି ଉପନିର୍ଦ୍ଦେଶକ(ଡିଡିଏମ୍)/ ଖଣି ଅଧିକାରୀ(ଏମ୍ଓ) ସମେତ ଜିଲ୍ଲା ପ୍ରଶାସନକୁ ୭ଟି ନିର୍ଦ୍ଦେଶନାମା ଜାରି କରିଥିଲେ।
ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ମାର୍ଚ୍ଚ ୫ ସୁଦ୍ଧା ତାଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଅଥଚ ଆରଟିଆଇ ତଥ୍ୟ ଅନୁଯାୟୀ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ସମୟ ସୀମାର ୬ମାସ ପରେ ଅର୍ଥାତ ସେପ୍ଟେମ୍ବର ୨ ସୁଦ୍ଧା ଡିଡିଏମ୍/ଏମ୍ଓମାନେ କୌଣସି ସୂଚନା ପ୍ରଦାନ କରିନାହାଁନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ନିର୍ଦ୍ଦେଶକ ଶ୍ରୀ ଚକ୍ରବର୍ତ୍ତୀ ତାଙ୍କ ଚିଠିରେ ୭ଟି ନିୟମ ପ୍ରତ୍ୟେକ ସୈରାତ୍(ଖାଦାନ, ଘାଟ)ରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଗୁଡ଼ିକ ମଧ୍ୟରେ ଲଘୁଖଣିଜ ଖାଦାନର ପ୍ରବେଶ ଓ ବାହାରିବାର ପଥ ଗୋଟିଏ ରହିବ। ଖାଦାନଗୁଡ଼ିକରେ ସିସିକ୍ୟାମେରା, ସୀମା ଚିହ୍ନଟ ପାଇଁ ଖୁଣ୍ଟ ପୋତିବା, ଜିପିଏସ୍ ବ୍ୟବସ୍ଥା, ସାଇନ୍ବୋର୍ଡ, ଗାଡ଼ିଗୁଡ଼ିକରେ ଭିଏଲ୍ଟିଡି ବ୍ୟବସ୍ଥା କରିବା ସହିତ ଖାଦାନ ଉତ୍ସର ନାମ ଓ ଖଣିଜ ସମ୍ପଦର ନାମ ଦର୍ଶାଇବାକୁ ୭ଦିନ ସମୟ ଦେଇଥିଲେ। ନିର୍ଦ୍ଦେଶକଙ୍କ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯାଇଥିଲେ, ଖାଦାନଗୁଡ଼ିକ ଚିହ୍ନଟ ହେବା ସହିତ ବେଆଇନ ଓ ଚୋରା ଖାଦାନ ଧରାପଡ଼ିଥାନ୍ତା। ଏପରିକି ଲଘୁଖଣିଜ ସମ୍ପଦ ଚୋରା ଓ ବେଆଇନ କାରବାରକୁ ନେଇ ଗତ ସରକାର ସମୟରୁ ହେଉଥିବା କେଳେଙ୍କାରୀକୁ ରୋକାଯାଇ ପାରିଥାନ୍ତା। ସେହିଭଳି ବିଭିନ୍ନ ସମୟରେ ଦେଖାଦେଉଥିବା ଆଇନ ଶୃଙ୍ଖଳାକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିଥାନ୍ତା। ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ୮ମାସ ପରେ ମଧ୍ୟ ପାଳନ କରାଯାଉନଥିବାରୁ ପୂର୍ବଭଳି କୋଟିକୋଟି ଟଙ୍କାର ଲଘୁ ଖଣିଜ ସମ୍ପଦ ଲୁଟ୍ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/06/mines-2025-09-06-20-49-25.jpg)