୨୫୦ ପ୍ରକାର ପ୍ରାକୃତିକ ଉତ୍ପାଦ ବିକିବ ‘ମୀରାମ୍ବିକା’

ଭୁବନେଶ୍ୱର: କଟକରୁ ସୃଷ୍ଟି ହୋଇଥିବା ନୂଆ ସଂସ୍ଥା ‘ମୀରାମ୍ବିକା’ ଗ୍ରାହକମାନଙ୍କୁ ବିଶୁଦ୍ଧ ପ୍ରାକୃତିକ ଉତ୍ପାଦ ପ୍ରଦାନ କରିବ। ଏହା ଦୁଗ୍ଧଠାରୁ ଆରମ୍ଭ କରି ବିଶୁଦ୍ଧ ଘିଅ, ମହୁ, ଅଗରବତୀ, ମଶା ଧୂପ, ଆଲୋଭେରା ବଡି କେୟାର ଭଳି ୨୫୦ ପ୍ରକାର ପ୍ରାକୃତିକ ଉତ୍ପାଦ ଗ୍ରାହକଙ୍କୁ ଯୋଗାଇ ଦେବ। କଂପାନିର ଯୋଜନା ବିଷୟରେ ପ୍ରତିଷ୍ଠାତା ଜୀବନ ରଞ୍ଜନ ବାରିକ କହିଛନ୍ତି ଯେ ମୀରାମ୍ବିକା ଲକ୍ଷ୍ୟ ହେଉଛି ମହିଳାମାନଙ୍କୁ ସଶକ୍ତ କରିବା। ଆମର ଉତ୍ପାଦଗୁଡ଼ିକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚ୍‌ଜି) ଜରିଆରେ ପ୍ରସ୍ତୁତ କରାଯାଉଛି। ଆମେ ବର୍ତ୍ତମାନ ସୁଦ୍ଧ ୨୦ ଲକ୍ଷ ଏଚ୍‌ଏସ୍‌ଜି ସଦସ୍ୟଙ୍କ ପାଖରେ ପହଞ୍ଚିପାରିଛୁ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯେଉଁ ସବୁ ଉତ୍ପାଦ ବିପୁଳ ପରିମାଣରେ ଉପଲବ୍ଧ ହେଉଛି ତାହାକୁ ପ୍ରୋସେସିଂ କରି ଆମେ ଗ୍ରାହକମାନଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛୁ। କନ୍ଧମାଳର ହଳଦୀ ହେଉ ଅଥବା ନୟାଗଡ଼ର ମୁଗଡାଲି, ବିଭିନ୍ନ ପ୍ରକାର ଉତ୍ପାଦକୁ ଆମେ ଗ୍ରାହକଙ୍କ ପାଖରେ ପ୍ରାକୃତିକ ଉପାୟରେ ପହଞ୍ଚାଇବାକୁ ଚାହୁଁଛୁ। ଶ୍ରୀ ବାରିକ କହିଛନ୍ତି ଯେ ଆମର କୌଣସି ଉତ୍ପାଦରେ ବିଷାକ୍ତ ଉପାଦାନ ରହିବ ନାହିଁ। ମଣିଷ ବ୍ୟବହାର ଉପଯୋଗୀ ଉତ୍ପାଦ ପ୍ରସ୍ତୁତ କରାଯାଉଛି। ସବୁ ଉତ୍ପାଦ ପରିବେଶ ମିତବ୍ୟୟୀ। କଂପାନି ନିଜର ଉତ୍ପାଦଗୁଡ଼ିକୁ ୧୨୦ରୁ ଅଧିକ ବିତରକଙ୍କ ଜରିଆରେ ଗ୍ରାହକଙ୍କ ନିକଟରେ ପହଞ୍ଚାଇବ। ମଲ୍‌ ଓ ସୁପରମାର୍କେଟ୍‌ଗୁଡ଼ିକରେ ମଧ୍ୟ ମୀରାମ୍ବିକା ଉତ୍ପାଦ ଉପଲବ୍ଧ ହେବ। କିଛି ମାସ ଭିତରେ ନିଜସ୍ୱ ଏକ ପୋର୍ଟାଲ୍‌ ବିକଶିତ କରି କଂପାନି ଅନଲାଇନ୍‌ରେ ଏହାର ଉତ୍ପାଦ ବିକ୍ରି କରିବାକୁ ଯୋଜନା ରଖିଛି। ଏହା ବ୍ୟତୀତ ଉତ୍ପାଦଗୁଡ଼ିକୁ ରପ୍ତାନି କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି। କଟକରେ ଏକ ମହିଳା ସଶକ୍ତୀକରଣ ହବ୍‌ ସ୍ଥାପନ କରିବାକୁ ମଧ୍ୟ କଂପାନି ଲକ୍ଷ୍ୟ ରଖିଛି। ଏହି ହବ୍‌ରେ ମହିଳାମାନଙ୍କୁ ଉଦ୍ୟୋଗୀ ହେବା ପାଇଁ ବିଭିନ୍ନ ପ୍ରକାର ତାଲିମ ପ୍ରଦାନ କରାଯିବ। ସମ୍ପୂର୍ଣ୍ଣ ମାଗଣାରେ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ଶ୍ରୀ ବାରିକ କହିଛନ୍ତି।

ସମ୍ବନ୍ଧିତ ଖବର