ଫେସବୁକ, ଟ୍ବିଟର୍, ଇନଷ୍ଟାଗ୍ରାମ୍, ହ୍ବାଟସ୍ଆପ୍ ଭଳି ସୋସିଆଲ୍ ମିଡିଆଗୁଡ଼ିକୁ ନିୟନ୍ତ୍ରଣରେ ରଖିବା ଲାଗି ଭାରତ ସରକାର ଯେଉଁ କଠୋର ସୂଚନା ପ୍ରଯୁକ୍ତି ନୀତି ଘୋଷଣା କରିଥିଲେ ତାହାକୁ ଏହି ବିଶ୍ବସ୍ତରୀୟ କଂପାନିଗୁଡ଼ିକ ତୀବ୍ର ବିରୋଧ କରିଥିଲେ। ଏହି ନୀତିକୁ ପ୍ରତ୍ୟାହାର କରିବା ଲାଗି ସରକାରଙ୍କ ଉପରେ ବିଭିନ୍ନ ଆଡ଼ୁ ଚାପ ପକାଇବାକୁ ସେମାନେ ପ୍ରୟାସ କରିଥିଲେ। କିନ୍ତୁ ସେଥିରେ କଂପାନିଗୁଡ଼ିକ ସଫଳ ହୋଇନଥିଲେ। ନୂଆ ଆଇଟି ନୀତିରେ ମେସେଜ୍ର ପ୍ରକୃତ ଉତ୍ସ କ'ଣ ତାହା ଜଣାଇବା ଲାଗି ସରକାର କଂପାନିଗୁଡ଼ିକୁ ବାଧ୍ୟ କରିଥିଲେ। ଏହା ଜରିଆରେ ସରକାର ନାଗରିକମାନଙ୍କ ଉପରେ ନଜର ରଖିବାକୁ ଉଦ୍ୟମ କରୁଛନ୍ତି ବୋଲି ସୋସିଆଲ୍ ମିଡିଆ ସଂସ୍ଥାଗୁଡ଼ିକ ଅଭିଯୋଗ କରିଥିଲେ। ହ୍ବାଟସ୍ଆପ୍ ପକ୍ଷରୁ ଏନେଇ ସରକାରଙ୍କ ବିରୋଧରେ କୋର୍ଟରେ ମାମଲା ମଧ୍ୟ ରୁଜୁ କରାଯାଇଛି।

ଏହା ଏବେ ବିଚାରଧୀନ ରହିଛି। ଏହି ନୀତିକୁ ଲାଗୁ କରିବା ପରେ କେତେକ ଅପ୍ରୀତିକର ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ଏକ ନିର୍ଦିଷ୍ଟ ମାମଲାରେ ଟ୍ବିଟର୍ର ଏକ କାର୍ଯ୍ୟାଳୟରେ ଦିଲ୍ଲୀ ପୁଲିସ ପ୍ରବେଶ କରିବା ପରେ ତାହାକୁ ନେଇ ବିଶ୍ବବ୍ୟାପୀ ଆଲୋଡ଼ନ ସୃଷ୍ଟି କରିବାକୁ ଟ୍ବିଟର୍ ଉଦ୍ୟମ କରିଥିଲା। ନୀତିରେ ଥିବା ବ୍ୟବସ୍ଥା ଅନୁସାରେ ଚିଫ୍ କମ୍ପ୍ଲାଏନ୍ସ ଅଫିସର, ରେସିଡେଣ୍ଟ୍ ଗ୍ରିଭାନ୍ସ ଅଫିସର ଓ ନୋଡାଲ୍ ଅଫିସର ନିଯୁକ୍ତ କରିବାକୁ ମଧ୍ୟ କଂପାନିଗୁଡ଼ିକ ମନା କରିଦେଇଥିଲେ। କିଛି ସଂସ୍ଥା ବିଦେଶୀଙ୍କୁ ଏହି ପଦରେ ନିଯୁକ୍ତ କରିବାକୁ ଉଦ୍ୟମ କରିଥିଲେ। ତାହାକୁ ସରକାର ଗ୍ରହଣ ନକରିବାକୁ ସେମାନେ ବାଧ୍ୟ ହୋଇ ଭାରତୀୟ ନାଗରିକଙ୍କୁ ନିଯୁକ୍ତି ଦେଇଥିଲେ। ଦୀର୍ଘ ଦିନ ଧରି ସୋସିଆଲ୍ ମିଡିଆ ସଂସ୍ଥା ଓ ସରକାରଙ୍କ ଭିତରେ ମୁହାଁମୁହିଁ ସ୍ଥିତି ରହିଥିଲା। ନୂଆ ନୀତି ନିଶ୍ଚିତ ଭାବେ ଲାଗୁ ହେବ ବୋଲି ସରକାର ସ୍ପଷ୍ଟ କରିବା ପରେ ଧୀରେ ଧୀରେ ବିଭିନ୍ନ କଂପାନି ସେଥିରେ ଥିବା ନିୟମକୁ ପାଳନ କରିବା ଆରମ୍ଭ କରିଥିଲେ।