ନୂଆଦିଲ୍ଲୀ: ଏସାର ଷ୍ଟିଲ୍କୁ ନିଲାମ କରୁଥିବା କ୍ରେଡିଟର୍ମାନେ (ରଣପ୍ରଦାନକାରୀ) ଏଲ୍ ଏନ୍ ମିତ୍ତଲଙ୍କ କଂପାନି ଆର୍ସେଲର ମିତ୍ତଲର ବିଡ୍କୁ ଗ୍ରହଣ କରିଛନ୍ତି। ଆର୍ସେଲର ମିତ୍ତଲ ପକ୍ଷରୁ ଏଭଳି ଦାବି କରାଯାଇଛି। କଂପାନିର ୪୨ ହଜାର କୋଟି ଟଙ୍କା ଅଫର୍କୁ କ୍ରେଡିଟର୍ମାନେ ଗ୍ରହଣ କରିଛନ୍ତି ବୋଲି ମିତ୍ତଲଙ୍କ କଂପାନି ଘୋଷଣା କରିଛି। ଏଥି ସହିତ ଲେଟର୍ ଅଫ୍ ଇଣ୍ଟେଣ୍ଟ (ଏଲ୍ଓଆଇ) ହାସଲ କରିଛି ବୋଲି ଏହା କହିଛି। ଗତକାଲି ଏସାର ଷ୍ଟିଲ୍ ନିଲାମରେ ନାଟକୀୟ ମୋଡ଼ ଦେଖିବାକୁ ମିଳିଥିଲା। ଶେଷ ମୁହୂର୍ତରେ କଂପାନିର ପ୍ରମୋଟର ରୁଇୟା ଭ୍ରାତାଙ୍କ ତରଫରୁ ଋଣ ଦେଇଥିବା ସଂସ୍ଥାଗୁଡ଼ିକର ସବୁ ଟିକସ ପରିଶୋଧ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏଥି ସହିତ ଇନ୍ସଲ୍ଭେନ୍ସି ପ୍ରକ୍ରିୟାରୁ ଏସାର ଷ୍ଟିଲ୍କୁ ମୁକ୍ତ କରିବାକୁ ସେମାନେ କ୍ରେଡିଟର୍ମାନଙ୍କୁ ଅନୁରୋଧ କରିଥିଲେ। ଯେଉଁ ଦିନ ଏସାର ଷ୍ଟିଲ୍ର ପ୍ରମୋଟର ଏହି ପ୍ରସ୍ତାବ ଦେଇଛନ୍ତି ସେହିଦିନ ଆର୍ସେଲର ମିତ୍ତଲର ବିଡ୍କୁ କ୍ରେଡିଟର୍ମାନେ ବିଜୟୀ ଘୋଷଣା କରିଛନ୍ତି। ତେବେ ଏସାର ଷ୍ଟିଲ୍ ପ୍ରମୋଟର ଦେଇଥିବା ପ୍ରସ୍ତାବକୁ କ୍ରେଡିଟର୍ମାନେ ବିଚାରକୁ ନେଇଛନ୍ତି ନା ନାହିଁ ତାହା ଜଣାପଡ଼ିନାହିଁ। ଆର୍ସେଲର ମିତ୍ତଲ ନିଜ ଆଡ଼ୁ ଏସାର ଷ୍ଟିଲ୍କୁ ହାତେଇବା ବିଷୟରେ ଘୋଷଣା କରିଛି। କ୍ରେଡିଟର୍ମାନଙ୍କ ତରଫରୁ କୌଣସି ଘୋଷଣା କରାଯାଇନାହିଁ। ପ୍ରମୋଟରମାନେ ୫୪ ହଜାର କୋଟି ଟଙ୍କାର ଲୋଭନୀୟ ପ୍ରସ୍ତାବ ଦେଇଥିଲେ ଯାହା ଆର୍ସେଲର ମିତ୍ତଲର ୪୨ ହଜାର କୋଟି ଟଙ୍କା ପ୍ରସ୍ତାବ ଠାରୁ ୧୨ ହଜାର କୋଟି ଟଙ୍କା ଅଧିକ। ଏତେ ଅଧିକ ଟଙ୍କା ହରାଇବାକୁ କ୍ରେଡିଟର୍ମାନେ କିଭଳି ରାଜି ହୋଇଗଲେ ତାହା ବୁଝା ପଡ଼ୁନାହିଁ। ପ୍ରମୋଟରମାନଙ୍କ ପ୍ରସ୍ତାବକୁ କ୍ରେଡିଟର୍ କମିଟି ପ୍ରତ୍ୟାଖ୍ୟାନ କରିଛି ନା ନାହିଁ ତାହା ସ୍ପଷ୍ଟ ହୋଇପାରୁନାହିଁ।
ଯଦି ଆର୍ସେଲର ମିତ୍ତଲ୍କୁ ଏସାର ଷ୍ଟିଲ୍ ମିଳିଥିବ ତେବେ ଏହା କଂପାନିର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତ୍ତଲଙ୍କ ପାଇଁ ଏକ ବଡ଼ ବିଜୟ ବୋଲି କୁହାଯିବ। କାରଣ ସାରା ବିଶ୍ବରେ ଇସ୍ପାତ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିବା ମିତ୍ତଲ ନିଜ ଜନ୍ମମାଟି ଭାରତରେ ପ୍ରବେଶ କରିବାକୁ ୨୦୦୫ରୁ ଉଦ୍ୟମ କରୁଛନ୍ତି। ତାଙ୍କର କୌଣସି ଯୋଜନା ସଫଳ ହେଉନଥିଲା। ଓଡ଼ିଶା ଓ ଝାଡ଼ଖଣ୍ଡରେ ନୂଆ କାରଖାନା ସ୍ଥାପନ କରିବାକୁ ଘୋଷଣା କରିଥିଲେ କିନ୍ତୁ ସେହି ପ୍ରସ୍ତାବ ଆଗେଇ ପାରିନଥିଲା। କାଜାଖସ୍ତାନ ଠାରୁ ଆରମ୍ଭ କରି ବ୍ରାଜିଲ ପର୍ଯ୍ୟନ୍ତ ବିଶ୍ବର ଅନେକ ପ୍ରାନ୍ତରେ ପ୍ରବେଶ କରିବାରେ ସଫଳ ହୋଇଥିବା ମିତ୍ତଲ ଭାରତରେ ପ୍ରବେଶ କରିପାରୁନଥିଲେ। ତାଙ୍କର ଭାରତ ସ୍ବପ୍ନକୁ ଏସାର ଷ୍ଟିଲ୍ ପୂରଣ କରିବ।