ଭୁବନେଶ୍ବର: ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ (ଏଏମ୍ଏନ୍ଏସ୍) ପକ୍ଷରୁ ଆନ୍ଧ୍ରପ୍ରଦେଶରେ ଇସ୍ପାତ କାରଖାନା ସ୍ଥାପନ ଲାଗି ଜମି ଅଧିଗ୍ରହଣ ଆରମ୍ଭ ହୋଇଛି। କମ୍ପାନି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଆନ୍ଧ୍ରର ଅନକାପଲ୍ଲୀ ଜିଲ୍ଲାରେ କମ୍ପାନି ଜମି ଅଧିଗ୍ରହଣ କରୁଛି। ସେଠାରେ ଏହା ଏକ ଏକ ସମନ୍ବିତ ଇସ୍ପାତ କାରଖାନା ବସାଇବ। ଜମି କିଣିବା ପାଇଁ କମ୍ପାନି ପ୍ରାରମ୍ଭିକ ଦେୟ ମଧ୍ୟ ପଇଠ କରିଛି। ଖୁବ୍ଶୀଘ୍ର କମ୍ପାନି ଅଧୀନକୁ ଜମି ଆସିବା ଆଶା କରାଯାଉଛି। ଜମି ମିଳିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।
କମ୍ପାନି ପ୍ରାରମ୍ଭିକ ପର୍ଯ୍ୟାୟରେ ସେଠାରେ ୭.୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ବସାଇବ। ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ କହିଛନ୍ତି। ଏହି ପ୍ରକଳ୍ପ ସମ୍ପର୍କରେ ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଲକ୍ଷ୍ମୀ ଏନ୍ ମିତ୍ତଲ କହିଛନ୍ତି ଯେ ଏହା ଭାରତରେ ଆମ ଉପସ୍ଥିତି ବଢ଼ାଇବ ଏବଂ ବିକଶିତ ଭାରତ ଆଡ଼କୁ ଆମକୁ ଆଉ ପାଦେ ଆଗକୁ ନେବ। ଏହା ଏଏମ୍ଏନ୍ଏସ୍ ଓ ଆନ୍ଧ୍ରପ୍ରଦେଶ ପାଇଁ ଗର୍ବର ମୁହୂର୍ତ ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପ ପାଇଁ ପ୍ରଦର୍ଶନ କରିଥିବା ପ୍ରତିବଦ୍ଧତା ଲାଗି ଆର୍ସେଲର ମିତ୍ତଲର ସିଇଓ ଆଦିତ୍ୟ ମିତ୍ତଲ ଆନ୍ଧ୍ରପ୍ରଦେଶ ସରକାରଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।
ଗତବର୍ଷ କମ୍ପାନିର ଜଣେ ଅଧିକାରୀ କହିଥିଲେ ଯେ ୨୦୩୫ ସୁଦ୍ଧା ୪୦ ନିୟୁତ ଟନ୍ ଉତ୍ପାଦନ କ୍ଷମତା ଲକ୍ଷ୍ୟ ହାସଲ କରିବା ପାଇଁ ଭାରତର ଉପକୂଳ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଆମେ ଉପଯୁକ୍ତ ସ୍ଥାନ ସନ୍ଧାନ କରୁଛୁ। ଇସ୍ପାତ କାରଖାନା ବସାଇବାର ଦୁଇ ପ୍ରମୁଖ ଆବଶ୍ୟକତା ହେଉଛି ଜମି ଓ ବନ୍ଦର। ଆନ୍ଧ୍ରର ପ୍ରକଳ୍ପ ସେହି ଦୁଇ ମାନଦଣ୍ଡ ପୂରଣ କରୁଥିବା ସେ କହିଥିଲେ। ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ଏଏମ୍ଏନ୍ଏସୁଦ୍ୟମ କରୁଛି। ୨୪ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସେହି କାରଖାନାରେ ୧.୦୨ ଲକ୍ଷ କୋଟି ଟଙ୍କା ନିବେଶ ହେବ।