ଧର୍ମେନ୍ଦ୍ରଙ୍କୁ ଭେଟିଲେ ଲକ୍ଷ୍ମୀ ମିତ୍ତଲ ; ଓଡ଼ିଶାରେ ଇସ୍ପାତ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର : ବିଶ୍ବର ପ୍ରମୁଖ ଇସ୍ପାତ କମ୍ପାନି ଆର୍ସେଲର ମିତ୍ତଲର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀନିବାସ ମିତ୍ତଲ ଏବଂ ସିଇଓ ଆଦିତ୍ୟ ମିତ୍ତଲ ମଙ୍ଗଳବାର କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ  ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଭେଟିଛନ୍ତି ।  ଏହି ବୈଠକରେ ଓଡିଶାରେ ଇସ୍ପାତ ଉତ୍ପାଦନ ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ଏବଂ କମ୍ପାନୀର ସଂପ୍ରସାରଣ ସହ ଜଡିତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା । ବିଶେଷ ଭାବରେ ଓଡ଼ିଶାକୁ ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀରେ ପରିଣତ କରିବା ଏବଂ ଏଥିରେ ଆର୍ସେଲର ମିତ୍ତଲର ଭୂମିକା କଣ ରହିବ ସେ ନେଇ ମଧ୍ୟ ବୈଠକରେ ଚର୍ଚ୍ଚା କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ବୈଠକରେ ତୈଳ, ଗ୍ୟାସ, ଇସ୍ପାତ୍, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ର ଉପରେ ଆଲୋଚନା କରାଯାଇଥିଲା । ବିଶେଷ ଭାବରେ ନୂତନ ଉଦ୍ଭାବନ ମାଧ୍ୟମରେ କିପରି ତୈଳ, ଗ୍ୟାସ, ଇସ୍ପାତ୍, ପେଟ୍ରୋକେମିକାଲ ଏବଂ ଖଣି କ୍ଷେତ୍ରକୁ ଅଧିକ ମଜବୁତ୍, ଦକ୍ଷତା ସମ୍ପନ୍ନ ଏବଂ ବିଶ୍ବସ୍ତରୀୟ ପ୍ରତିଯୋଗିତାମୂଳକ କରିହେବ ସେ ନେଇ ଆଲୋଚନା ହୋଇଥିଲା । ବିଶେଷ ଭାବରେ ଏହି ସବୁ କ୍ଷେତ୍ରରେ ନୂତନ ଉଦ୍ଭାବନ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିବା ସହ ଆତ୍ମନିର୍ଭର ଯାତ୍ରାରେ ଆର୍ସେଲର ମିତ୍ତଲର ସହଯୋଗ ନେଇ ଆଲୋଚନା କରିଥିଲେ ।

୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ଟନ୍ ଇସ୍ପାତ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ କେବଳ ଓଡ଼ିଶାରେ ୧୦୦ ମିଲିଟନ ଟନ୍ ଇସ୍ପାତ୍ ଉତ୍ପାଦନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପରିପ୍ରେକ୍ଷୀରେ  ଓଡ଼ିଶାରେ ଖଣି ଓ ଇସ୍ପାତ୍ ଉତ୍ପାଦନର ଅଭିବୃଦ୍ଧି ନେଇ ଚର୍ଚ୍ଚା ହୋଇଥିଲା ।

ସମ୍ବନ୍ଧିତ ଖବର