ଏମ୍‌ସିଏଲ୍‌ ୪୬୦୦ କୋଟି ପୁଞ୍ଜି ବ୍ୟୟ କରିବ: ତାଳଚେର ମେଡିକାଲ୍ କଲେଜ ଶୀଘ୍ର କାର୍ଯ୍ୟକ୍ଷମ ହେବ

ପରିଚାଳନା ପାଇଁ ସପ୍ତାହକ ଭିତରେ ଟେଣ୍ଡର

ଭୁବନେଶ୍ବର: କରୋନା ମହାମାରୀର ପ୍ରଭାବ ସତ୍ତ୍ବେ ୨୦୨୦-୨୧ ଆର୍ଥିକ ବର୍ଷରେ ମହାନଦୀ କୋଲଫିଲ୍ଡସ୍‌ ଲିମିଟେଡ୍ (ଏମ୍‌ସିଏଲ୍‌) କୋଇଲା ଉତ୍ପାଦନର ସମସ୍ତ ପୂର୍ବ ରେକର୍ଡକୁ ଭାଙ୍ଗିଛି। ଏହି ବର୍ଷ କଂପାନି ୧୪୮.୦୧ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଛି। କଂପାନି ସ୍ଥାପନ ହେବା ପରଠାରୁ କୌଣସି ବର୍ଷ ଏତେ ଅଧିକ କୋଇଲା ଉତ୍ପାଦନ ହୋଇନଥିଲା ବୋଲି କଂପାନିର ସିଏମ୍‌ଡି ପି କେ ସିହ୍ନା କହିଛନ୍ତି। ସେ କହିଛନ୍ତି ଯେ ୨୦୨୦-୨୧ରେ ପୁଞ୍ଜି ବ୍ୟୟ ପରିମାଣ ୨୩୦୦ କୋଟି ଟଙ୍କା ରହିଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଦୁଇ ଗୁଣା ଅଧିକ ଅର୍ଥାତ ୪୬୦୦ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିବାର ଯୋଜନା ରହିଛି। ଭିତ୍ତିଭୂମି ଏବଂ ସମ୍ପତ୍ତି ସୃଷ୍ଟିରେ ହେଉଥିବା ବ୍ୟୟକୁ ପୁଞ୍ଜି ବ୍ୟୟ କୁହାଯ‌ାଏ। ସେହିପରି କଂପାନି ଚଳିତବର୍ଷ ୧୬୮ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି।

ଏଠାରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ କଂପାନି ୧୪୮.୦୧ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଥିବା ବେଳେ ୧୪୬ ନିୟୁତ ଟନ୍ କୋଇଲା ଡେସ୍‌ପାଚ୍‌ କରିଛି। କୋଇଲା ଉତ୍ପାଦନରେ କଂପାନି ୫.୫%, ଗ୍ରାହକଙ୍କୁ ଯୋଗାଣରେ ୮.୯% ଏବଂ କୋଇଲା ଉପରେ ଥିବା ପରସ୍ତ ହଟାଇବାରେ ୪୦.୧% ଅଭିବୃଦ୍ଧି ହାସଲ କରିଛି। କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ କଂପାନି ୧୯୩ କୋଟି ଟଙ୍କା ବ୍ୟୟ କରିଛି ଯାହା ପୂର୍ବବର୍ଷର ୧୬୮.୪୪ କୋଟି ଟଙ୍କା ତୁଳନାରେ ୧୪.୫% ଅଧିକ। ପ୍ରଦୂଷଣ ମୁକ୍ତ ରେକ୍ ଲୋଡିଂ ବ୍ୟବସ୍ଥା ପାଇଁ କଂପାନି ୩୬୦୦ କୋଟି ଟଙ୍କା ବିନିଯୋଗ କରିଛି। ଏଥିପାଇଁ ନଅଟି ପ୍ରଥମ ସଂଯୋଗ ପ୍ରଦାନକାରୀ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି।

କଂପାନିର ସିଏମ୍‌ଡି ଶ୍ରୀ ସିହ୍ନା ସୂଚନା ଦେଇଛନ୍ତି ଯେ ବିଗତ ତିନି ଚାରି ମାସ ଭିତରେ କୋଇଲା ଚାହିଦାରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହୋଇଛି। ଚାହିଦା ଆଉ କିଛି ମାସ ଭିତରେ କରୋନା ପୂର୍ବରୁ ଥିବା ସ୍ତରରେ ପହଞ୍ଚିବ। ଏଥି ସହିତ ଷ୍ଟକ୍‌ରେ ଥିବା କୋଇଲା ପରିମାଣ ହ୍ରାସ ପାଇବ ବୋଲି ସେ କହିଛନ୍ତି। ଏହି ଅବସରରେ କଂପାନିର ନିର୍ଦେଶକ ଓ ପି ସିଂହ ସୂଚନା ଦେଇଛନ୍ତି ଯେ ତାଳଚେରରେ କଂପାନି ସ୍ଥାପନ କରିଥିବା ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ୍‌ କଲେଜ ଓ ହସ୍ପିଟାଲ୍‌ର ପରିଚାଳନା ପାଇଁ ସପ୍ତାହକ ଭିତରେ ଆଗ୍ରହୀ ସଂସ୍ଥାଗୁଡ଼ିକ ଠାରୁ ଟେଣ୍ଡର ଆହ୍ବାନ କରାଯିବ। ଚଳିତ ବର୍ଷ ଏହା କାର୍ଯ୍ୟକ୍ଷମ ହେବ। ଏହାର ପରିଚାଳନା ନେଇ ପୂର୍ବରୁ କଂପାନି ରାଜ୍ୟ ସରକାରଙ୍କ ସହ ମଧ୍ୟ ଆଲୋଚନା କରିଥିଲା ବୋଲି ଜଣାପଡ଼ିଛି। ଏହି ଅବସରରେ କଂପାନିର ନିର୍ଦ୍ଦେଶକମାନେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଡ଼ି ହୋଇଥିବା ବେଳେ ବିଭିନ୍ନ ଖଣିର ମହାପ୍ରବନ୍ଧକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର