ରେଳଯାତ୍ରୀଙ୍କ ଲାଗି ବଡ଼ ଖବର: ରାତିରେ ବନ୍ଦ ରହିବ ପାୱାର ପଏଣ୍ଟ, ମୋବାଇଲ ଓ ଲାପଟପ ଚାର୍ଜ କରିବା ଉପରେ କଟକଣା

ନୂଆଦିଲ୍ଲୀ: ଏଣିକି ରାତିରେ ଟ୍ରେନରେ ରାତିରେ କରିହେବନି ମୋବାଇଲ ଚାର୍ଜିଂ । ଯାତ୍ରୀଙ୍କ ସିଟ ପାଖରେ ଥିବା ଚାର୍ଜ ପଏଣ୍ଟରେ ଆପଣ ମୋବାଇଲ କି ଲାପଟପ ଚାର୍ଜ କରିପାରିବେନି । ରେଳଯାତ୍ରା ବେଳେ ରାତିରେ ଏହି ସେବା ବନ୍ଦ ରହିବ ଅର୍ଥାତ ଚାର୍ଜିଂ ପଏଣ୍ଟ କାମ କରିବନି । ରାତି ୧୧ଟାରୁ ସକାଳ ୫ଟା ଯାଏଁ ସମସ୍ତ ଚାର୍ଜିଂ ପଏଣ୍ଟ ଅଚଳ ହୋଇଯିବ ଆଉ ପୁଣିଥରେ ସକାଳ ହେବା ପରେ ପୂର୍ବପରି କାମ କରିବ । ଏଭଳି ନିଷ୍ପତ୍ତି ନେଇଛି ଭାରତୀୟ ରେଳ । ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ତେବେ ସର୍ଟସର୍କିଟ, ମୋବାଇଲ ବ୍ଲାଷ୍ଟ କିମ୍ବା ଅନ୍ୟାନ୍ୟ କାରଣରୁ ବିଭିନ୍ନ ସମୟରେ ଟ୍ରେନରେ ନିଆଁ ଲାଗୁଛି । ରାତିରେ ଅଘଟଣ ଯାତ୍ରୀଙ୍କ ଜୀବନ ପାଇଁ ବଡ ବିପଦ ଆଣୁଥିବାରୁ ନିଆଁକୁ ଆୟତ୍ତ କରିବା ଏବଂ ନିଆଁ ବ୍ୟାପିବା ରୋକିବାକୁ ରାତିରେ ଚାର୍ଜିଂ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ରେଳ ବିଭାଗ ।

ଗତ ମାର୍ଚ୍ଚ ୧୩ ତାରିଖରେ ଦିଲ୍ଲୀ- ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସରେ ଭୟଙ୍କର ନିଆଁ ଲାଗିଥିଲା । ସର୍ଟସର୍କିଟରୁ ନିଆଁ  ଲାଗି ଗୋଟିଏ କୋଚରୁ ଚାହୁଁଚାହୁଁ ୭ଟି କୋଚକୁ ବ୍ୟାପିଥିଲା । ଯଦିଓ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ହେଲେ ସେହି ଘଟଣା ରେଳ ବିଭାଗକୁ ବଡ ଶିକ୍ଷା ଦେଇଥିଲା ଆଉ ଏବେ ଏହାର ପ୍ରଭାବରେ ଏହି ବଡ ନିଷ୍ପତ୍ତି ନିଆଯାଇଛି ।

ସେପଟେ ରେଳଯାତ୍ରା ସମୟରେ ରାତି ୧୧ରୁ ସକାଳ ୫ଟା ଯାଏଁ ଟ୍ରେନରେ ଚାର୍ଜିଂ ସେବା ବନ୍ଦ ରହିବାକୁ ଥିବାରୁ ଦୂରଦୂରାନ୍ତର ଯାତ୍ରା କରୁଥିବା ଯାତ୍ରୀଙ୍କୁ ସାଥିରେ ପାୱାର ବ୍ୟାଙ୍କ ନେବାକୁ କିମ୍ବା ଆଗୁଆ ମୋବାଇଲ, ଲାପଟପରେ ଚାର୍ଜ ରଖିବାକୁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର