ଏଥର ମୋବାଇଲ ଆପରେ ଉପଲବ୍ଧ ହେବ କେନ୍ଦ୍ର ବଜେଟ୍

ନୂଆଦିଲ୍ଲୀ : ଆଜି ପାରମ୍ପରିକ ହାଲଓ୍ବା ସମାରୋହରୁ ବଜେଟ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏଥର ହାଇଟେକ ହେବ କେନ୍ଦ୍ର ବଜେଟ । ବଜେଟ ପ୍ରକ୍ରିୟାକୁ ଯଥାସମ୍ଭବ କାଗଜବିହୀନ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି । ଏହି କ୍ରମରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ବଜେଟ ମୋବାଇଲ ଆପ୍ ଆରମ୍ଭ କରାଯାଇଛି । ଏହି ଆପ ମାଧ୍ୟମରେ  ସାଂସଦ ଓ ସାଧାରଣ ଲୋକେ ବଜେଟ ବିଷୟବସ୍ତୁ ସଂକ୍ରାନ୍ତରେ ସହଜରେ ଡିଜିଟାଲ ବ୍ୟବସ୍ଥାରେ ଅବଗତ ହୋଇପାରିବେ ।

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ “କେନ୍ଦ୍ର ବଜେଟ୍ ମୋବାଇଲ୍ ଆପ୍”ର ଶୁଭାରମ୍ଭ କରିଛନ୍ତି । ଏହି ଆପ୍ ସମ୍ବିଧାନ ଦ୍ୱାରା ପ୍ରଣୀତ ବାର୍ଷିକ ବଜେଟ୍ ବିବରଣୀ (ସାଧାରଣତଃ ବଜେଟ୍ ଭାବେ ଜଣାଶୁଣା), ଅନୁଦାନ ଦାବି (ଡିଜି), ଆର୍ଥିକ ବିଲ୍ ଇତ୍ୟାଦି ସହିତ ୧୪ ଟି କେନ୍ଦ୍ର ବଜେଟ୍ ବିଷୟବସ୍ତୁର ସହଜ ଉପଲବ୍ଧ କରାଇବ । ଏହି ଆପ୍ ବ୍ୟବହାର ଅନୁକୂଳ ସହିତ ଏଥିରେ ବିଷୟବସ୍ତୁର ଡାଉନଲୋଡିଂ, ପ୍ରିଣ୍ଟିଂ, ଖୋଜିବା (ସର୍ଚ୍ଚ), ଜୁମ୍ ଇନ୍ ଆଣ୍ଡ ଆଉଟ୍, ଉଭୟ ଦିଗରୁ ଉପର ତଳକରିବା, ବିଷୟବସ୍ତୁର ଟେବୁଲ ଏବଂ ଲିଙ୍କ୍ ଆଦି ରହିଛି । ଏହା ଦ୍ୱିଭାଷୀ (ଇଂରାଜୀ ଏବଂ ହିନ୍ଦୀ ) ଏବଂ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ । କେନ୍ଦ୍ର ବଜେଟ୍ ପାଇଁ ଉପଲବ୍ଧ ୱେବ ପୋର୍ଟାଲ  www.indiabudget.gov.in ରୁ ଏହି ଆପକୁ ଡାଉନଲୋଡ୍ କରିହେବ ।

ଆସନ୍ତା ଫେବୃଆରୀ ୧ଦିନ ସଂସଦରେ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣ ଶେଷ ହେବାପରେ ଏହି ମୋବାଇଲ୍ ଆପରେ ବଜେଟ୍ ବିଷୟବସ୍ତୁ୍ ଉପଲବ୍ଧ ହେବ ।

 

ସମ୍ବନ୍ଧିତ ଖବର