ସାବଧାନ, ଅଜଣାତରେ ଫୋନ୍‌ ଆପଣଙ୍କ କାର୍ଯ୍ୟାକଳାପ ଉପରେ ଏପରି ରଖୁଛି ନଜର!

ନୂଆଦିଲ୍ଲୀ: ଅନେକ ଚର୍ଚ୍ଚିତ ସ୍ମାର୍ଟଫୋନ ବିନା ଅନୁମତିରେ ମୋବାଇଲରେ ଆପଣଙ୍କ ସମସ୍ତ କାର୍ଯ୍ୟକଳାପର ସ୍କ୍ରିନ୍‌ ସଟ୍‌ ଏବଂ ଭିଡିଓ ପ୍ରସ୍ତୁତ କରି ଅନ୍ୟ କମ୍ପାନିମାନଙ୍କୁ ପଠାଇ ଥାଆନ୍ତି। ଆମେରିକାର ନର୍ଥ ଇଷ୍ଟର୍ଣ୍ଣ ୟୁନିଭରସିଟି ନିଜ ଅଧ୍ୟୟନରୁ ଏହାକୁ ନେଇ ଦାବି କରିଛି । ଏହି ସ୍କ୍ରିନ୍‌ ସଟ୍‌ ଏବଂ ଭିଡିଓରେ ଆପଣଙ୍କ ବ୍ୟବହୃତ ନାମ, ପାସୱାର୍ଡ, କ୍ରେଡିଟ୍‌ କାର୍ଡ ନମ୍ବର ସମେତ ଅନେକ ମହତ୍ୱପୂର୍ଣ୍ଣ ସୂଚନା ରହିଥାଇପାରେ ବୋଲି ଅନୁମାନ କରାଯାଇଛି।

ପୂର୍ବରୁ ମଧ୍ୟ ଆଶଙ୍କା କରାଯାଉଥିଲା ଯେ, ମୋବାଇଲ ଗୁପ୍ତ ଭାବରେ ବ୍ୟବହାରକାରୀଙ୍କ ଚାଟ୍‌ ରେକର୍ଡ କରିଥାଏ । ଏହି ଜରିଆରେ ଆପଣଙ୍କ ବିଷୟରେ କିଛି ତଥ୍ୟ ସେହି କମ୍ପାନୀମାନଙ୍କୁ ବିକ୍ରି କରାଯାଇଥାଏ, ଯେଉଁମାନେ ଏହାକୁ ବ୍ୟବହାର କରି ନିଜର ବିଜ୍ଞାପନକୁ ଲୋକମାନଙ୍କ ପାଖରେ ପହଞ୍ଚାଇଥାନ୍ତି । ଏହାର ଯାଞ୍ଚ କରିବା ପାଇଁ ଏନଇୟୁର ବିଶେଷଜ୍ଞମାନେ ଏକ ଅଧ୍ୟୟନ କରିଥିଲେ । ଏହି ଅଧ୍ୟୟନରେ ୧୭ ହଜାର ଆଣ୍ଡ୍ରଏଡ୍‌ ଫୋନ ଆପର ବିଶ୍ଳେଷଣ କରାଯାଇଥିଲା ।

ଆଉ ଏଥିରେ ୯ ହଜାର ଆପରେ ସ୍କ୍ରିନ୍‌ ସଟ୍‌ ନେବାର କ୍ଷମତା ଥିବା ଜଣାପଡିଥିଲା । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଆଣ୍ଡ୍ରଏଡ ସହ ଅନ୍ୟ ଅପରେଟିଙ୍ଗ ସିଷ୍ଟମ ଆପରେ ମଧ୍ୟ ଏହି କ୍ଷମତା ରହିଥାଇପାରେ। ଏମିତି କିଛି ଆପ ରହିଛି ଯାହା ଆପଣଙ୍କ ପାସୱାର୍ଡର ସ୍କ୍ରିନ ସଟ୍‌ ମଧ୍ୟ ନେଇଥାଏ । କେତେକ ଲୋକଙ୍କୁ ହୁଏତ ଏହା ସାଧାରଣ ଲାଗୁଥିବ କିନ୍ତୁ ଏହା ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ।

ସମ୍ବନ୍ଧିତ ଖବର