ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଶେଷ ହେବା ପରେ ଏକ ବଡ଼ ଧରଣର ମହଙ୍ଗା ମାଡ଼ ପଡ଼ିବ ଯାହା ଦେଶର ଅଧିକାଂଶ ନାଗରିକଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଛି। ନିର୍ବାଚନ ପରେ ମୋବାଇଲ୍‌ ଶୁଳ୍କରେ ୨୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଟେଲିକମ୍ କମ୍ପାନିଗୁଡ଼ିକ ଗ୍ରାହକ ପିଛା ରାଜସ୍ବ ବଢ଼ାଇବା ଲାଗି ଉଦ୍ୟମ କରୁଛନ୍ତି। ତେଣୁ ସେମାନେ ରିଚାର୍ଜ ଦାମ୍ ବଢ଼ାଇବେ। ଟେଲିକମ୍ କମ୍ପାନିଗୁଡ଼ିକ ୫ଜି ଭିତ୍ତିଭୂମି ବିକାଶ କରିବ‌ାରେ ବିପୁଳ ନିବେଶ କରିଛନ୍ତି। କିନ୍ତୁ ସେଥିରୁ ‌‌ସେଭଳି ଆଖିଦୃଶିଆ ରିଟର୍ଣ୍ଣ ମିଳୁନାହିଁ। ୫ଜି ସେବା ଲାଗି ସ୍ବତନ୍ତ୍ର ରିଚାର୍ଜ ପ୍ଲାନ୍ ଆସିନଥିବା ବେଳେ ତାହା‌ ସେତେଟା ପ୍ରଭାବଶାଳୀ ରହିବ ନାହିଁ ବୋଲି ଆଲୋଚନା ହେଉଛି। ଏଭଳି ସମୟରେ ପୁରୁଣା ରିଚାର୍ଜ ଦାମ୍‌କୁ ବଢ଼ାଇବା ବ୍ୟତୀତ କମ୍ପାନିଗୁଡ଼ିକ ପାଖରେ ଅନ୍ୟ ବିକଳ୍ପ ନାହିଁ। ଏମିତିରେ ଟେଲିକମ୍ ଶିଳ୍ପରେ ବର୍ତ୍ତମାନ କୌଣସି ପ୍ରତିଯୋଗିତା ହେଉଥିବା ମନେ ହେଉନାହିଁ। ସବୁ କମ୍ପାନିର ରିଚାର୍ଜ ମୂଲ୍ୟ ପାଖାପାଖି ସମାନ ଥିବା ବେଳେ ସେଥିରେ ମିଳୁଥିବା ଲାଭ ମଧ୍ୟ ଏକ‌ାପ୍ରକାର ରହୁଛି।

Advertisment

ମୋବାଇଲ୍ ରିଚାର୍ଜ ଦାମ୍ ବଢ଼ିବା ପରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କ ଖର୍ଚ୍ଚ ଢାଞ୍ଚାକୁ ତାହା ପ୍ରଭାବିତ କରିବ। ସହରାଞ୍ଚଳ ପରିବାରଗୁଡ଼ିକ ନିଜ ଖର୍ଚ୍ଚର ୩.୬ ପ୍ରତିଶତ ରାଶି ଟେଲିକମ୍ ସେବା ହାସଲ କରିବା ଲାଗି ଖର୍ଚ୍ଚ କରିବେ। ପୂର୍ବରୁ ସେହି ହାର ୩.୨ ପ୍ରତିଶତ ଥିଲା। ସେହିପରି ଗ୍ରାମାଞ୍ଚଳ ପରିବାରଗୁଡ଼ିକର ଖର୍ଚ୍ଚରେ ଟେଲିକମ୍ ସେବାର ଭାଗ ୫.୨ ପ୍ରତିଶତରୁ ବୃଦ୍ଧି ପାଇ ୫.୯ ପ୍ରତିଶତ ହେବ। ଟେଲିକମ୍ ଶୁଳ୍ପ ବଢ଼ିବା ପରେ ଭାରତୀ ଏୟାରଟେଲ୍‌ର ଗ୍ରାହକ ପିଛା ରାଜସ୍ବରେ ୨୯ ଟଙ୍କା ଓ ଜିଓର ୨୬ ଟଙ୍କା ବୃଦ୍ଧି ହେବ ବୋଲି ଆକ୍ସିସ୍ କ୍ୟାପିଟାଲ୍ ଆକଳନ କରିଛି। ଡାଟା ସ୍ପିଡ୍‌ ଅଧିକ ରହିଲେ ଟେଲିକମ୍ ଶୁଳ୍କରେ ବୃଦ୍ଧି ଗ୍ରାହକଙ୍କ ବିଶ୍ବସନୀୟତାକୁ ବିଶେଷ ପ୍ରଭାବିତ କରିବ ନାହିଁ। ସେମାନେ ଅଧିକ ଟଙ୍କା ଗଣିବାକୁ ରାଜି ହୋଇପାରନ୍ତି। ଯେଉଁ କମ୍ପାନିର ସେବା ଭରସାଯୋଗ୍ୟ ରହିବ, ଅଧିକ ଗ୍ରାହକ ସେହି କମ୍ପାନି ପାଖରେ ରହିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଶୁଳ୍କ ବଢ଼ିଲେ ତାହାର ସର୍ବାଧିକ ଲାଭ ଜିଓ ଓ ଏୟାରଟେଲ୍‌କୁ ମିଳିବ।